ବିକାଶରେ ଆନ୍ଧ୍ରଠୁ ପଛରେ ଓଡ଼ିଶା

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗାଁ ମଧ୍ୟରେ ରହିଛି ସୀମାନ୍ତ ନେରେଡ଼ିବାଲ୍ସା । ଏଠାରେ ଆନ୍ଧ୍ରଠାରୁ ବିକାଶ କ୍ଷେତ୍ରରେ ପଛରେ ପଡ଼ିଛି ଓଡ଼ିଶା । ୪ ବର୍ଷ ତଳେ ଓଡ଼ିଶା ପକ୍ଷରୁ ଆରମ୍ଭ ହୋଇଥିବା ରାସ୍ତା କାମ ଏବେ ବି ଅଧପନ୍ତରିଆ ହୋଇ ରହିଛି । ଆନ୍ଧ୍ର କିନ୍ତୁ ପାନୀୟ ଜଳଯୋଗାଣ ଏବଂ ଶିକ୍ଷା କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି । ଯାହା କୋରାପୁଟ ଜିଲ୍ଲା ପ୍ରଶାସନ ପାଇଁ ସୃଷ୍ଟି କରିଛି ଆଉ ଏକ ଚ୍ୟାଲେଞ୍ଜ ।
ନେରେଡି ବାଲ୍ସାରେ ରହୁଛନ୍ତି ୪୮ ପରିବାର । ସେମାନଙ୍କ ଗମନାଗମନ ସୁବିଧା ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ ୨୦୧୮ ମସିହାରେ ଚିନ୍ତା କରିଥିଲା । କୋଟିଆ ପଞ୍ଚାୟତ ମହକୁମାକୁ ଯିବାଆସିବା ଲାଗି ରାସ୍ତା କାମ ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ ଏହି ରାସ୍ତାକାମର ଅଧା ବି ସରିନି । କେଉଁଠି କଂକ୍ରିଟ୍ କାମ ଚାଲିଛି ତ ଆଉ କେଉଁଠି ଘାଟି କଟାଯାଉଛି । କାମ ମନ୍ଥର ଗତିରେ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେଠାକାର ବାସିନ୍ଦା । ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ନିଜ ସପକ୍ଷରେ ରଖିବା ଲାଗି ଆନ୍ଧ୍ର ପକ୍ଷରୁ ଉଦ୍ୟମ ଜାରି ରହିଛି । ଗାଁକୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ୬ ଲକ୍ଷ ଟଙ୍କା ବ୍ୟୟରେ ହେଉଛି ଏହି କାମ । ଏ ଭିତରେ ଶେଷ ହୋଇଛି ପାଇପ ବିଛା କାମ । ୭ଟି ସ୍ଥାନରେ ପାଣି ପଏଣ୍ଟ ତିଆରି କରାଯାଇଛି । କେବଳ ପାଣି ସଂଯୋଗ ଦିଆଯିବା କାମ ବାବି ରହିଛି ବୋଲି କହିଛନ୍ତି ସାଲୁର ମଣ୍ଡଳ ହାଉସିଂ ଜେଇ କେ.ଏନ ଶ୍ରୀନିବାସ ରାଓ । କେବଳ ସେତିକି ନୁହେଁ, ଗାଁରେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ପାର୍ବତୀପୁରମ୍ ପିଏ ଆଇଟିଡିଏ ବି. କୁର୍ମାନାଥ ୨ ଦିନ ତଳେ ପହଞ୍ଚି ଭିତ୍ତିଭୂମି ନିରୀକ୍ଷଣ କରିଥିବା ଗ୍ରାମବାସୀ କହିଛନ୍ତି । ନେରେଡ଼ିବାଲ୍ସା ଗ୍ରାମର ଜୟସନ ମାଝୀ, କୋରା ବନ୍ଧବାବୁ, ଜଗନ୍ନାଥ ପୂଜାରୀ ପ୍ରମୁଖ କହିଛନ୍ତି, ପଡେ଼ାଶୀ ତାଡ଼ିବାଲ୍ସାରେ ଓଡ଼ିଶା ସ୍କୁଲ ରହିଛି । କିନ୍ତୁ ଆନ୍ଧ୍ର ସ୍କୁଲରେ ସେମାନଙ୍କ ପିଲା ପଢୁଛନ୍ତି । ଉଭୟ ଇଂରାଜୀ ଏବଂ ତେଲୁଗୁ ଭାଷାରେ ଲେଖାପଢା କରୁଥିବା ବେଳେ ଓଡ଼ିଆ ପାଠ ଜାଣୁ ନାହାନ୍ତିି । ଭାଷାଗତ ସମସ୍ୟା ଯୋଗୁ ଓଡ଼ିଶା ସ୍କୁଲକୁ ପଢ଼ିବାକୁ ଯାଉନାହାନ୍ତି ।
ନେରେଡିବାଲ୍ସା ଗାଁର ଅଦିକାଂଶ ଲୋକ ମୁକାଦୋରା ସମ୍ପ୍ରଦାୟର । ସେମାନେ କୁଇ ଏବଂ ତେଲୁଗୁ ଭାଷାରେ କଥାବାର୍ତ୍ତା ହୁଅନ୍ତି । ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ ଓଡ଼ିଆରେ କଥା ହେଉଛନ୍ତି । ପିଲାମାନେ କୁଇ ଓ ତେଲୁଗୁ ଭାଷାକୁ ଆଦରି ନେଇଛନ୍ତି । ଗାଁରେ ଥିବା ମୁକାଦୋରାଙ୍କୁ ଓଡ଼ିଶା ସରକାର ଆଦିବାସୀ ମାନ୍ୟତା ଦେଇନାହାନ୍ତି । ଅଥଚ ଆନ୍ଧ୍ର ସରକାର ସେମାନଙ୍କୁ ଆଦିବାସୀ ବୋଲି ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଯଦ୍ୱାରା ସେମାନେ ସରକାରୀ ଚାକିରି ଏବଂ ଅନ୍ୟାନ୍ୟ ସୁବିଧା ଆନ୍ଧ୍ର ପକ୍ଷରୁ ପାଇପାରୁଛନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ା ସୁବିଧା ପାଉଛନ୍ତି । ତେଲୁଗୁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚଶ୍ରେଣୀରେ ଶିକ୍ଷା ଗ୍ରହଣ ଲାଗି ଛାତ୍ର ଓ ଛାତ୍ରୀନିବାସ ସହଜରେ ପାଇପାରୁଛନ୍ତି । ମୋଟାମୋଟି ଆଦିବାସୀ ପିଲାଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଯାହାସବୁ ସୁବିଧା ରହିଛି, ସେସବୁ ପାଇପାରୁଛନ୍ତି ମୁକାଦୋରା ଛାତ୍ରଛାତ୍ରୀ । ସବୁଠୁ ବଡ଼ କଥା ହେଲା, ମୁକାଦୋରା ପିଲାମାନେ ଆନ୍ଧ୍ର ସ୍କୁଲରେ ନାଁ ଲେଖାଇଲେ ମା’ର ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଛି । ତେଣୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ପାଠ ପଢ଼ାଇବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ଏସବୁ ଉପରେ ଏବେ ନଜର ଦେବାର ବେଳ ଆସିଛି । କେଉଁ କେଉଁ କ୍ଷେତ୍ରରେ ଏଠାକାର ଲୋକେ ଅବହେଳିତ ହୋଇ ରହିଛନ୍ତି, ତାହାର ତୁରନ୍ତ ସର୍ଭେ କରି ଆବଶ୍ୟକ ସୁବିଧା ଯୋଗାଇବା ଦରକାର । ନହେଲେ ଆଗାମୀ ଦିନରେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons