ବିଜେଡିର ବଡ଼ ‘ବିଜୟ’

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ଶେଷରେ ପାଟକୁରାରେ ବିଜୟ ମୁକୁଟ ପିନ୍ଧିଛି ଶାସକ ବିଜୁ ଜନତା ଦଳ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭ ହଜାର ୯୨୦ ଖଣ୍ଡ ଭୋଟ୍ରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସାବିତ୍ରୀ ୯୬ ହଜାର ୧୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭେଟେରାନ୍ ବିଜୟଙ୍କୁ ମିଳିଛି ୭୮ ହଜାର ୯୭ ଖଣ୍ଡ ଭୋଟ୍ । କଂଗ୍ରେସ ଦଳ କିନ୍ତୁ ଅମାନତ ହରାଇ ଏକପ୍ରକାର ମାଟି ଚାଟିଛି । ଦଳର ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ମାତ୍ର ୨ ହଜାର ୧୦୪ ଖଣ୍ଡ ଭୋଟ୍ ।
ଯଦିଓ ପାଟକୁରା ଆସନ ବିଜେଡିର ଦୁର୍ଗ ଭାବେ ପରିଗଣିତ ହେଉଥିଲା ଏଥର କିନ୍ତୁ ନିର୍ବାଚନୀ ଟକ୍କର୍ ବେଶ ତଗଡ଼ା ରୂପ ନେଇଥିଲା । ଶାସକଦଳ ବିଜେଡିର ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍ଙ୍କ ପରଲୋକ ପରେ ଦଳ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । ଅନ୍ୟପକ୍ଷରେ ବିଗତ ଦିନରେ ଏଠାରୁ ଚାରିଥର ନିର୍ବାଚନ ଜିଣିଥିବା ବିଜୟ ମହାପାତ୍ର ବିଜେପିର ପ୍ରାର୍ଥୀ ଭାବେ ଏଥର ଏଠାରୁ ଲଢୁଥିବାରୁ ପାଟକୁରା ଭୋଟ୍ ଫଳାଫଳ ଉପରେ ସାରା ରାଜ୍ୟର ନଜର କେନ୍ଦ୍ରୀଭୂତ ହୋଇଥିଲା । ପ୍ରଥମଥର ବେଦପ୍ରକାଶଙ୍କ ପରଲୋକ ପାଇଁ ଓ ଦ୍ୱିତୀୟବାର ଫୋନି ବାତ୍ୟା ପାଇଁ ନିର୍ବାଚନ ସ୍ଥଗିତ ରହିବା ହେତୁ ପାଟକୁରା ଭୋଟ୍କୁ ନେଇ ସାଧାରଣରେ ଉ+ଣ୍ଠା ଓ ଉତ୍ସୁକତା ବି ବେଶ ବଢିଯାଇଥିଲା । ଗତ ୨୦ ତାରିଖରେ ହୋଇଥିଲା ପାଟକୁରାରେ ମତଦାନ । ଆଜି ଗଣତି ପରେ ମଧ୍ୟାହ୍ନ ବେଳକୁ ସ୍ପଷ୍ଟ ହୋଇଯାଇଥିଲା କି’ ବିଜେଡି ନିଜ ଗଡ଼ ରକ୍ଷା କରିବାରେ ସଫଳ ହେଉଛି ।
ଭୋଟ୍ ଗଣତି କେନ୍ଦ୍ର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ସୁଦ୍ଧା ଶେଷ ହୋଇଥିଲା । ଭୋଟ ଗଣତିକୁ ସୁଚାରୂ ରୂପେ ସମ୍ପାଦନ କରିବା ନିମନ୍ତେ ୧୮ଟି ଟେବୁଲରେ ୧୯ଟି ରାଉଣ୍ଡରେ ଭୋଟ ଗଣତି ସମ୍ପନ୍ନ ହୋଇଥିଲା । ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ଟି ବ୍ଲକରୁ ପ୍ରଥମେ ଡେରାବିଶ ବ୍ଲକ୍ର ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ପ୍ରଥମ ୧୦ ରାଉଣ୍ଡ୍ ଯାଏ ଡେରାବିଶ ବ୍ଲକ୍ର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ବେଶ ଆଗରେ ରହିଥିଲେ ଓ ଶେଷବେଳକୁ ଏକପ୍ରକାର ଛାଇ ଯାଇଥିଲେ । ଡେରାବିଶର ଗଣତି ସରିବା ବେଳକୁ ସାବିତ୍ରୀ ପ୍ରାୟ ୧୫ ହଜାର ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ ତୀବ୍ର ଗତିରେ । ପରେ ଗରଦପୁର, ମାର୍ଶାଘାଇ ବ୍ଲକ୍ର ପାଳି ପଡ଼ିଲା ବେଳକୁ ସାବିତ୍ରୀଙ୍କ ପଥ ରୋକିଥିଲେ ବିଜୟ । କ୍ରମେ ବ୍ୟବଧାନ ବେଶି ବଢ଼ିନଥିଲା । ମଝିରେ ଟକରାଟକରି ପରିସ୍ଥିତିକୁ ଆସିଥିଲେ ବିଜେଡି-ବିଜେପି । ଅବଶିଷ୍ଟ ୮ ରାଉଣ୍ଡ ଗଣତିରେ ଗରଦପୁର, ମାର୍ଶାଘାଇ ବ୍ଲକର ଭୋଟ ଗଣତି ହୋଇଥିଲା । ବିଜେଡି ପ୍ରାର୍ଥିନୀ ଏହି ରାଉଣ୍ଡ୍ଗୁଡ଼ିକରେ ୨ ହଜାର ୯୨୦ ଖଣ୍ଡ ଭୋଟ୍ ମାତ୍ର ଆଗରେ ରହିପାରିଥିଲେ । ଏଣୁ ଯାହା ଆକଳନ କରାଯାଉଥିଲା ସେଇୟା ହିଁ ହୋଇଥିଲା । ଶେଷରେ ଡେରାବିଶ ବ୍ଲକ୍ ହିଁ ବିଜେଡିକୁ ବିଜୟର ସ୍ୱାଦ ଚଖାଇଥିଲା । ଦଳ ନିଜ ଦୁର୍ଗ ରକ୍ଷା କରି ପାଟକୁରା ହାତେଇ ନେଇଥିଲା । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଚତୁର୍ଥ ଥର ଲାଗି ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ । ପାଟକୁରାରେ ୨୦୦୪ରେ ସେ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ, ୨୦୦୯ରେ ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ୍ଙ୍କଠାରୁ, ୨୦୧୪ରେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ହାରିଥିଲେ ।
ଆଜି ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ୍ ନିର୍ବାଚନରେ ବିଜୟୀ ଘୋଷିତ ହେବା ପରେ ଦୁହୁରିଆ ନୟନବିହାରସ୍ଥିତ ବାସଭବନରୁ ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା କଲେଜ ପରିସରରୁ ରିଟର୍ଣ୍ଣିଂ ଅଫିସର ଜ୍ୟୋତି ଶଙ୍କର ମହାପାତ୍ରଙ୍କଠାରୁ ନିର୍ବାଚନରେ ବିଜୟୀ ହୋଇଥିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ । ଶ୍ରୀମତୀ ଅଗ୍ରୱାଲଙ୍କ ସହିତ ତାଙ୍କ ଝିଅ ମଧୁସ୍ମିତା ଅଗ୍ରୱାଲ, ପୁଅ ସଞ୍ଜୟ ଅଗ୍ରୱାଲ, ବିଜେଡିର ବହୁ କାର୍ଯ୍ୟକର୍ତ୍ତା ଥିଲେ । ଶ୍ରୀମତୀ ଅଗ୍ରୱାଲ ନିର୍ବାଚନରେ ବିଜୟ ଲାଭ କରିଥିବା ଜଣାପଡିବା ପରେ ତାଙ୍କ ବାସଭବନକୁ ଶୁଭେଚ୍ଛାର ସୁଅ ଛୁଟିଛି । ଦଳୀୟ ମହଲରେ ପରସ୍ପରକୁ ମିଠା ଖୁଆଇ, ବାଣ ଫୁଟାଇ ଖୁସି ମନାଇଛନ୍ତି ନେତା । ନିଜ ବିଜୟର ଶ୍ରେୟ ସାବିତ୍ରୀ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ନେତା, କର୍ମୀ ଓ ପାଟକୁରାବାସୀଙ୍କୁ ଦେଇଛନ୍ତି । ପାଟକୁରା ତାଙ୍କ ପରଲୋକଗତ ସ୍ୱାମୀଙ୍କ ପରିବାର ଭଳି ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ପାଟକୁରାର ଦାୟିତ୍ୱ ଦେଇଥିଲେ । ପାଟକୁରାବାସୀ ତାଙ୍କୁ ସମର୍ଥନ ଦେଇଥିବାରୁ ସେ ଏବେ ପାଟକୁରାର ବିକାଶ ରଥକୁ ଆଗେଇନେବେ ବୋଲି ଶ୍ରୀମତୀ ଅଗ୍ରୱାଲ୍ ଆଜି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବିଜେପି କହିଛି କି ଜନାଦେଶକୁ ଆମେ ମାନିନେବୁ । ପରାଜୟର କାରଣ ଖୋଜି ସମୀକ୍ଷା କରିବୁ । ଶାସକ ବିଜେଡି ଅର୍ଥବଳ, ବାହୁବଳ ପ୍ରୟୋଗ କରି ନିର୍ବାଚନ ଜିତିଥିବା କଥା ମଧ୍ୟ କହିଛି ବିଜେପି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି କି’ ଜନାଦେଶ ମୋ ସପକ୍ଷରେ ଥିଲା । ଶାସକଦଳ ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରି ରଖି, ଟଙ୍କା ବାଣ୍ଟି, ସରକାରୀକଳର ଦୁରୁପଯୋଗ କଲା । ଯେଉଁଥିପାଇଁ ଫଳ ବଦଳିଗଲା । ଜନାଦେଶକୁ ସମ୍ମାନ ଦେବା ସହ ସ୍ଥିତି କାହିଁକି ବଦଳିଲା ତାହାର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଅପରପକ୍ଷରେ ଧୂଳିସାତ୍ ହୋଇଯାଇଥିବା କଂଗ୍ରେସ ଶିବିର ଏକପ୍ରକାର ସ୍ତବ୍ଧ ହୋଇଯାଇଛି ଏଭଳି ଦୟନୀୟ ପ୍ରଦର୍ଶନ ପରେ । ଦଳର ପ୍ରାର୍ଥୀ ଜୟନ୍ତ ମହାନ୍ତି କହିଛନ୍ତି କି’ କଂଗ୍ରେସ ଭୋଟ୍ ସବୁ ବିଜେପିକୁ ଚାଲିଗଲା କାହିଁକି ତାହାର କାରଣ ଖୋଜାଯିବ । କଂଗ୍ରେସରେ ରହି କଂଗ୍ରେସୀ ଲୋକେ କାହିଁକି ଅନ୍ୟକୁ ଭୋଟ୍ ଦେବା ଭଳି ଅପରାଧ କଲେ ତାହାର ସମୀକ୍ଷା ବି କରାଯିବ । ଆଜି ଗଣତି ବେଳେ ପୋଷ୍ଟାଲ୍ ବାଲଟ୍ରେ ବିଜେପିକୁ ଅଧିକ ସଂଖ୍ୟକ ଭୋଟ୍ ମିଳିଥିବା ନଜରକୁ ଆସିଛି । ପୋଷ୍ଟାଲ୍ରେ ମିଳିଥିବା ୫୧ ଖଣ୍ଡ ଭୋଟରୁ ବିଜେପିକୁ ସର୍ବାଧିକ ୩୬ ଖଣ୍ଡ, ବିଜେଡିକୁ ୧୩ ଖଣ୍ଡ ମିଳିଥିବା ବେଳେ କଂଗ୍ରେସ ଖାତାରେ ପଡ଼ିଛି ୨ ଖଣ୍ଡ ଭୋଟ୍ । ବିଜୟକୁ ନେଇ କେନ୍ଦ୍ରାପଡ଼ା ବିଜେଡି ଶିବିର ବେଶ ଉତ୍ସାହିତ ହୋଇପଡ଼ିଥିବା ବେଳେ ବିଜେପି ଓ କଂଗ୍ରେସ ଶିବିରରେ ନିରାଶା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons