ଖଲିକୋଟ,(ବି.ବି.ନ୍ୟୁଜ୍): ଅଲୋଡ଼ା ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଦରକାର ସମୟରେ କାମରେ ଲାଗୁନି । କେବଳ ନାମକୁ ମାତ୍ର ମିଳିଛି କାର୍ଡ । ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ କାର୍ଡ ଫେରାଇ ଦେଉଛନ୍ତି । କାର୍ଡ ନବୀକରଣ ହୋଇ ନଥିବା କହୁଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ମାଗଣା ଚିକିତ୍ସା ସୁବିଧା ଦେବାକୁ ମନା କରୁଥିବା ଅଭିଯୋଗ କରିଛନ୍ତି ସଦାନନ୍ଦ ମହାରଣାଙ୍କ ପତ୍ନୀ ଚିନ୍ମୟୀ ମହାରଣା ।
ଖଲିକୋଟ ଏନ୍ଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ଫାସୁଳା ମଠସାହିର ସଦାନନ୍ଦ ମହାରଣା । କର୍କଟ ରୋଗରେ ପୀଡ଼ିତ । ଗତ ୭ ମାସ ତଳେ ରୋଗ ନିଦାନ ହୋଇଥିଲା । ବ୍ରହ୍ମପୁର ବଡ଼ ଡାକ୍ତରଖାନା, ଭୁବନେଶ୍ୱର ଏମ୍ସ ହସପିଟାଲ୍ ଓ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ବାଦରେ ଧାର କରଜ କରି ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେଣି । ଏବେ ସମ୍ଭଳ ବୋଲି ଆଉ କିଛି ନାହିଁ । ଏଣୁ ସଦାନନ୍ଦଙ୍କୁ ଡାକ୍ତରଖାନାରୁ ଘରକୁ ଫେରାଇ ଆଣିଛନ୍ତି । ସରକାରୀ ସାହାଯ୍ୟ ନମିଳିଲେ ସଦାନନ୍ଦଙ୍କ ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହିଛନ୍ତି ତାଙ୍କ ପତ୍ନୀ ଚିନ୍ମୟୀ । ହସଖୁସୀରେ ଫାଟି ପଡ଼ୁଥିଲା ପରିବାର । ଯେତିକି ରୋଜଗାର ସେତିକିରେ କିଛି ଅସୁବିଧା ନଥିଲା । ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ସଦାନନ୍ଦ, ସ୍ତ୍ରୀ ଚିନ୍ମୟୀ ଓ ୪ ଝିଅ ଏବଂ ୨ ପୁଅକୁ ନେଇ ପରିବାର । ପୂର୍ବରୁ ୨ ଝିଅଙ୍କୁ ବିବାହ ଦେଇଥିଲେ । ଅର୍ଥ ଅଭାବରୁ ଗୋଟିଏ ଝିଅ ମାମୁ ଘରେ ରହୁଛି । ଆଉ ଗୋଟିଏ ଝିଅ ଘରେ ଅଛି । ମାଟ୍ରିକ୍ ପାସ୍ ହେବା ପରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛି । ପୁଅ ଅଷ୍ଟମରେ ପଢ଼ୁଥିଲା । ଘର ଜଞ୍ଜାଳ ଯୋଗୁଁ ପାଠ ପଢ଼ାରେ ମନ ଦେଇ ପାରୁନି । ଘରେ ଖାଇବା ଅଭାବ । ସାହି ପଡ଼ୋଶୀଙ୍କ ସାହାଯ୍ୟରେ ପରିବାର ଚଳୁଛି । ରାସନ କାର୍ଡରେ ମିଳୁଥିବା ଚାଉଳରେ କଷ୍ଟେମଷ୍ଟେ ଗୁଜରାଣ ମେଣ୍ଟୁଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହେବା ପରେ ଆର୍ଥିକ ଅନଟନ ସହ୍ୟ କରି ପାରୁନାହାନ୍ତି ପତ୍ନୀ । ସ୍ୱାମୀ ଓ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ । ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଦେବାକୁ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.