ସୋର,(ବି.ବି.ନୁ୍ୟଜ୍): ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁରେ । ମୃତକଙ୍କ ନାଁ ମନୋଜ ବେହେରା । ସୂଚନାଅନୁସାରେ, ଗତକାଲି ରାତିରେ ମନୋଜଙ୍କ ବାପା ଭାଗିରଥୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ତେଣୁ ମନୋଜ ଭାଗିରଥୀଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଭାଗିରଥୀଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେବାକୁ କହିଥିଲେ । ଆଜି ସକାଳେ ଏକ ବାଇକ୍ ଯୋଗେ ମନୋଜ ତାଙ୍କ ବାପା ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ଭଦ୍ରକ ଡାକ୍ତରଖାନା ନେଉଥିଲେ । ହେଲେ ଚରମ୍ପା ରେଳ ପୋଲ ନିକଟରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋଜଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟପକ୍ଷରେ ମନୋଜଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ବାଇକ୍ରେ ବସିଥିବା ଗାଁର ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.