ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା । ଦୁଇ ଦିନ ବ୍ୟବଧାନ ପରେ ଶୁକବ୍ରାର ଜିଲ୍ଲାରେ ୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦୨ ଛୁଇଁଛି । ଏଥିସହିତ କରୋନା ବାଲିଆପାଳ ବ୍ଲକ୍କୁ ଡେଇଁଛି । ବାଲିଆପାଳ ବ୍ଲକରେ ପ୍ରଥମ ଥର ପାଇଁ ୪ ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାଜ୍ୟରେ ଶୁକ୍ରବାର ୨୩ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକାଶ କରାଯାଇଥିଲା । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । ଏହି ୧୦ ଜଣ ପ୍ରବାସରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଫେରନ୍ତା ଥିବାବେଳେ ବାକି ବ୍ୟକ୍ତି ଜଣକ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ ।
ବାଲିଆପାଳ ବ୍ଲକରେ ୪ ଜଣଙ୍କ ସମେତ ବାହାନଗା ଓ ସିମୁଳିଆ ବ୍ଲକରୁ ମଧ୍ୟ ୩ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି । ସେହିପରି ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ବାଲେଶ୍ୱର ସହରରେ ୨ ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି । ସେମାନେ ନୀଳିଆବାଗ, ମାଣିଖମ୍ବ ଅଞ୍ଚଳ ବୋଲି ଜଣାଯାଇଛି ।


Comments are closed, but trackbacks and pingbacks are open.