ବହି ଥୋଇ ପନିକି ଧରିଲେ ଦୁଇ ଭାଇ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ‘କରୋନା’ ଜନିତ ଲକ୍ଡାଉନ୍ ଉଜାଡ଼ିଦେଲା ବାପାଙ୍କ ଦହିବରା ବେଉସା । ଏବେ ଦହିବରା ବେପାର କରିବାକୁ ଗଲେ ଗ୍ରାହକ ନାକ ଟେକୁଛନ୍ତି । ପାଖ ମାଡ଼ୁ ନାହାନ୍ତି । ସଂକ୍ରମଣ ଭୟରେ ଗ୍ରାହକ ଦହିବରା ଆଡ଼ୁ ମୁହଁ ଫେରାଇ ନେଉଥିବାରୁ ବେପାର ପୂରା ମାନ୍ଦା । ରୋଜଗାର ଶୂନ । ପରିବାର ଚଳାଇବା କାଠିକର ପାଠ । ଏଣେ ୬ ପ୍ରାଣୀ କୁଟୁମ୍ବଙ୍କ ପେଟ ଚିନ୍ତା । ୪ଜଣ ପୁଣି ପାଠ ପଢୁଛନ୍ତି । ପରିବାର ଚଳାଇବା ବାପାଙ୍କ ପାଇଁ କଷ୍ଟକର ହେଉଥିବା ଦେଖି ଏବେ ରୋଜଗାର କରିବାକୁ ଘରୁ ଗୋଡ଼ କାଢ଼ିଛନ୍ତି ଦୁଇ ନାବାଳକ ପୁଅ । ଦୁଇ ଭାଇ ପାଠପଢ଼ା ବନ୍ଦ କରି, ବହି-ଖାତା ଘରେ ଥୋଇଦେଇ, ଧରିଛନ୍ତି ପନିକି । ଆଉ କାଟୁଛନ୍ତି ମାଛ । ଏହାକୁ ବେଉସା କରି ଯେଉଁ ଦି’ ପଇସା ରୋଜଗାର କରୁଛନ୍ତି ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଦୁଇ ଭାଇ ଦଶମ ଶ୍ରେଣୀର ଛାତ୍ର । ଏବେ ସେମାନେ ରାସ୍ତା କଡ଼ରେ ବସି ମାଛ ବିକିବା, ଗରାଖଙ୍କୁ ଡାକିବା, କୁନି କୁନି କଅଁଳ ହାତରେ ଧାରୁଆ ପନିକିରେ ମାଛ କାଟି ଲାଭ ଟଙ୍କା ବାପାଙ୍କୁ ଦେବା ଭଳି ଚିତ୍ର ଦେଖିବାକୁ ମିଳୁଛି । ଯଦିଓ ବୟସ ଯଥେଷ୍ଟ କମ୍ କିନ୍ତୁ ପାଠ ପଢ଼ା ବୟସରେ ପରିବାରର ବୋଝ ଉଠାଇବାକୁ ସେମାନେ ଅଣ୍ଟା ଭିଡ଼ିଥିବା କଥା କହିଛନ୍ତି ଏହି ଦୁଇ ଭାଇ । ପାରାଦୀପ ମାଉସୀମା’ ଛକରେ ଗତ ୧୫ ଦିନ ହେବ ମାଛ ବିକ୍ରି କରୁଛନ୍ତି ଦୁଇ କୁନି ବ୍ୟବସାୟୀ । ଘର ନୂଆବଜାର ଅଞ୍ଚଳର ନୋଳିଆ ବସ୍ତିରେ । ବାପା ବାବୁଲି ମଲ୍ଲିକ ବୁଲା ଦହିବରା ବିକାଳି । ଦୁଇ ଭାଇ ଚନ୍ଦନ ଓ ବନ୍ଦନ ସ୍ଥାନୀୟ ସଞ୍ଜୟ ଗାନ୍ଧୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ଚନ୍ଦନ ଏବର୍ଷ ମାଟି୍ରକ୍ ପରୀକ୍ଷା ଦେଇ ଫଳ ପାଇଁ ଅପେକ୍ଷା କରିଥିବା ବେଳେ ବନ୍ଦନ ଏବର୍ଷ ଦଶମ ଶ୍ରେଣୀରେ ଅଧ୍ୟୟନରତ । ଉଚ୍ଚଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ଥିବାରୁ ଉଭୟ ମାଟି୍ରକ୍ ପରେ ଆଇଟିଆଇ କରିବାକୁ ଲକ୍ଷ୍ୟ ରଖିଥିଲେ । ଘରେ ମା’ ଏବଂ ପଞ୍ଚମ ଓ ଅଷ୍ଟମରେ ପଢୁଥିବା ଛୋଟ ଦୁଇ ଭାଇ । ବାପା ଦହିବରା ତିଆରି କରି ବିକି ପରିବାର ଚଳାଉଥିଲେ । ୪ ଭାଇଙ୍କୁ ପାଠ ପଢ଼ାଉଥିଲେ । ହେଲେ କରୋନା ସବୁ ସାରିଦେଲା ବୋଲି ଦୁଇ ଭାଇ ଦୁଃଖ ଓ କ୍ଷୋଭର ସହ କହିଛନ୍ତି ।
ଉଭୟଙ୍କ କହିବା କଥା, ଲକ୍ଡାଉନ୍ରେ ବାପାଙ୍କ ବେପାର ବୁଡ଼ିଗଲା । ଲକ୍ଡାଉନ୍ ନିୟମ କୋହଳ ହେବା ପରେ ଯଦିଓ ବାପା ପୁଣି ଦହିବରା ବିକିବା ଆରମ୍ଭ କରିଛନ୍ତି ହେଲେ ଲୋକେ ଆଉ ଆଗଭଳି ଖାଉନାହାନ୍ତି । ତେଣୁ ପୂର୍ବଭଳି ଆଉ ବିକ୍ରି ହେଉନି । ଘର ଚଳିବା କଷ୍ଟ ହେଉଛି । ବାପା ଦହିବରା ବିକୁଛନ୍ତି । ଏଭଳି ସ୍ଥିତିରେ ଆମେ ଦୁଇ ଭାଇ ମିଶି କିଛି କରିବୁ ବୋଲି ଭାବିଲୁ । ପାରାଦୀପରେ ଆଉ କଣ କରିବୁ ଭାବି ମାଛ ବ୍ୟବସାୟ କରିବାକୁ ଚିନ୍ତା କଲୁ । ବାଲିପ୍ଲଟ୍ରୁ ଅଳ୍ପ କିଛି ମାଛ ଆଣି ଏହି ୧୫ ଦିନ ହେବ ମାଉସୀମା’ ଛକରେ ବସି ବିକୁଛୁ । ଚନ୍ଦନଙ୍କ କହିବାନୁସାରେ, ଦୁଇ ଭାଇଙ୍କ ଭିତରୁ ଜଣେ ଗ୍ରାହକଙ୍କୁ ଡାକି ମାଛ କିଣିବାକୁ କହୁଥିବା ବେଳେ ଆଉ ଜଣେ ଧାରୁଆ ପନିକିରେ ଅତି ସନ୍ତର୍ପଣତାର ସହ ମାଛରୁ କାତି କାଢ଼ି କାଟି ପରିଷ୍କାର କରି ଗ୍ରାହକଙ୍କ ହାତକୁ ବଢ଼ାଇ ଦେଉଛି । ସକାଳୁ ଦ୍ୱିପହର ଯାଏ ଦୁଇଜଣ ଖରାରେ ଏମିତି ପରିଶ୍ରମ କଲେ ବି ଦିନକୁ ୩ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା କଷ୍ଟ ହୋଇପଡ଼ୁଛି । ତେବେ ଚନ୍ଦନ ଓ ବନ୍ଦନଙ୍କ ଏ ସଂଘର୍ଷକୁ ବନ୍ଦରାଞ୍ଚଳର ଅନେକ ଖୁବ୍ ତାରିଫ୍ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons