ପୁରୀ,(ବି.ବି.ନୁ୍ୟଜ୍): ଆଜି ଶରଧାବାଲିରୁ ନୀଳକନ୍ଦର ପର୍ଯ୍ୟନ୍ତ ବଡଦାଣ୍ଡରେ ଗୁଂଜରି ଥିଲା ଏହି ଗୀତ । ବୋଲୁଥିଲେ ପ୍ରଭୁଙ୍କ ସେବକମାନେ । କିଛି କ୍ଷଣ ରଥ ଭିଡ଼ୁଥିଲେ, ତାପରେ ବୋଲୁଥିଲେ ଏହି ଗୀତ ।
ସବୁ ବର୍ଷଠାରୁ ଭିନ୍ନ ଥିଲା ଏ ବର୍ଷର ବାହୁଡ଼ା ଯାତ୍ରା । ଶରଧାବାଲିରେ ହରିବୋଲ, ହୁଳହୁଳିର କୋଳାହଳ ନ ଥିଲା । ଭକ୍ତବିନା ଖାଁ ଖାଁ ଲାଗୁଥିଲା । ଠାଆକୁ ଠା ଦୀପ ଜଳୁନଥିଲା । ନିର୍ଜନ ଶରଧାବାଲିରେ କିଛି ସେବକ ଆଉ ପୁଲିସ ତିନି ବାହୁଡା ରଥକୁ ଟାଣି ନେଇଥିଲେ । ରଥଟଣା ସେବାରେ ନିୟୋଜିତଙ୍କ ସଂଖ୍ୟା ୧୫୦୦ ଡେଇଁଲାନି । କୋଭିଡ୍ କଟକଣା କଡାକଡ଼ି ଭାବେ ପାଳନ ହୋଇଥିଲା ।
ନୀତି ନିର୍ଘଣ୍ଟ ପୂର୍ବରୁ ପ୍ରଭୁଙ୍କ ବାହୁଡ଼ା ପହଣ୍ଡି ନୀତି ଆରମ୍ଭ ହୋଇଥିଲା । ସମୟ ପୂର୍ବାହ୍ନ ଏଗାରଟା ୨୬ ମିନିଟ୍ରେ ତାଳଧ୍ୱଜ ରଥ ବଡ଼ଠାକୁରଙ୍କୁ ନେଇ ସିଂହଦ୍ୱାର ଅଭିମୁଖେ ପ୍ରଥମେ ଗଡ଼ି ଯାଇଥିଲା । ସେବାୟତମାନେ ବିନା ଜୋତାରେ ରଥ ଟାଣିଥିଲେ । ଏହା ମଧ୍ୟ ସବୁବର୍ଷଠାରୁ ଭିନ୍ନ ଘଟଣା ଥିଲା ।
ଜନ୍ମବେଦିରୁ ଲୀଳାମୟ କର୍ମବେଦିକୁ ନୀଳକନ୍ଦରକୁ ଅଭିମୁଖେ ଯାତ୍ରା କରିଥିଲେ । ଜନ୍ମବେଦି ଛାଡିବା ଆଉ ଭକ୍ତଙ୍କୁ ନଦେଖିବା ଦୁଃଖରେ ମହାପ୍ରଭୁ ମିୟପ୍ରାଣ ହୋଇଥିଲେ । ବାଟରେ ମଉସୀ ମା’ଙ୍କ ପୋଡ଼ପିଠା ଆଉ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟିବା ପରେ ପ୍ରଭୁଙ୍କ ଦୁଃଖଭଞ୍ଜନ ହେବା ଭଲି ଲାଗୁଥିଲା ।
ଆଜି ସହରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ । ଆର୍ଦ୍ରତା ୭୬ ପ୍ରତିଶତ ଥିଲା । କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ କରାଯାଇଥିଲା । ସୁପ୍ରିମକୋର୍ଟ ଆଦେଶକୁ ସମ୍ମାନ ଜଣାଇ ସୀମିତ ସେବକ ତିନି ରଥକୁ ଟାଣି ନେଇଥିଲେ । ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ନାରେ ପହଞ୍ଚିବା ବେଳକୁ ଅପରାହ୍ନ ୪ଟା ୩୮ମିନିଟ ବାଜିଥିଲା । ସେବାୟତଙ୍କ ସମର୍ପଣ, ପ୍ରଶାସନର ନିÂା, ଭକ୍ତଙ୍କ ସମର୍ଥନ ଆଉ ପ୍ରଭୁଙ୍କ ଆଦେଶରେ ବହୁଚର୍ଚ୍ଚିତ ୨୦୨୦ ରଥଯାତ୍ରା ସମାପନ ହୋଇଥିଲା । ଆସନ୍ତାକାଲି ରଥାରୁଢ଼ ଶ୍ରୀବିଗ୍ରହ ସୁନାବେଶରେ ଉକ୍ରଳ ସମ୍ରାଟଙ୍କ ପ୍ରତିପତ୍ତିକୁ ପ୍ରତିପାଦିତ କରିବେ । ସିଂହଦ୍ୱାର ସାମ୍ନାରେ ପ୍ରଭୁଙ୍କ ସୁନାବେଶ ହେବ ।
ଆଜି ପୂର୍ବାହ୍ନ ୧୧ଟା ୨୫ ମିନିଟରେ ବଡ଼ଠାକୁରଙ୍କ ତାଳଧ୍ୱଜ, ମା’ ସୁଭ୍ରଦ୍ରାଙ୍କ ରଥ ୧୨ଟା ୨୫ ମିନିଟ ଆଉ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଗୋଟାଏ ୨୫ ମିନିଟରେ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ପ୍ରତିରଥ ଟଣାରେ ଏକ ଘଣ୍ଟା ଅନ୍ତର ରହିବ । ଏହି ସର୍ତ୍ତକୁ ରଥଟଣାରେ ଅନୁପାଳନ କରାଯାଇଥିଲା । କଳା ଠାକୁର, ବଡ଼ ଭାଇ ଆଉ ଅଲିଅଳି ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ତିନି ରଥ ସିଂହଦ୍ୱାର ଅଭିମୁଖେ ବାହୁଡା ଯାତ୍ରା କରିଥିଲେ । ଶ୍ରୀମନ୍ଦିର ରଥଯାତ୍ରାର ଇତିହାସରେ ଏହାଥିଲା ବିରଳ ଘଟଣା । ଭକ୍ତ ପ୍ରିୟ ବିନା ଭକ୍ତରେ ବାହୁଡ଼ା ଯାତ୍ରା କରିଥିଲେ ।
ମହାପ୍ରଭୁଙ୍କ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭୋଟ ନୀତି ଅପରାହ୍ନ ୪ଟା ୨୦ ମିନିଟରେ ସମ୍ପନ୍ନ କରିଥିଲେ । ବଡ଼ଦାଣ୍ଡରେ ଏଭଳି ଠିକ ସମୟରେ ରଥ ଗଡିବା ବି ଏକ ରେକର୍ଡ ଥିଲା ।
ପ୍ରଭୁଙ୍କ ବାହୁଡ଼ା ରଥଯାତ୍ରା ନୀତି ଭୋର ୩ଟା ୫୦ ମିନିଟରୁ ଆରମ୍ଭ ହୋଇଥିଲା । ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ହୋଉ ଗୋପାଳ ବଲ୍ଲଭ ଆଉ ସକାଳ ଧୂପ ନୀତି ସରିବା ବେଳକୁ ସକାଳ ୬ଟା ୨୦ ମିନିଟ ବାଜିଥିଲା । ସକାଳ ଧୂପ ପରେ ପ୍ରଭୁ ବାହୁଡାପହଣ୍ଡି ନୀତି ୭ଟା ୨୦ ମିନିଟରୁ ଆରମ୍ଭ ହୋଇ ୯ଟା ୫୫ରେ ମିନିଟରେ ଶେଷ ହୋଇଥିଲା । ଏହା ପରେ ସକାଳ ୧୦ଟା ସୁଦ୍ଧା ମଦନମୋହନ ଆଉ ରାମକୃଷ୍ଣ ରଥାରୁଢ଼ ହୋଇଥିଲେ । ଗଜପତି ମହାରାଜାଙ୍କ ତିନି ରଥରେ ଛେରା ପହଁରା ନୀତି ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଶେଷ ହେବା ପରେ ବାହୁଡା ରଥଟଣା ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତିନି ରଥରେ ଚାରମାଳ ଫିଟା ଆଉ ଘୋଡା ଯୋଡା ଯିବା ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା ।
ରଥ ଲାଗିବା ପରେ ଜିଲ୍ଲା ଓ ସହରରେ କର୍ଫୁ୍ୟ କୋହଳ କରାଯାଇଛି । ଆସନ୍ତାକାଲି ଅପରାହ୍ନ ୪ଟାରୁ ପୁଣି କର୍ଫୁ୍ୟ କଡ଼ାକଡ଼ି କରାଯାଇଛି । ଭକ୍ତ ବିନା ରଥଯାତ୍ରା ବଡ଼ଦେଉଳ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଚଳିତବର୍ଷର ରଥଯାତ୍ରାକୁ ଶ୍ରୀମନ୍ଦିର ଇତିହାସରେ ଅବିସ୍ମରଣୀୟ ଗଣପର୍ବର ମାନ୍ୟତା ଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ ସେବାୟତଙ୍କ ସହ ନୀତି ନେଇ ନିୟମିତ ଆଲୋଚନା କରୁଥିଲେ ।
Comments are closed, but trackbacks and pingbacks are open.