
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖୋର୍ଦ୍ଧା ପରେ ଟାଙ୍ଗୀରେ ଚାଲିଥିବା ବେଆଇନ୍ ଖଣି ଖାଦାନରେ କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଚଢ଼ଉ କରିଛି । ଟାଙ୍ଗୀ ତହସିଲ ନିରାକାରପୁର ଥାନା ଅନ୍ତର୍ଗତ ବଳରାମପୁରରେ ଚାଲିଥିବା ଏକ ବେଆଇନ୍ ଖଣିରେ ଏସ୍ଟିଏଫ ଟିମ୍ ଚଢ଼ଉ କରି ୩ ଖଣି ମାଫିଆଙ୍କୁ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଅସୁରଢିପର ଶ୍ୟାମବନ୍ଧୁ ଡ଼ାକୁଆ(୫୨), ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ାର ମୁକୁନ୍ଦ ଖଣ୍ଡାୟତ ରାୟ(୪୭) ଓ ନୟାଗଡ଼ ଜିଲ୍ଲା ଫତେଗଡ଼ ଲକ୍ଷ୍ମୀପ୍ରସାଦର ମାନସ ରଞ୍ଜନ ପ୍ରଧାନ । ସେଠାରୁ ଏକ ଟ୍ରକ୍, କଂପ୍ରେସର ସହିତ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ ହୋଇଛି ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବଳରାମପୁରରେ ଏକ ସରକାରୀ ଜମିରେ ବେଆଇନ୍ ଖଣି ଖନନ କରା ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଏସ୍ଟିଏଫ୍ ଖବର ପାଇଥିଲା । ଗତକାଲି ଆଇଆଇସି ଆଲୋକ ଜେନାଙ୍କ ନେତୃତ୍ୱରେ ଏସ୍ଟିଏଫ୍ ଟିମ୍ ବଳରାମପୁରରେ ଚାଲିଥିବା ଉକ୍ତ ଖଣି ଉପରେ ଚଢ଼ଉ କରିଥିଲେ । ସେଠାରୁ ୩ ମାଫିଆ ଶ୍ୟାମବନ୍ଧୁ, ମୁକୁନ୍ଦ ଓ ମାନସଙ୍କୁ ଗିରଫ କରାଯିବା ସହ କଂପ୍ରେସର ଫିଡେଡ୍ ଟ୍ରାକ୍ଟର(ଓଆର୦୨ସି-୭୪୯୪), ଏକ ପଥର ବୋଝେଇ ଟ୍ରକ୍, ଅଟୋକଟ୍ ଷ୍ଟାବିଲାଇଜର, ଇଲେକ୍ଟ୍ରି ୱେୟାର, ହାମର, ଜ୍ୟାକ୍, ଡ୍ରିଲର, ଡିଜେଲ୍ ଭର୍ତ୍ତି ୩ଟି ଜାରକିନ ଆଦି ଜବତ ହୋଇଥିଲା । ଗିରଫ ମାଫିଆମାନେ ଦୀର୍ଘଦିନ ଧରି ସେଠାରେ ଖଣି କରି ବାହାରକୁ ପଥର ଚାଲାଣ କରୁଥିଲେ । ମାଫିଆମାନଙ୍କ ବିରୋଧରେ ଆଇପିସିର ଧାରା-୩୭୯/୪୪୭/୩୪, ଆର୍ମସ ଆକ୍ଟ୨୫/୨୭, ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ ଆକ୍ଟ-୩/୪/୫ ଲଗାଯାଇ ଆଜି ଟାଙ୍ଗୀ ଜେଏମ୍ଏଫ୍ସି କୋର୍ଟରେ ହାଜର କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଏସ୍ଟିଏଫ୍ ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ତାପଙ୍ଗ ଖଣିରେ ଚଢ଼ଉ କରି ଜଣେ ମାଫିଆଙ୍କୁ ଗିରଫ କରିଥିଲା । ଏହି ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.