ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ହାତୀ ମୃତୁ୍ୟ ଥମିବାର ନାଁ ନେଉନି । ବିଦୁ୍ୟତ୍ ଆଘାତରେ ପୁଣି ଏକ ଦନ୍ତାହାତୀର ଜୀବନ ଯାଇଛି । ଢେଙ୍କାନାଳ ସଦର ରେଞ୍ଜ୍ ଗୋବିନ୍ଦପ୍ରସାଦ ଗ୍ରାମର ଏକ ଆମ୍ବବଗିଚାରୁ ରବିବାର ସକାଳେ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ମୃତୁ୍ୟ ପାଇଁ ଦାୟୀ ଆମ୍ବ ବଗିଚାର ମାଲିକ ଗୋବିନ୍ଦପ୍ରସାଦ ଗ୍ରାମର ବିଶ୍ୱଜିତ୍ ଅର୍ଜେନ୍ଦୁ ଜେନା (୫୨)ଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡିଛି ।
ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନୀଙ୍କ ସୂଚନା ଅନୁସାରେ, ଗୋବିନ୍ଦପ୍ରସାଦ ଗ୍ରାମରେ ବିଶ୍ୱଜିତ୍ଙ୍କର ଏକ ଆମ୍ବ ବଗିଚା ରହିଛି । ବର୍ତ୍ତମାନ ଆମ୍ବ ଅମଳ ସମୟ । ସେ ହାତୀଦାଉରୁ ନିଜ ଫସଲକୁ ସୁରକ୍ଷା ଦେବାକୁ ଯାଇ ବଗିଚା ଚାରିପଟେ ସୋଲାର ତାର ବାଡ଼ ଦେଇଛନ୍ତି । ଏଥିସହ ଏକ ଲୋକାଲ୍ ମଟର୍ରୁ ସେଠାକୁ ବିଦୁ୍ୟତ୍ ସଂଯୋଗ କରିଛନ୍ତି । ସୋଲାର୍ ତାର ବାଡ଼ରେ ୫ଟି ତାର ପ୍ରାୟ ୭ ଫୁଟ୍ ଉଚ୍ଚ ପର୍ଯ୍ୟନ୍ତ ରହିଛି । ରବିବାର ଭୋର୍ ପ୍ରାୟ ୪ଟା ବେଳେ ଆମ୍ବବଗିଚାକୁ ଏକ ଦନ୍ତାହାତୀ ଆସିଥିବା ବେଳେ ଉକ୍ତ ବିଦୁ୍ୟତ୍ ତାରବାଡ଼ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲା । ସକାଳେ ଗ୍ରାମବାସୀ ଜାଣିପାରି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ସଦର ରେଞ୍ଜର ଧରିତ୍ରୀ ମୁର୍ମୁଙ୍କ ସମେତ ସ୍ଥାନୀୟ ଫରେଷ୍ଟର, ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ହାତୀମୃତୁ୍ୟର ପ୍ରାଥମିକ ଅନୁସନ୍ଧାନ କରିଥିଲେ । ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତହାତୀର ଶବ ବ୍ୟବଚ୍ଛେଦ କରାଯାଇ ନିକଟରେ ଗାତ ଖୋଳି ପୋତି ଦିଆଯାଇଛି । ବିଦୁ୍ୟତ୍ ତାର ବିଛାଇ ହାତୀ ମାରିବା ଅଭିଯୋଗରେ ବିଶ୍ୱଜିତ୍ଙ୍କୁ ବନବିଭାଗ ଗିରଫ କରିଛି । ବନ୍ୟପ୍ରାଣୀ ଶିକାର ଆଇନ୍ ଅନୁଯାୟୀ ଉଦ୍ଧିଷ୍ଟ ବିଭିନ୍ନ ଦଫାରେ ବିଶ୍ୱଜିତ୍ଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.