ବ୍ରହ୍ମପୁର,(ବି.ବି.ନୁ୍ୟଜ): ହୋମିଓପ୍ୟାଥିକ୍ ଔଷଧରେ ହେଉଥିଲା ବିଦେଶୀ ମଦ । କୋଲକାତାରୁ ଆସୁଥିଲା ପ୍ରସ୍ତୁତି ସାମଗ୍ରୀ । ଏଠାରେ ବହୁ ନାମୀଦାମୀ କମ୍ପାନିର ମଦ ପ୍ରସ୍ତୁତ କରିବା ପରେ ମାର୍କେଟ୍କୁ ଛଡାଯାଉଥିଲା । ନକଲି ମଦ କାରବାରକୁ ବେଶ ସୁରୁଖୁରୁରେ ଚଳାଇଥିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଆସିକା ରୋଡ଼ ତୃପ୍ତି ନଗରରେ ଚାଲିଥିଲା ଏହି ର୍ୟାକେଟ୍ । ଆଜି ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ନକଲି ମଦ କାରଖାନାକୁ ସିଲ୍ କରିଛି । ସଂପୃକ୍ତ ମାମଲାରେ ୫ଜଣଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଆଦିତ୍ୟ ବିହାରର ରବୀନ୍ଦ୍ର ପାଣିଗ୍ରାହୀ, କାଳୁପାତ୍ର ସାହିର ନାରାୟଣ ବିଷୋୟୀ, ଶାନ୍ତିନଗର ୩ୟ ଲାଇନ୍ର ଏମ୍.ଆଶିଷ କୁମାର ରାଓ, ଗଣେଶ ନଗରର ସନ୍ତୋଷ ସ୍ୱାଇଁ ଓ ବେଗୁନିଆପଡ଼ା କେ.ବରିଡ଼ାର ଶ୍ରୀକାନ୍ତ କୁମାର ବେହେରାଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଏସ୍ଆଇ ସଞ୍ଜୟ କୁମାର କାଣ୍ଡ ସୂଚନା ଦେଇଛନ୍ତି । ଚଢାଉ ବେଳେ ବିଭିନ୍ନ ନାମୀ ଦାମୀ କମ୍ପାନୀର ମଦ ।ତଲରେ ପ୍ୟାକିଂ ହୋଇଥିବା ୩ଶହ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି । ମଦ ପ୍ରସ୍ତୁତ କରିବାକୁ ରଖାଯାଇଥିବା ବୋତଲ, ଲେବଲ୍, ହୋମିଓପ୍ୟାଥିକ୍ ଔଷଧ ଓ ମେସିନ ସିଲ୍ କରାଯାଇଛି । ମଦ ବିକ୍ରି ପାଇଁ ବ୍ୟବହୃତ ହେଉଥିବା ଦୁଇଟି ଅଟୋ ଓ ଗୋଟିଏ ମୋପେଡ୍ ବାଇକ୍ ଜବତ ହୋଇଥିବା ସେ କହିଛନ୍ତି ।
ଆଜି ପୂର୍ବାହ୍ନରେ ଅବକାରୀ ବିଭାଗ ତୃପ୍ତିନଗରରେ ଚଢ଼ାଉ କରିଥିଲା । ଏଠାରେ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି । ଅଭିଯୁକ୍ତ ମାନେ ଅତି ନିଖୁଣତା ସହ ଅସଲି ମଦ ଭଳି ପ୍ରସ୍ତୁତ କରୁଥିଲେ । ସେଥିରେ ପୁଣି ଓଡ଼ିଶା ସରକାରଙ୍କ ଷ୍ଟିକର ମଧ୍ୟ ଲଗାଯାଉଥିଲା । ଏଠାରେ ନିପ୍ ବୋତଲ ପ୍ରସ୍ତୁତ କରାଯାଉଥିଲା । କାଚ, ସିଲ୍, ମେସିନ୍, ହୋମିଓପ୍ୟାଥିକ୍ ଔଷଧ, କଲର ଓ ସ୍ପିରିଟ୍ ସବୁ କୋଲକାତାରୁ ଆସୁଥିଲା । କୋଲକାତାରୁ କଞ୍ଚାମାଲ୍ ଆସିବା ପରେ ଏଠାରେ ରାତିରେ ତିଆରି ହେଉଥିଲା ମଦ । ସ୍ଥାନୀୟ ଲୋକ ଜାଣିବା ପରେ ଅବକାରୀ ବିଭାଗକୁ ସୂଚନା ଦେଇଥିଲେ । ଅବକାରୀ ବିଭାଗ ଚଢ଼ାଉ ଉଦ୍ୟମ କରିଥିଲା କିନ୍ତୁ ଘରେ ତାଲା ପଡୁଥିବା ଦେଖି ଫେରି ଆସୁଥିଲା । ଆଜି ପୂର୍ବାହ୍ନରେ ଅଚାନକ ଭାବେ ଚଢ଼ାଉ କରି ଏହି ନକଲି ମଦ ପ୍ରସ୍ତୁତି କାରଖାନାକୁ ସିଲ୍ କରିଛି ।
ବ୍ରହ୍ମପୁର ସହରରେ ନକଲି ବିଦେଶୀ ମଦ କାରବାର ନୂଆ ନୁହେଁ । ପୂର୍ବରୁ ମଧ୍ୟ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲା । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଦୁଇ ମାସ ତଳେ ବୈଦ୍ୟନାଥପୁର ଥାନା ପୁଲିସ ଜବତ କରିଥିଲା ନକଲି ବିଦେଶୀ ମଦ । ଏବେ ସହରରେ ବିଭିନ୍ନ ଅଞ୍ଚଳରେ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଅବକାରୀ ଗୁଇନ୍ଦା ପାଖରେ ସୂଚନା ରହିଛି । ତେବେ ବହୁ ବିଳମ୍ବରେ ହେଲେ ମଧ୍ୟ ଗୁଇନ୍ଦା ବିଭାଗ ଏହି କାରବାର ଉପରେ ନଜର ପକାଇଛି । ଏହି ର୍ୟାକେଟ୍କୁ କିଏ ଚଳାଇଥିଲା ଏବଂ କେଉଁ ସବୁ ଦୋକାନକୁ ମଦ ଯାଉଥିଲା ତାହା ସ୍ପଷ୍ଟ ହୋଇପାରୁ ନାର୍ହିଁ । ମଦ ପ୍ରସ୍ତୁତ କରିବା ପରେ ଅଭିଯୁକ୍ତ ମାନେ କିଛି ବିଦେଶୀ ମଦ ଦୋକାନକୁ ଯୋଗାଉଥିଲେ । ସେହି ମଦ ଦୋକାନକୁ ଧରିବା ଅବକାରୀ ଗୁଇନ୍ଦା ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଚ ହୋଇଛି ।


Comments are closed, but trackbacks and pingbacks are open.