ଲଣ୍ଡନ: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ବିରୋଧରେ ଅନ୍ତିମ ଯୁଦ୍ଧର ଶୁଭାରମ୍ଭ ହୋଇଛି । ବ୍ରିଟେନରେ ମଙ୍ଗଳବାର ଠାରୁ କରୋନା ଟିକାକରଣ ଆରମ୍ଭ କରାଯାଇଛି । କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ପୂର୍ଣ୍ଣ ବିକଶିତ ଟିକାର ସାମୂହିକ ଟିକାକରଣ ଆରମ୍ଭ କରିଥିବା ଦେଶ ଭାବେ ବ୍ରିଟେନ ଇତିହାସ ସୃଷ୍ଟି କରିଛି । ଫାଇଜର ଏବଂ ବାୟୋଏନ୍ଟେକ କମ୍ପାନି ଦ୍ୱାରା ବିକଶିତ ଟିକା(ବିଏନ୍ଟି୧୬୨ବି୨)ର ଜରୁରିକାଳୀନ ବ୍ୟବହାର ପାଇଁ ବ୍ରିଟେନ ସରକାର କିଛିଦିନ ତଳେ ଅନୁମତି ପ୍ରଦାନ କରିଥିଲେ । ବ୍ରିଟେନ ଇତିହାସରେ ଏହା ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ହେବ ବୋଲି ସରକାର ଘୋଷଣା କରିଛନ୍ତି ।
ଦେଶର ୫୦ଟି ଡାକ୍ତରଖାନାରେ ଟିକାକରଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ୨୧ ଦିନ ବ୍ୟବଧାନରେ ୨ଟି ଡୋଜ ଟିକା ଦିଆଯିବ । ବ୍ରିଟେନ ପକ୍ଷରୁ ଫାଇଜରକୁ ୪ କୋଟି ଟିକା ବରାଦ କରାଯାଇଛି । କିନ୍ତୁ ପ୍ରଥମ ସପ୍ତାହରେ ଫାଇଜର ୮୦,୦୦୦ ଟିକା ଯୋଗାଇଦେବ । ଯାହା ଦେଶର ୪୦,୦୦୦ ଲୋକଙ୍କର ଟିକାକରଣ ପାଇଁ ଯଥେଷ୍ଟ ହେବ ।
ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତି, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବେ । ଏଥିନିମନ୍ତେ ବ୍ରିଟେନ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି । ଡିସେମ୍ବର ଶେଷ ସୁଦ୍ଧା ୪ ଲକ୍ଷ ଲୋକଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫାଇଜର ଟିକାକୁ ବିଯୁକ୍ତ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ରହିଛି । ଏଥିନିମନ୍ତେ ହସ୍ପିଟାଲମାନଙ୍କରେ ଶୀତଳ ଭଣ୍ଡାର ବ୍ୟବସ୍ଥା ହୋଇଛି ।
୯୦ ବର୍ଷୀୟା ମାର୍ଗାରେଟ୍ କିନାନଙ୍କଠାରୁ ବି୍ରଟେନର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମାର୍ଗାରେଟ୍ ପ୍ରଥମ ମହିଳା ଭାବେ ବିଶ୍ୱର ପ୍ରଥମ ପୂର୍ଣ୍ଣ ବିକଶିତ କରୋନା ଟିକା ନେଇଛନ୍ତି । ଲଣ୍ଡନ ସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିଲା । ଏକ ସପ୍ତାହ ପରେ ୯୧ ବର୍ଷ ବୟସରେ ପାଦ ଥାପିବାକୁ ଯାଉଥିବା ମାର୍ଗାରେଟ୍ ଟିକା ନେବା ପରେ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି । ଏହା ତାଙ୍କ ଜନ୍ମ ଦିନରେ ସବୁଠାରୁ ଭଲ ଉପହାର ବୋଲି ସେ ଜଣାଇଛନ୍ତି ।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟିକାକରଣ ଆରମ୍ଭ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଆଜି ବ୍ରିଟେନ କରୋନା ଭାଇରସ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଟିକା ବିକଶିତ କରିଥିବା ବୈଜ୍ଞାନିକ ଏବଂ ଟିକା ପରୀକ୍ଷଣରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କୁ ଏଥିପାଇଁ ଧନ୍ୟବାଦ । ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ଟିକା ପହଞ୍ଚିବାକୁ ଆହୁରି ଅଧିକ ସମୟ ଲାଗିବ । ଏଣୁ ସେ ପର୍ଯ୍ୟନ୍ତ ସମସ୍ତେ ଧୈର୍ଯ୍ୟର ସହ ଲକ୍ଡାଉନ ନିୟମ ପାଳନ କରିବା ସହ ସତର୍କ ରହିବାକୁ ସେ ଅପିଲ କରିଛନ୍ତି ।
Comments are closed, but trackbacks and pingbacks are open.