ବିଧାନସଭାରେ ମନ୍ତ୍ରୀ ମରୁଡ଼ି, ବିରୋଧୀଙ୍କ ହଙ୍ଗାମା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସଂସଦୀୟ ଗଣତାନ୍ତ୍ରିକ ପରମ୍ପରାର ଉଲ୍ଲଂଘନ ହେଉଛି । ବିଧାନସଭାର ବିଧି ବ୍ୟବସ୍ଥା ପ୍ରତି ସରକାରୀ ଦଳର ସମ୍ମାନ ନାହିଁ । ମୁଖ୍ୟମନ୍ତ୍ରୀ ପାଟକୁରା ପ୍ରଚାରରେ ଯାଇଛନ୍ତି । ମନ୍ତ୍ରୀମାନେ ଯାଇ ଡେରା ପକାଇଛନ୍ତି । ଗୃହରେ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ‘କା’ ମନ୍ତ୍ରୀମାନେ ଦେଉଛନ୍ତି । ଏହା ଆଦୌ ବିଧି ନୁହେଁ । ମନ୍ତ୍ରୀମାନେ ଓ ଶାସକ ଦଳର ବିଧାୟକମାନେ ପୂର୍ବ ଲିଖିତ ଲେଖାକୁ ଗୃହରେ ପଢ଼ୁଛନ୍ତି । ମନ୍ତ୍ରୀମାନେ ସଭ୍ୟମାନଙ୍କ ଅତିରିକ୍ତ ପ୍ରଶ୍ନର ଠିକ୍ ଉତ୍ତର ରଖୁନାହାନ୍ତି । ଏମିତି ଗୃହ ଚଳାଇବା ଅପେକ୍ଷା ପାଟକୁରା ଭୋଟ ସରିବା ଯାଏ ବିଧାନସଭାକୁ ବାଚସ୍ପତି ବନ୍ଦ ରଖନ୍ତୁ । ବିଧାନସଭାରେ କଂଗ୍ରେସ ଓ ବିଜେପି ଏମିତି ଦାବି କରିଥିଲେ । କଂଗ୍ରେସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା ।
ବିଜେପି ପିଏମ୍ କିଷାନରେ ଆବଶ୍ୟକ ଚାଷୀଙ୍କ ତାଲିକା ରାଜ୍ୟ ସରକାର ନ ପଠାଇ କାହିଁକି କେନ୍ଦ୍ର ସହ ଭିଡ଼ାଓଟରା ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲା । ଚାଷୀଙ୍କ ଧାନ ସରକାର କିଣୁ ନଥିବାରୁ ସମ୍ବଲପୁର ଓ କଳାହାଣ୍ଡିରେ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ବାଚସ୍ପତି ଏ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି ରଖିଥିଲା । ଉଭୟ ଦଳ ନିଜ ନିଜର ଦାବି ନେଇ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ହୋହଲ୍ଲା ସହ ସ୍ଲୋଗାନବାଜି ଛାଡ଼ିଥିଲେ । ବାଚସ୍ପତି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଗୃହ ପରିଚାଳନା କରୁନାହାନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉପରକୁ ପ୍ରଶ୍ନପତ୍ର ଫିଙ୍ଗିଥିଲେ । ହୋହଲ୍ଲା ଓ ହଙ୍ଗାମା କାରଣର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖିଥିଲେ ।
ଆଜି ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନକର୍ତ୍ତାଙ୍କ ଉତ୍ତର ଦେବାକୁ ମନ୍ତ୍ରୀ ଗୃହରେ ନଥିଲେ । ତାଙ୍କ ବଦଳରେ ଅନ୍ୟ ମନ୍ତ୍ରୀ ଉତ୍ତର ରଖିଥିଲେ । ଏହାକୁ ନେଇ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ । ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଲେ, ପାଟକୁରା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯାଇଛନ୍ତି । ଅନ୍ୟ ମନ୍ତ୍ରୀମାନେ ବିଧାନସଭାରେ ନ ରହି ସେଠାରେ ଡେରା ପକାଇଛନ୍ତି । ଏହା ଦୁର୍ଭାଗ୍ୟଜନକ । ବିଜୁବାବୁଙ୍କ ନାଁରେ ଦଳ ହୋଇଛି । ବିଜୁବାବୁ କେବେ କୌଣସି ଉପନିର୍ବାଚନ ପ୍ରଚାରରେ ଯାଉଥିଲେ । ଏ ଦଳ ତାଙ୍କ ଆଦର୍ଶକୁ ଅଣଦେଖା କରିଛି । ମନ୍ତ୍ରୀମାନେ ଯଦି ଗୃହରେ ନ ରହିବେ, ଆମ ପ୍ରଶ୍ନର ଉତ୍ତର ନ ରଖିବେ ତେବେ ଗୃହକୁ ବନ୍ଦ କରିଦେବା ଭଲ ହେବ । ୨୦ ତାରିଖ ପାଟକୁରା ନିର୍ବାଚନ ପରେ ବିଧାନସଭା ଚଳାଇଲେ କିଛି ଅସୁବିଧା ହେବନି । ବିଧାନସଭାରେ ସନ୍ତୋଷଜନକ ଉତ୍ତର ନ ମିଳିବା ଦୁର୍ଭାଗ୍ୟଜନକ । ପାଟକୁରା ଭୋଟ ପାଇଁ ଆଚରଣ ବିଧି ଲାଗୁ ହୋଇଛି । ଏ ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଅଫିସରମାନଙ୍କ ସହ କଥା ହେବା ମନା । ଏହାସତ୍ତେ୍ୱ ମୁଖ୍ୟମନ୍ତ୍ରୀ ଭତ୍ତା ବାଣ୍ଟିବା କେତେଦୂର ଯୁକ୍ତିଯୁକ୍ତ? ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ, ସମ୍ବିଧାନ ପ୍ରଦତ୍ତ ଆଇନ ଅନୁସାରେ ବିଧାନସଭା ଚାଲୁନି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଉଛି । ମନ୍ତ୍ରୀମାନେ କେବଳ ଲିଖିତ ଉତ୍ତର ପଢ଼ୁଛନ୍ତି । ଆମ ମାନଙ୍କର ପ୍ରଶ୍ନର କିଛି ମାନେ ରହୁନି । ସଭ୍ୟମାନଙ୍କ ପ୍ରଶ୍ନ ପ୍ରତି ମନ୍ତ୍ରୀମାନେ ଆଦୌ ଧ୍ୟାନ ଦେଉନାହାନ୍ତି । ଏହା ସଂସଦୀୟ ଗଣତନ୍ତ୍ର ନୁହେଁ । ମୁଖ୍ୟମନ୍ତ୍ରୀ ସବୁବେଳେ ଲିଖିତ ଉତ୍ତର ପଢ଼ୁଛନ୍ତି । କୌଣସି ଅଦୃଶ୍ୟ ଶକ୍ତି ମନ୍ତ୍ରୀମାନଙ୍କୁ ଲିଖିତ ଉତ୍ତର ପଢ଼ିବାକୁ ବାଧ୍ୟ କରୁଛି । ପଏଣ୍ଟ ଅଫ ଅର୍ଡର ଆଳରେ ବିତର୍କ କରାଯାଉଛି, ଏହା ଆଦୌ ଠିକ୍ ନୁହେଁ । ବାଚସ୍ପତି ଏହାକୁ ଧ୍ୟାନ ଦିଅନ୍ତୁ । ମନ୍ତ୍ରୀମାନେ ପୂର୍ବ ଲିଖିତ ଉତ୍ତର ପଢ଼ିବା ଅଭ୍ୟାସ ବଦଳାଇ ସଭ୍ୟମାନେ ଯାହା ଚାହୁଁଛନ୍ତି ସେ ଉତ୍ତର ଗୃହରେ ରଖନ୍ତୁ ।
ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ କହିଲେ, ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ସହଯୋଗ କରୁଛନ୍ତି ବୋଲି କହୁଛନ୍ତି । ମାତ୍ର ପିଏମ୍ କିଷାନ ତାଲିକା ଠିକ୍ ଭାବେ କେନ୍ଦ୍ରକୁ କାହିଁକି ପଠାଉନାହାନ୍ତି । ୧୫ ତାରିଖ ତାଲିକା ଦେବାର ଶେଷ ତାରିଖ ଥିଲା । ସରକାର ୩୦ ଲକ୍ଷ ଚାଷୀଙ୍କର ତାଲିକା ଦେଇଛନ୍ତି ବୋଲି କହୁଛନ୍ତି । ମାତ୍ର କେନ୍ଦ୍ର କହୁଛି ୩୦ ଲକ୍ଷର ପାଇନି । ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ କିଷାନ ଯୋଜନାକୁ ନେଇ ଏତେ ଭିଡ଼ା ଓଟରା କାହିଁକି? ପ୍ରକୃତରେ କେତ ଚାଷୀଙ୍କର ରାଜ୍ୟ ସରକାର ତାଲିକା ଅପଲୋଡ୍ କରିଛନ୍ତି ଗୃହକୁ ଅବଗତ କରାନ୍ତୁ । ସେ କହିଲେ, ଏବେ ବିଧାନସଭାରେ ସରକାରୀ ଦଳର ବିଧାୟକ ନାହାନ୍ତି କି ମନ୍ତ୍ରୀ ନାହାନ୍ତି । କେବଳ ବିରୋଧୀ ଦଳ ଗୃହକୁ ଜଗି ରହିଛନ୍ତି । ପୂରା ଶାସକ ଦଳ ପାଟକୁରାରେ ଡେରା ପକାଇଛି । ଏମିତିରେ ଗୃହ କେମିତି ଚାଲିବ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons