ଭୁବନେଶ୍ୱର,(ବି.ବି.ବ୍ୟୁରୋ):ବିଟ୍ କଏନ୍ରେ ପୁଞ୍ଜି ନିବେଶ କରିବାକୁ କହି ଲୋକଙ୍କ ଠାରୁ ଅଧ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ଗିରଫ କରିଛି ଜଟଣୀ ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନାମ ମନୋରଞ୍ଜନ ବିଶ୍ୱାଳ(୩୨) । ଘର ଜଟଣୀ ବେଲପଡ଼ା । ପୁଲିସ ସୂଚନା ଅନୁଯାୟୀ, ମନୋରଞ୍ଜନ ବିଟ୍ କଏନ୍ରେ ପୁଞ୍ଜି ନିବେଶ କରିବାକୁ କହି ଜଟଣୀ ଅଞ୍ଚଳରୁ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଅଧିକ ସୁଧ ପାଇବା ଲୋଭରେ ଜଟଣୀର ଅଞ୍ଚଳର ପ୍ରାୟ ୧୨ ଜଣ ଲୋକ ମନୋରଞ୍ଜନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ । ମନୋରଞ୍ଜନ ରାଜଧାନୀରୁ ମଧ୍ୟ ଅନେକ ଲୋକଙ୍କୁ ବିଟ୍ କଏନ୍ରେ ପୁଞ୍ଜି ନିବେଶ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ । ତାଙ୍କ ନାମରେ ସାଇବର ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ଜଟଣୀ ବଡ଼ତୋଟାର ବିଜୟ ପ୍ରଧାନ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ପୁଅଙ୍କ ଠାରୁ ମନୋରଞ୍ଜନ ୧ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ମନୋରଞ୍ଜନଙ୍କୁ ଗିରଫ କରିଛି । ମନୋରଞ୍ଜନ ଏହିପରି ଅଧକୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ପୁଲିସ କହିଛି । ଆସନ୍ତାକାଲି ମନୋରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ।
Comments are closed, but trackbacks and pingbacks are open.