ବାଲିଆପାଳ,(ବି.ବି.ନ୍ୟୁଜ୍): ବାଲିଆପାଳ ଇଡ୍କୋ ଛକ ନିକଟରେ ଥିବା ରାଜଧାନୀ ଢାବାରେ ଆଜି ସକାଳେ ଜଣେ ନାବାଳକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତ ନାବାଳକ ହେଲେ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁଅ ବିଜୟ (୧୭) । ଏହି ଢାବାରେ ବିଜୟ ୨ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ । ଗୁରୁବାର ରାତି ପର୍ଯ୍ୟନ୍ତ ସେ ଢାବାରେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଆଜି ସକାଳେ ସେ ଆତ୍ମହତ୍ୟା କରିଥିବା ଢାବା ମାଲିକଙ୍କ ନିକଟରୁ ସୂଚନା ମିଳିଥିଲା । ଖବର ପାଇ ମୃତ ନାବାଳକର ପରିବାର ଲୋକଙ୍କ ସମେତ ଶହ ଶହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ଭିତରେ ସ୍ଥାନଟି ଲୋକାରଣ୍ୟ ହୋଇ ଯାଇଥିଲା । ତେବେ ଯେଉଁ ଅବସ୍ଥାରେ ମୃତଦେହଟି ଝୁଲୁଥିଲା, ତାହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ମୃତଦେହର ହାତ ଦୁଇଟି ଏକ ଟେବୁଲରେ ଲାଗିଥିବା ବେଳେ ପାଦ ତଳେ ଲାଗିଥିଲା । ଉତ୍ତ୍ୟକ୍ତ ଲୋକେ ବାଲିଆପାଳ-ଗାନ୍ଧିଛକ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । କୌଣସି ଯାନବାହାନକୁ ଲୋକେ ଛାଡ଼ି ନଥିଲେ । ଏସପି, କଲେକ୍ଟର ନଆସିବା ପର୍ଯ୍ୟନ୍ତ ରାସ୍ତା ରୋକ ହଟିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଥିଲେ ।
ସକାଳ ୯ଟା ବେଳେ ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ସ୍ୱଳ୍ପ ସଂଖ୍ୟକ ପୁଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାସ୍ତା ରୋକ କରୁଥିବା ଲୋକଙ୍କୁ ହଟିଯିବା ପାଇଁ ସେ କହିବାରୁ ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପିଟିଥିଲେ । କିଛି ରାସ୍ତା ସେ ଦୌଡ଼ି ଦୌଡ଼ି ଯାଇ ତଳେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରି ନିକଟସ୍ଥ ଇଡ୍କୋ ଡାକ୍ତରଖାନାକୁ ନେଇ ଯାଇଥିଲେ । ମୁଣ୍ଡରେ ଜୋର ଆଘାତ ଲାଗିଥିବାରୁ ମୁଣ୍ଡ ସ୍କାନିଂ ପାଇଁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଦିନ ପ୍ରାୟ ୧୦ ଟା ବେଳକୁ ବସ୍ତା ଏସଡିପିଓ ରଣଜିତ କୁମାର ପୃଷ୍ଟି ଅଧିକ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ଉଦ୍ଧାର ପରେ ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଥିବା ସହିତ ତାର ଯୌନାଙ୍ଗ କଟାଯାଇଥିବା ଦେଖିବାକୁ ମିଳିଥିଲା ।
ଏହା ଦେଖିବା ପରେ ପରିସ୍ଥିତି ଅଧିକ ଅସମ୍ଭାଳ ହୋଇ ପଡ଼ିଥିଲା । ଉତ୍ତ୍ୟକ୍ତ ଲୋକେ ଢାବାରେ ନିଆଁ ଲଗାଇଦେବା ସହିତ ସମସ୍ତ ଆସବାବପତ୍ରକୁ ବାହାରକୁ କାଢ଼ି ପୋଡ଼ି ଦେଇଥିଲେ । ପରିସ୍ଥିତି ଅଧିକ ଅଣାୟତ୍ତ ହେଉଥିବା ଖବର ପାଇ ବାଲେଶ୍ୱର ଏସପି ବି. ଯୁଗଳ କିଶୋର କୁମାରଙ୍କ ସମେତ ଅତିରିକ୍ତ ଏସପି ତୁଷାରକାନ୍ତି ଜେନା ଏବଂ ସିଂଲା, ବସ୍ତା, ରୂପ୍ସା, କମର୍ଦ୍ଦା, ଜଳେଶ୍ୱର, ଭୋଗରାଇ ପ୍ରଭୃତି ଥାନାଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏସପିଙ୍କ ଉପସ୍ଥିତିରେ ମଧ୍ୟ ପୁଲିସ ପରିସ୍ଥିତିକୁ ଆୟତ୍ତ କରିପାରିନଥିଲା । ଫଳରେ ଲୋକଙ୍କ ଘଉଡ଼ାଇବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଲାଠି ଚାର୍ଜ ହୋଇଥିଲା । କିଛି ସମୟ ପାଇଁ ଲୋକମାନେ ଦୂରକୁ ଚାଲିଯାଇଥିବା ବେଳେ ଏସପି ଓ ଅନ୍ୟ ପୁଲିସ କର୍ମଚାରୀମାନେ ଥାନାକୁ ଚାଲିଆସିଥିଲେ । ମଧ୍ୟାହ୍ନରେ ପୁନର୍ବାର ଶହ ଶହ ଲୋକ ରୁଣ୍ଡ ହୋଇ ଢାବାଟିକୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଦେବା ସହ ଟିଣଛପର ସହ ଅନେକ ଆସବାବପତ୍ର ମଧ୍ୟ ନେଇ ପଳେଇ ଥିଲେ । ଅପରାହ୍ନରେ ହଜାରେ ପାଖାପାଖି ଲୋକ ଢାବା ମାଲିକ ସାହାବୁଦ୍ଦିନ ସାହା ଓରଫ ବାବୁର କଚୁଆପଡ଼ା ସ୍ଥିତ ବାସଗୃହରେ ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଯିବାରୁ ଏହା ବିଫଳ ହୋଇଥିଲା । ପରେ ଏହି ଲୋକମାନେ ସାହାବୁଦ୍ଦିନ ସାହାଙ୍କ ବାପାଙ୍କର ଜାମକୁଣ୍ଡା ଛକରେ ଥିବା ଚୁଡ଼ି ଦୋକାନ ଖୋଲାଥିବା ଖବର ପାଇ ସେଠାରେ ପହଞ୍ଚି ଭଙ୍ଗାରୁଜା କରିବା ପାଇଁ ଉଦ୍ୟମ କରିଥିଲେ । ଏସଡିପିଓ ରଣଜିତ କୁମାର ପୃଷ୍ଟି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେଠାରେ ୧୪୪ ଧାରା ଜାରି କରିବା ସହ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଘଟଣାସ୍ଥଳ ଛାଡ଼ି ଚାଲିଯିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଥିଲା । ଜାମକୁଣ୍ଡା ଛକ ସମେତ ସମଗ୍ର ବାଲିଆପାଳରେ ପୁଲିସ ୧୪୪ ଧାରା ଜାରି କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିବା ଖବର ମିଳିଛି । ସମଗ୍ର ବାଲିଆପାଳ ପୁଲିସ ଛାଉଣିରେ ଭର୍ତ୍ତି ହେବା ସହିତ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପୁଲିସ ଫ୍ଲାର୍ଗମାର୍ଚ୍ଚ କରିଛି ।
ସୂଚନା ଯୋଗ୍ୟ, ରାଜଧାନୀ ଢାବାରେ ଖୋଲାଖୋଲି ଭାବେ ମଦ ବିକ୍ରି ହେବା ସହିତ ଅନେକ ଅନୈତିକ କାର୍ଯ୍ୟ ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ସେଠାରେ ୫/୬ ଜଣ କମ ବୟସର ପିଲା କାମ କରୁଥିବା ମଧ୍ୟ ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବାରୁ ଲୋକଙ୍କର ପୁଞ୍ଜିଭୂତ ଅସନ୍ତୋଷ ଏଭଳି ବିସ୍ଫୋରକ ମୋଡ଼ ନେଲା ବୋଲି କୁହାଯାଉଛି । ମୃତ ନାବାଳକ ଏଭଳି କିଛି ସନ୍ଦେହଜନକ କାର୍ଯ୍ୟ ଦେଖି ନେଇଥିବାରୁ ତାଙ୍କୁ ନିର୍ଯାତନା ଦେବା ସହ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
Comments are closed, but trackbacks and pingbacks are open.