ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ହେବ । ଏଥିପାଇଁ ପ୍ରାୟ ୩୦ କୋଟି ଟଙ୍କା ବିନିଯୋଗ କରି ବନ୍ଦରର ଆଧୁନିକୀକରଣ କରାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରକି୍ରୟା ଆରମ୍ଭ ହୋଇଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ କାମ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି । ଆଜି ପାରାଦୀପ ମାଛଧରା ବନ୍ଦରରେ ଆୟୋଜିତ ଏମ୍ଏସ୍ଏଫ୍ଏଚ୍ର ଏକ୍ଜିକୁ୍ୟଟିଭ୍ ବଡି ମିଟିଂରେ ଏଭଳି ଘୋଷଣା କରାଯାଇଛି ।
ଶୁକ୍ରବାର ଫିସିଂ ହାର୍ବର ମ୍ୟାନେଜେମେଣ୍ଟ୍ ସୋସାଇଟିର ୧୯ ତମ ଏକଜିକୁ୍ୟଟିଭ୍ ବଡ଼ି ମିଟିଂ ବୈଠକ ବସିଥିଲା । କାର୍ଯ୍ୟକ୍ରମରେ ପାରାଦୀପ ଏଡିଏମ୍ ଡ.କାହ୍ନୁଚରଣ ଧୀର, ଫିସରି(କୋଷ୍ଟାଲ୍) ଜଏଣ୍ଟ୍ ଡିରେକ୍ଟର ପବିତ୍ର କୁମାର ବେହେରା, କୁଜଙ୍ଗ ଏଏଫ୍ଓ(ମେରାଇନ୍)ମାନସ ରଞ୍ଜନ ସାହୁ, ଫିସିଂ ହାର୍ବର ମ୍ୟାନେଜର ମନୋରଞ୍ଜନ ମହରାପାତ୍ର, ଓମ୍ଫା ସଭାପତି ସୁମନ୍ତ ବିଶ୍ୱାଳ, ମେରାଇନ୍ ଥାନା ଅଧିକାରୀ ପ୍ରଦୁ୍ୟମ୍ନ ବେହେରା, ଫିସରି ଇଞ୍ଜିନିୟରିଂ ଡିଭିଜନ୍ର ଆସିଷ୍ଟାଣ୍ଟ୍ ଏକ୍ଜିକୁ୍ୟଟିଭ୍ ଇଞ୍ଜନିୟର ଆଲୋକ କୁମାର ପାତ୍ର, ପାରମ୍ପରିକ ସତ୍ସ୍ୟଜୀବୀ ସଂଘର ପ୍ରତିନିଧି ଯଜେ୍ଞଶ୍ୱର ରାଉତ, ଏକ୍ସପୋର୍ଟ ଆସୋସିଏସନ୍ ପ୍ରତିନିଧି ଦୁର୍ଯେ୍ୟାଧନ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ଅନ୍ୟତମ ପ୍ରମୁଖ ମାଛଧରା ବନ୍ଦର ପାରାଦୀପ ମାଛଧରା ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ କି କି ଯୋଜନା ରହିଛି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପିଏମ୍ଏମ୍ଏସ୍ୱାଇ ବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ଏହି ପ୍ରକଳ୍ପରେ ମୋହର ବାଜିସାରିଥିବା ବେଳେ ଏବେ ପ୍ରକଳ୍ପ କେମିତି ଆଗେଇବ, ପ୍ରକଳ୍ପ ଗୁଡ଼ିକର ଡ଼ିପିଆର୍ କିଭଳି ପ୍ରସ୍ତୁତ ହେବ, କେଉଁ କେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆଯିବ ତା’ ଉପରେ ଫୋକସ୍ କରାଯାଉଛି । ଏପରିକି କିଛି ପ୍ରକଳ୍ପର ଡ଼ିପିଆର୍ ପ୍ରସ୍ତୁତ ପାଇଁ କିଛି ଜାତୀୟସ୍ତରର ଏଜେନ୍ସିକୁ ଦାୟିତ୍ୱ ମଧ୍ୟ ଦିଆସରିଛି ।
ବିଶେଷକରି ବର୍ତ୍ତମାନ ବନ୍ଦର ଭିତରେ ଗୋଟିଏ ମାତ୍ର ନିଲାମ ହଲ୍ ଥିବା ବେଳେ ଦ୍ୱିତୀୟ ନିଲାମ ହଲ୍ କରାଯିବାକୁ ଯୋଜନା ରହିଛି । ବନ୍ଦର ଭିତରେ ଥିବା ଦୋକାନ ଗୁଡ଼ିକୁ ଥଇଥାନ କରିବାକୁ ଆଧୁନିକ ମାର୍କେଟ କମ୍ପେ୍ଲକ୍ସ ତିଆରି ହେବ, ବନ୍ଦର ଚାରିପାଖ ଓ ଭିତର ପାଖ ଥିବା ପଥର ବନ୍ଧର ପୁନଃ ମରାମତି ଓ ନବୀକରଣ କରାଯିବ, ମିନି ଟାଉନସିପ୍ ତିଆରି ହେବ, ବାହାରୁ ଆସୁଥିବା ବ୍ୟବସାୟି ଓ ଟ୍ରେଡରଙ୍କ ପାଇଁ ଆଧୁନିକ ରହଣିସ୍ଥଳ ନିର୍ମାଣ ହେବ, ପାନୀୟଜଳର ସୁବନେ୍ଦାବସ୍ତ କରାଯିବ, ରାସ୍ତା ଘାଟ ସମେତ ସୁବ୍ୟବସ୍ଥା ସମେତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରଯିବ ବୋଲି ଜଣାପଡ଼ିଛି । ମାର୍କେଟ କମ୍ପେ୍ଲକ୍ସ ପାଇଁ ୨କୋଟି ୫୬ ଲକ୍ଷ ଟଙ୍କାର ଏମ୍ଓୟୁ ଦସ୍ତଖତ ସରିଥିଲେ ମଧ୍ୟ କରୋନା ପାଇଁ କାମ ଆରମ୍ଭ ହୋଇପାରିନାହିଁ । ସେଇଭଳି ଦ୍ୱିତୀୟ ଅକ୍ସନ ହଲ୍ ପାଇଁ ୭ କୋଟି ୪୮ ଲକ୍ଷର ଏମ୍ଓୟୁ ସରିଛି । ପଥର ବନ୍ଧ ପ୍ୟାକିଂ ଆଉ ନବୀକରଣ ପାଇଁ ୯କୋଟି ୯୬ ଲକ୍ଷ ଟଙ୍କାର ଡ଼ିପିଆର୍ ପ୍ରସ୍ତୁତ ଚାଲିଛି । ସମ୍ପୂର୍ଣ୍ଣ ଆଧୁନିକ ଢାଞ୍ଚାରେ ପ୍ରସ୍ତୁତ ହେବାକୁ ଥିବା ଏହି ମାଛଧରା ବନ୍ଦର ଆଗକୁ ଦେଶର ଏକ ନମ୍ବର ମାଛଧରା ବନ୍ଦର ହେବା ସହ ଏକ ବିଶ୍ୱସ୍ତରୀୟ ବନ୍ଦର ହେବାର ଯୋଜନା ରହିଛି । ବିଶେଷ କରି ପାରାଦୀପର ମାଛର ବିଦେଶରେ ବେଶୀ ଚାହିଦା ଥିବାରୁ ଏଠାରୁ ସିଧାସଳଖ କିଭଳି ମାଛ ବିଦେଶକୁ ଯାଇପାରିବ ତା’ ଉପରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।


Comments are closed, but trackbacks and pingbacks are open.