ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ:ରକ୍ଷଣାବେକ୍ଷଣ ଅଭାବ, ବହୁ କୋଠା ଜରାଜୀର୍ଣ୍ଣ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): କେଉଁଠି ଛାତରୁ କଙ୍କ୍ରିଟ୍ ଖସି କଳଙ୍କିଲଗା ଲୁହା ଛଡ଼ ଦେଖାଯାଉଛି । କେଉଁଠି ଛାତ, କାନ୍ଥରୁ ସିମେଣ୍ଟ ପଲସ୍ତରା ପଲସ୍ତରା ଖସିବାରେ ଲାଗିଛି । ବର୍ଷା ହେଲେ ଶିଉଳି କାନ୍ଥସାରା ଛାଇ ଯାଉଛି । କେଉଁଠି ଅବସ୍ଥା ଏମିତି ଯେ ଟିକେ ଜୋର୍ ଦେଲେ କାନ୍ଥ ସହଜରେ ଭୁଶୁଡ଼ି ପଡ଼ିବ, ଭାଙ୍ଗିବା ପର୍ଯ୍ୟନ୍ତ ଅଧିକ ଅପେକ୍ଷା କରିବାକୁ ପଡ଼ିବନି । ଅନେକ ଜାଗାରେ ତ କାନ୍ଥ ସାରା ଲଟାବୁଦା ମାଳି ଯାଇଛି । କେଉଁଠି ଠିକ୍ କାନ୍ଥକୁ ଲାଗି ବିରାଟକାୟ ଗଛ କାୟା ମେଲାଇଛି । ଜୋର୍ରେ ବର୍ଷା ହେଲେ ପାଣି କାନ୍ଥ ଗଳି ଟପ୍ ଟପ୍ ଝରୁଛି । କେତେବେଳେ ଯେ ତାହା ଧସି ପଡ଼ିବ କହିହେଉନି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନେକ କୋଠାକୁ ନେଇ ଏମିତି ବିପଦ ଆଶଙ୍କା କରୁଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ।
ଏସବୁ ବିପଦସଙ୍କୁଳ ଆଶଙ୍କା କରାଯାଉଥିବା କୋଠା ମଧ୍ୟରେ ରହିଛି ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ରହୁଥିବା କ୍ୱାର୍ଟର୍ସ, ଶିକ୍ଷାଦାନ କରାଯାଉଥିବା ଶ୍ରେଣୀ କୋଠା ଆଦି । ୫୩ ବର୍ଷ ତଳେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରହିଛି ଏଭଳି ଅନେକ ପୁରୁଣା ହଷ୍ଟେଲ ଓ କ୍ୱାଟର ରହିଛି । ଅନେକ କୋଠା ଏବେ ସାଢ଼େ ୪ ଦଶନ୍ଧିରୁ ଅଧିକ ପୁରୁଣା । ଅଥଚ ଏହାର ରକ୍ଷଣାବେକ୍ଷଣ, ଉପଯୁକ୍ତ ସମୟରେ ଆବଶ୍ୟକ ମରାମତି ପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେଇ ନୂତନ କୋଠା ନିର୍ମାଣ କରିବାରେ ବ୍ୟସ୍ତ । ଏହି ଅଞ୍ଚଳ ବାତ୍ୟାପ୍ରବଣ ଇଲାକା ଭାବେ ପରିଚିତ । ମାତ୍ର କିଛି କିମି ଦୂରରେ ରହିଛି ବଙ୍ଗୋପସାଗର । ଚଳିତ ଦଶନ୍ଧିରେ ହିଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଫାଇଲିନ୍, ହୁଡୁହୁଡୁ, ତିତ୍ଲି, ଫୋନି ବାତ୍ୟାର ସମ୍ମୁଖୀନ ହୋଇଛି । ପ୍ରବଳ ବର୍ଷା ଓ ପ୍ରଚଣ୍ଡ ବେଗର ପବନ ହେତୁ କୋଠାଗୁଡ଼ିକ ବାରମ୍ବାର କ୍ଷତିଗ୍ରସ୍ତ ହେଉଛି ।
ମଙ୍ଗଳବାର ଦିନ ୩୦ ବର୍ଷ ପୁରୁଣା ସାବେରୀ ଛାତ୍ରୀନିବାସର ଛାତ ଭୁଶୁଡ଼ି ପଡ଼ିଥିଲା । ସେହି ଘଟଣା ପର ଠାରୁ ବର୍ତ୍ତମାନ ପୁରୁଣା ହଷ୍ଟେଲମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ, କ୍ୱାର୍ଟରରେ ରହୁଥିବା କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ଲାଗି ରହୁଛି । ପ୍ରଥମ ଛାତ୍ରାବାସ ଋଷିକୁଲ୍ୟା ୧୦୨ ରୁମ୍ ବିଶିଷ୍ଟ, ଯେଉଁଥିରେ ପ୍ରାୟ ୯୩ ଜଣ ଛାତ୍ର ରହୁଛନ୍ତି । ପ୍ରାୟ ୪୫ ବର୍ଷର ଏହି ହଷ୍ଟେଲ ଛାତର ଅନେକ ସ୍ଥାନରୁ ପାଣି ଗଳୁଛି । ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଗଛ ବଢି ପାଣି ଲିକ୍ କରୁଛି । ଛାତର ପଲସ୍ତରା ଖସୁଥିବା ବେଳେ କାନ୍ଥ ସନ୍ତେଇ ରହୁଛି । ଛାତ ଏବଂ କାନ୍ଥରେ ଗଛ ଚେର ଲମ୍ବିବାରେ ଲାଗିଛି । ମରାମତି ପ୍ରତି ଦୃଷ୍ଟି ନଦେଲେ କୋଠାଟି କେତେବେଳେ ଅଘଟଣର କାରଣ ସାଜିବ କହି ହେଉଛି । ସେହିପରି ପୁରୁଣା ଲେଡିସ ହଷ୍ଟେଲ ମହେନ୍ଦ୍ର ତନୟା ପ୍ରାୟ ୪୧ ବର୍ଷ ପୁରୁଣା । ୮୫ ରୁମ୍ ବିଶିଷ୍ଟ । ବାହାରକୁ ଚିକ୍କଣ, ଭିତରେ ଫମ୍ପା । ପଲସ୍ତରା ଖସିବା ସହ କାନ୍ଥ ଦୁର୍ବଳ ହେବାରେ ଲାଗିଲାଣି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ (ଭଞ୍ଜବିହାର)ରେ ଛାତ୍ରାବାସ ୬ଟି ଏବଂ ଛାତ୍ରୀନିବାସ ୯ଟି, କ୍ୱାର୍ଟର ପ୍ରାୟ ୩୦୦ ରହିଛି । ଏଥିମଧ୍ୟରୁ ଭୂତ କୋଠା (ଅବ୍ୟବହୃତ ଅବସ୍ଥାରେ) ପ୍ରାୟ ୨୦ଟି ଥିବା ଜଣାପଡ଼ିଛି । ଗତ ଖରା ଛୁଟିରେ ହଷ୍ଟେଲ ଖାଲି କରିବାକୁ ନୋଟିସ କରାଯାଇଥିଲା । କାରଣ ହଷ୍ଟେଲ ମରାମତି କରାଯିବ ବୋଲି ଦର୍ଶାଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । କିନ୍ତୁ ସେହିଭଳି ଆଖିଦୃଶିଆ ମାରମତି କାମ ହୋଇନଥିବା ଜଣାପଡ଼ିଛି । କେବଳ ସଫାସୁତରା କରାଯାଇଛି । ଏପରିକି ଚୁନ ମାରିବା, ବିଦ୍ୟୁତ୍ ଯନ୍ତ୍ରାଂଶ ମରାମତି ଆଦି ଠିକ୍ଠାକ୍ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଅନେକ ଛାତ୍ରଛାତ୍ରୀ । ଏ ବାବଦରେ ଋଷା ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ କୁଳପତି ଛୁଟିରେ ରହିଥିବାରୁ ଫାଇଲ୍ ସ୍ୱାକ୍ଷର ହୋଇ ପାରିନି । ଏଣୁ ସେହି ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ପ୍ରତ୍ୟେକ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ମାନେ ୧୦ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରି ଯାହାକିଛି ମରାମତି କରିଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ତୁରନ୍ତ ବୈଷୟିକ ଟିମ୍ ଦ୍ୱାରା କ୍ୟାମ୍ପସ୍ର ସମସ୍ତ ହଷ୍ଟେଲ୍, କ୍ୱାର୍ଟର୍ସ ଓ ଅନ୍ୟ କୋଠା ଯାଞ୍ଚ କରି ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠା ଖାଲି କରାଯିବା ଆବଶ୍ୟକ । ନଚେତ୍ ସାବେରୀ ଛାତ୍ରୀନିବାସ ବା ତା ଠାରୁ ମଧ୍ୟ ଗୁରୁତର ଅଘଟଣ ଘଟି ଜୀବନହାନୀ ହେବାର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons