ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

Get real time updates directly on you device, subscribe now.

ବ୍ୟାସନଗର,(ବି.ବି.ନୁ୍ୟଜ୍): ଯାଜପୁର ରୋଡରେ ଧଳାଜହରର ଚାହିଦା ବଢ଼ୁଛି । ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ପ୍ରତ୍ୟେକ ଦିନ ବାଲେଶ୍ୱରରୁ ବ୍ରାଉନ ସୁଗାର(ଧଳାଜହର) ଯାଜପୁର ରୋଡକୁ ଆସୁଛି । କିଛି ପୁରୁଣା ଏବଂ କିଛି ନୂଆ ଗ୍ରାହକଙ୍କୁ ନେଇ କାରବାର ଚାଲିଛି । ପୁଲିସ ମାତ୍ର ୬ମାସ ଭିତରେ ବହୁ ପରିମାଣର ଧଳାଜହର ଜବତ୍ କରିବା ସହିତ ଏକାଧିକ ଲୋକଙ୍କୁ ଗିରଫ ମଧ୍ୟ କରିଛି । କିନ୍ତୁ ନିଶା କାରବାରର ମାଷ୍ଟର ମାଇଣ୍ଡ ବୋଲାଉଥିବା ବ୍ୟକ୍ତିର ନେଟୱାର୍କ କମିବାକୁ ନାଁ ଧରୁନି । ଆଜି ଯାଜପୁର ରୋଡ ପୁଲିସ ଆଉ ଜଣେ ଯୁବକକୁ ଗିରଫ କରିଛି । ଧଳାଜହର କାରବାରରେ ସଂପୃକ୍ତ ଏହି ଯୁବକ ଠାରୁ ପୁଲିସ ୩୫ଟି ପୁଡ଼ିଆ(ଓଜନ ୨.୫ଗ୍ରାମ) ଯାହାର ଆନୁମାନିକ ମୂଲ୍ୟ ୧୦ହଜାର ଟଙ୍କା ଏବଂ ନଗଦ ୭ହଜାର ୮ଶହ ଟଙ୍କା ଜବତ କରିଛି ।
ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସୂଚନା ମୁତାବକ ପୁଲିସ ବ୍ରାଉନସୁଗାର କାରବାର ଉପରେ ତୀକ୍ଷ୍ଣ ନଜର ରଖିଛି । ସେଥିପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଛାପା ପଡ଼ୁଛି । ଗୁରୁବାର ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ ଦଳ ବୁଲୁଥିବା ବେଳେ ପଦ୍ମପୁର ଅଞ୍ଚଳର ଅଜୁ ଓରଫ ପ୍ରକାଶ ଦାସ(୩୩)କୁ ସନେ୍ଦହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ । ଅଜୁକୁ କାବୁ କରି ପୁଲିସ ଯାଞ୍ଚ କରିବା ବେଳେ ତାନିକଟରୁ ୩୫ଟି ଧଳାଜହର ପୁଡ଼ିଆ ବାହାରିଥିଲା । ବାଲେଶ୍ୱର ବ୍ରାଉନସୁଗାର ମାଫିଆଙ୍କ ସଂସ୍ପର୍ଶରେ ଥିବା ଅଜୁ ପ୍ରତ୍ୟେକ ଦିନ ନୂଆ ନୂଆ ଯୁବକକୁ ବେପାରରେ ସାମିଲ କରିବାର ଦାୟିତ୍ୱ ବହନ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଫଳରେ ପୁଲିସ ଅଜୁ ବିରୋଧରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବା ସହିତ ଯାଜପୁର ରୋଡରେ ସକ୍ରିୟ ଥିବା ବ୍ରାଉନସୁଗାର ବେପାରିଙ୍କୁ ଠାବ କରିବା ନିମନ୍ତେ ଜାଲ ବିଛାଇଛି । ବିଶେଷ କରି କିଛି ଦିନ ତଳେ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଥିବା ଜଣେ ଯୁବକ ଜାମିନରେ ଆସି ପୁନର୍ବାର ଏହି କାରବାରରେ ସାମିଲ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ସାପଗଡ଼ିଆରୁ ଧରାପଡ଼ିଥିବା ଅଜୁ ବ୍ରାଉନସୁଗାର ବ୍ୟବସାୟର ମାଷ୍ଟରମାଇଣ୍ଡ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons