
ନୂଆପଡ଼ା,(ବି.ବି.ନ୍ୟୁଜ୍): ସରକାରୀ ଟଙ୍କା ଆତ୍ମସାତ୍ ଘଟଣାରେ ଛନ୍ଦି ହୋଇଥିବା ଜଣେ ଯୁବକ ଆଜି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆତ୍ମାହୁତି ଉଦ୍ୟମ କରିଥିଲେ । ମାତ୍ର ପୁଲିସ କର୍ମଚାରୀ ତାଙ୍କୁ ତତକ୍ଷଣାତ କାବୁ କରିପକାଇଥିଲେ । ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଣକ ହେଲେ ନୂଆପଡ଼ା ଡିଇଓ ଅଫିସ୍ର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର ଚନ୍ଦନ ମିଶ୍ର(୩୫) । ୨୦୧୩ ଏମ୍ଡିଏମ୍ ଟଙ୍କା ଆତ୍ମସାତ୍ ଘଟଣାରେ ସେ ଗିରଫ ହୋଇଥିଲେ । ତେବେ ଘଟଣାର ନିରପେକ୍ଷ ତଦନ୍ତ ନେଇ ଏସ୍ପି ଓ ଏଡିଏମ୍ଙ୍କଠାରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ସେ ଫେରି ଯାଇଥିଲେ ।
ପ୍ରକାଶ ଯେ ୨୦୧୩ ଅଗଷ୍ଟ ମାସରେ ସଦର ବ୍ଲକ କୁକୁରିମୁଣ୍ଡି ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ଆକାଉଣ୍ଟରେ ଅଧିକ ଟଙ୍କା ମଞ୍ଜୁର କରାଯାଇ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ତକ୍ରାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତକ୍ରାଳୀନ ବିଇଓ ଥାନାରେ ମାମଲା ଦାୟର କରିଥିଲେ । ଅକ୍ଟୋବର ୧୮ ତାରିଖରେ ଚନ୍ଦନକୁ ପୁଲିସ ଘରୁ ଉଠାଇ ନେଇ ଶିକ୍ଷା ବିଭାଗ ଓ ପୁଲିସ ଅଧିକାରୀ ତଦନ୍ତ କରିଥିଲେ । ଏଥିରେ ତାଙ୍କର ସମ୍ପୃକ୍ତି ଦର୍ଶାଇ ୨୧ ତାରିଖରେ ଚନ୍ଦନକୁ କୋର୍ଟଚାଲାଣ କରିଥିଲେ । ଦେଢ଼ ମାସ ପରେ ଚନ୍ଦନ ଜାମିନରେ ବାହାରିଥିଲେ । ଏମ୍ଡିଏମ୍ ଘୋଟାଲାରେ ତାଙ୍କର କୌଣସି ହାତ ନାହିଁ ଓ ତାଙ୍କୁ କାହିଁକି ଗିରଫ କରାଗଲା ବୋଲି ଡିଇଓ ଅଫିସ ଓ ପୁଲିସ ଅଧିକାରୀଙ୍କୁ ପଚାରିଥିଲେ ବି କୌଣସି ଉତ୍ତର ମିଳିନଥିଲା । ସେ କହିବା ଅନୁସାରେ, ଏମଡିଏମ ପାଇଁ ପ୍ରଧାନ ଶିକ୍ଷକ ବିଲ ପ୍ରସ୍ତୁତ କରନ୍ତି । ତାକୁ ସିଆରସିସି ଜରିଆରେ ବ୍ଲକ ଡାଟା ଏଣ୍ଟ୍ରି ଅପରେଟରରୁ ଡିଇଓଙ୍କ ନିକଟକୁ ଯାଇଥାଏ । ତାକୁ ସେ ଅନଲାଇନରେ ଅପଲୋଡ କରୁଥିଲେ । ଏଥିରେ ତାଙ୍କ କୌଣସି ଭୂମିକା ନାହିଁ । ଏହାସତ୍ତେ୍ୱ ବିଭାଗୀୟ ଅଧିକାରୀମାନେ ନିଜ ଦୋଷ ତାଙ୍କ ମୁଣ୍ଡରେ ଲଦି ଫସାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ୨୦୧୮ ଡିସେମ୍ବର ୧୧ ତାରିଖରେ ଏମ୍ଡିଏମ୍ ଆତ୍ମସାତ ଘଟଣାର ତଦନ୍ତ ରିପୋର୍ଟ ଓ ଅନ୍ୟାନ୍ୟ କାଗଜାତ ଦେବାକୁ ସେ ଡିଇଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ । ଜାନୁୟାରୀ ୧୭ ତାରିଖ ତାଙ୍କୁ ଡିଇଓ ଅଫିସରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଡିଇଓ ଅଫିସ୍ କର୍ମଚାରୀ ତଥ୍ୟ ଦେବା ବଦଳରେ ଅଣଦେଖା କରିଥିଲେ । ଏଥିରେ ଭାଙ୍ଗି ପଡି ସେ ଅଫିସ ଭିତରେ କର୍ମଚାରୀଙ୍କ ଉପସ୍ଥିତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଆଜି ମଧ୍ୟାହ୍ନରେ ଚନ୍ଦନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଅଭିଯୋଗ କରିବାକୁ ଆସିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡିଆରଡିଏ ପିଡି ବୃଷବ ଚନ୍ଦ୍ର ନାଏକ, ଡିଇଓ ଲକ୍ଷ୍ମଣ ଭୋଇଙ୍କୁ ତାଙ୍କ ସମସ୍ୟା ବିଷୟରେ ଅବଗତ କରିଥିଲେ । ସେଠାରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ମାତ୍ର ତୁରନ୍ତ ପୁଲିସ କର୍ମଚାରୀ ତାଙ୍କୁ କାବୁ କରିଥିଲେ । ସେଠାରେ ଏଡିଏମ ସୀତାରାମ ପଟେଲ, ଏସପି ସ୍ମିତ ପି ପରମାର, ଡିଇଓ ଶ୍ରୀ ଭୋଇ, ଏଏସ୍ପି ସୁନୀଲ ଆଚାର୍ଯ୍ୟ, ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବହୁ ବୁଝାସୁଝା କରିଥିଲେ ।
Comments are closed, but trackbacks and pingbacks are open.