ବଢ଼ିଲା ସାରଥିଙ୍କ ସଙ୍କଟ:ବାରିମୂଳ ଆଶ୍ରମରେ ଝୁଲିଲା ‘ଇଡି’ ନୋଟିସ୍

Get real time updates directly on you device, subscribe now.

କେନ୍ଦ୍ରାପଡା,(ବି.ବି.ନ୍ୟୁଜ୍): ୨୦୧୭ ମାର୍ଚ୍ଚ ଶେଷାର୍ଦ୍ଧରେ ଆତ୍ମଘୋଷିତ ‘ଗଡ୍ମ୍ୟାନ୍’ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ସାମ୍ରାଜ୍ୟ ଓ ସମ୍ପତ୍ତିକୁ ନିଜ ପଞ୍ଝା ଭିତରକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଏନ୍ଫୋର୍ସମେଣ୍ଟ୍ ଡିରେକ୍ଟୋରେଟ୍ (ଇଡି) । ଭକ୍ତଙ୍କ ଦାନରେ ଗଢ଼ି ଉଠିଥିବା ସୁରମ୍ୟ ମନ୍ଦିର ବା ସାରଥି ଆଶ୍ରମ ସହ ସନ୍ତୋଷଙ୍କ ମୋଟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଆଇନଗତ ଭାବେ ବାଜ୍ୟାପ୍ତ ବା ଆଟାଚ୍ କରିଥିଲା । ଆଜି ସେସବୁ ସମ୍ପତ୍ତି ଉପରେ ‘ଦଖଲ’ ନୋଟିସ୍ ଝୁଲାଇଛି ଇଡି । ବିନାନୁମତିରେ ସେଠାରେ ସର୍ବସାଧାରଣଙ୍କ ଚଳାଚଳ ଓ ପ୍ରବେଶ ଉପରେ କଟକଣା ଜାରି କରିବା ସହ, ସମ୍ପତ୍ତି ହସ୍ତାନ୍ତର, ବିକ୍ରିବଟା ମନା ବୋଲି ନୋଟିସ୍ ବୋର୍ଡ ଜରିଆରେ ଖୋଲାଖୋଲି ଘୋଷଣା କରିଛି ।
ଦୁଇ ଦିନ ତଳେ ସନ୍ତୋଷ ରାଉଳ ଓରଫ ସାରଥି ଜାମିନ୍ରେ ମୁକୁଳିବା ପରଠାରୁ ତାଙ୍କ ସମର୍ଥକ, ଅନୁଗତ ଭକ୍ତ ବାହିନୀ ଚଳଚଞ୍ଚଳ ହୋଇଉଠିଛନ୍ତି । ଏପରିକି କେତେକ ସ୍ଥାନରେ ତାଙ୍କ ପୂଜାର୍ଚ୍ଚନା କରିବାକୁ ବି ଯୋଜନାରେ ଲାଗିପଡ଼ିଛନ୍ତି । ଅନ୍ୟପଟେ ଏସବୁକୁ ବିରୋଧ କରିବାକୁ ଉଦ୍ୟମ ଚଳାଇଛନ୍ତି କେନ୍ଦ୍ରାପଡ଼ାର ଅନେକ ଲୋକ । ତେଣୁ କାଳେ କିଛି ଅଘଟଣ ହେବ ସେହି ଆଶଙ୍କାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ସକ୍ରିୟ ହୋଇପଡ଼ି ଆଜି ଅଚାନକ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ଇଡି ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି କେନ୍ଦ୍ରାପଡ଼ା ବାରିମୂଳର ସାରଥି ଆଶ୍ରମରେ ପହଞ୍ôଚ ନୋଟିସ୍ ବୋର୍ଡ ଝୁଲାଇଛନ୍ତି । ସାରଥି ଆଶ୍ରମ ଓ ତାହାର ଆଖାପାଖ ୨୬ଟି ପ୍ଲଟ୍ ଉପରେ ଇଡ଼ି ଜାରି କରିଛି କଟକଣା । ଆଶ୍ରମ ଓ ତା’ ପାଖକୁ ଲାଗିଥିବା ପ୍ଲଟ୍ ବିକ୍ରି ହୋଇପାରିବନି । ଉକ୍ତ ବିବାଦୀୟ ଜମିର ଖର୍ଦ୍ଦିବିକ୍ରି ହୋଇପାରିବନି ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ଉକ୍ତ ଜମିରେ କୌଣସି ଅନଧିକାର ପ୍ରବେଶ ବି ହୋଇପାରିବନି, କାରଣ ଇଡି ସମସ୍ତ ସମ୍ପତ୍ତିକୁ ଦଖଲକୁ ନେଇସାରିଛି ।
ତେବେ ଇଡି ସର୍ବସାଧାରଣଙ୍କ ପ୍ରବେଶ, ବିକ୍ରି କଟକଣା ନେଇ ନୋଟିସ୍ ଜାରି କରିଥିଲେ ହେଁ ଆଶ୍ରମର ଅନ୍ଦର ମହଲରେ ସାରଥିଙ୍କ ମା’, ତାଙ୍କର ଦୁଇ ସେବାକାରୀ ରହିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସମୟରେ ସାରଥିଙ୍କର ସମ୍ପର୍କୀୟ ଏବଂ ଅନୁଗତମାନେ ଆଶ୍ରମ ପଛ ପାଖ ଫାଟକ ଦେଇ ଏଠାକୁ ଚଳାଚଳ କରୁଥିବାର ଅଭିଯୋଗ ହେଉଛି । ଏଣୁ ଇଡ଼ି ଜାରି କରିଥିବା ନୋଟିସ୍ ବୋର୍ଡର ମାନେ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସର୍ବସାଧାରଣଙ୍କ ଜାଣିବା ନିମନ୍ତେ ଏଠାକୁ ଗତାଗତ ନିଷିଦ୍ଧ ବୋଲି ନୋଟିସ୍ରେ ସୂଚନା ଦିଆଯାଇଥିବାବେଳେ ଆଶ୍ରମ ଭିତରେ ତାଙ୍କ ମା’, ସେବାକାରୀ କେମିତି ରହିବେ? ଯେତେବେଳେ କି ସାରଥିଙ୍କର ପୈତୃକ ସମ୍ପତ୍ତି, ଘର ରହିଛି । ବାରିମୂଳରେ ତାଙ୍କ ସମ୍ପର୍କୀୟମାନେ ବି ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି । କୌଣସି ପରିବାର ସଦସ୍ୟ, ଆତ୍ମୀୟଙ୍କ ବିନା ହେପାଜତରେ ସାରଥିଙ୍କ ବୃଦ୍ଧା ମା’, ସେବାକାରୀଙ୍କୁ ଆଶ୍ରମ ଭିତରେ ରହିବାକୁ କିପରି ଛାଡ଼ି ଦିଆଗଲା ତାହା ଏବେ ସାଧାରଣରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ଇଡି ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ପଚାରିବାରୁ ସେ କହିଛନ୍ତି ଆଶ୍ରମରେ ରହୁଥିବା ସାରଥିଙ୍କ ମା’, ସେବାକାରୀଙ୍କୁ ସେଠାରୁ ବାହାର କରାଯିବା ବାବଦରେ ଆମକୁ କୌଣସି ନିର୍ଦ୍ଦେଶ ନାହିଁ । ନିର୍ଦ୍ଦେଶ ଆସିଲେ ସେକଥା ଚିନ୍ତା କରାଯିବ ।
୨୦୧୫ ଅଗଷ୍ଟ ୭ରେ ସାରଥି ଓରଫ ସନ୍ତୋଷ ନିଜ ଆଶ୍ରମ ପରିସରରୁ ବିଭିନ୍ନ ମାମଲାରେ ଗିରଫ ହେବା ପରେ ଆଶ୍ରମର ଅଚଳାଚଳ ସମ୍ପତ୍ତି ଉପରେ କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଚଳାଇ ରଖିଥିଲା । ପୁଣି ସାରଥି ଏତେ ସବୁ ସମ୍ପତ୍ତିର ମାଲିକ କେମିତି ବନିପାରିଲେ ତାହା ପରେ ଇଡିର ତଦନ୍ତ ପରିସରଭୁକ୍ତ ହୋଇଥିଲା । ବାବା ଜାମିନରେ ମୁକୁଳିବା ପରେ ତାଙ୍କ ଭକ୍ତମାନେ ଆଶ୍ରମରେ ପହଞ୍ôଚ ଗହଳି ଜମାଇବା ଆଶଙ୍କା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରବରିଆ ଭାବେ ନୋଟିସ୍ ବୋର୍ଡ ଝୁଲାଇଥିବା କୁହାଯାଉଛି । ଏଥିଯୋଗୁ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ବି ଆଶଙ୍କା ରହିଥିବା ଭାବୁଛି ବିଭାଗ । ତେଣୁ ଆଉ ବିଳମ୍ୱ ନକରି ସାରଥି ଜାମିନରେ ମୁକୁଳିବାର ୨ ଦିନ ପରେ ତରବରିଆଭାବେ ଆଶ୍ରମ ବାହାରେ ନୋଟିସ୍ ଫଳକ ଆଜି ପୋତିଦେଇଛି । ତେବେ ବାରିମୂଳ ଗ୍ରାମରେ ଥିବା ସାରଥିଙ୍କର ପୈତୃକ ସମ୍ପତ୍ତି ଇଡି ଦଖଲରୁ ବାଦ୍ ପଡ଼ିଛି ।
୨୦୧୭ ମାର୍ଚ୍ଚ ୨୮ରେ ଇଡି ସାରଥିଙ୍କର ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଦଖଲକୁ ନେଇଥିଲା । ଏଥିରେ ବାରିମୂଳଠାରେ ଥିବା ସାରଥି ଆଶ୍ରମ, ଭୁବନେଶ୍ୱରରେ ଥିବା ଦୁଇଟି ସୁରମ୍ୟ ଅଟ୍ଟାଳିକା ଥିଲା । ସେଥିରେ ପୁଣି ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ଜଣାପଡ଼ିଥିଲା । ପରେ ହିସାବ କରି, ସାରଥି ଆଶ୍ରମର ମନ୍ଦିର, ସୁଦୃଶ୍ୟ ଫାଟକ, ମୂର୍ତ୍ତି ଆଦିକୁ ଛାଡ଼ିଦେଲେ ଅନ୍ୟାନ୍ୟ କୋଠାବାଡ଼ିର ମୂଲ୍ୟ ୪ କୋଟି ୪୮ଲକ୍ଷ ୩୪ ହଜାର ବୋଲି ଦର୍ଶାଇଥିଲା କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ । ୩୭୬୦ ବର୍ଗଫୁଟ ଅଞ୍ଚଳ ପରିମିତ ମୁଖ୍ୟ ପ୍ରାସାଦର ମୂଲ୍ୟ ୧ କୋଟି ୧୮ଲକ୍ଷ ୧୮ ହଜାର ୪୭୧ ଟଙ୍କା ଆକଳନ ହୋଇଥିଲା । ଆଶ୍ରମରେ ପାଠାଗାର ଭବନ ଓ ଆବାସିକ ଗୃହ ଲାଗି ୬୯ ଲକ୍ଷ ୨୫ ହଜାର ୬୭୦ ଟଙ୍କା ଖର୍ଚ୍ଚ କରାଯାଇଛି । ୧୭୧୬ ବର୍ଗଫୁଟରେ ନିର୍ମିତ ତ୍ରିତଳ ଲଜ୍ ବାବଦକୁ ଖର୍ଚ୍ଚ ହୋଇଛି ୯୪ ଲକ୍ଷ ୩୩ ହଜାର ୨୩୭ ଟଙ୍କା । ଅଭ୍ୟର୍ଥନା କକ୍ଷ ପାଇଁ ୧୭ ଲକ୍ଷ ୫ ହଜାର ୯୬୧ ଟଙ୍କା, ନୂଆ ଓ ପୁରୁଣା ପ୍ରବଚନ ମଣ୍ଡପ, ପାଇପ, ଲୁହା ଆଙ୍ଗଲର ମୂଲ୍ୟ ୪୨ ଲକ୍ଷ ୨୫ ହଜାର ୪୦୩ ଟଙ୍କା, ୧୬୬୭ ବର୍ଗଫୁଟରେ ନିର୍ମିତ ଚତୁପାଶ୍ୱର୍ ପ୍ରାଚିର ନିର୍ମାଣ ନିମନ୍ତେ ୨୭ଲକ୍ଷ ୫୫ହଜାର ୨୧୮ ଟଙ୍କା, ୮୪ ହଜାର ୯୧୮ ବର୍ଗଫୁଟ ବ୍ୟାପ୍ତ ସିମେଣ୍ଟ ଚଟାଣ ଓ ୬୫୧୪୮ ବର୍ଗ ଫୁଟର ଗାଡ଼ି ରହଣି ସ୍ଥଳର ମୂଲ୍ୟ ୭୯ ଲକ୍ଷ ୭୧ ହଜାର ୩୦ ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଏହି ବଜେଟ ମଧ୍ୟରେ ସ୍ନାନାଗାର ଲାଗି ସ୍ୱତନ୍ତ୍ର ଭାବେ ୧୫ ଲକ୍ଷ ଟଙ୍କା, ବୈଦ୍ୟୁତିକ ସାଜ ସରଞ୍ଜାମ ବାବଦକୁ ୫ ଲକ୍ଷ ୧୭ ହଜାର ୭୫୨ ଟଙ୍କା ବ୍ୟୟ ହୋଇଛି । ୭୨ ହଜାର ୮ ଶହ ଟଙ୍କାର ଟାଇଲ, ୩ ଲକ୍ଷ ୫୧ ହଜାର ୫୦୦ ଟଙ୍କାର ମାର୍ବଲ, ଜିପ୍ସମ୍ ବୋର୍ଡ ସିଲିଂ ଲାଗି ୨ ଲକ୍ଷ ୮୪ ହଜାର ୯୮୪ ଟଙ୍କା ଖର୍ଚ୍ଚ କରାଯାଇଛି । ଭିତରେ ଥିବା କଂକ୍ରିଟ ମୂର୍ତ୍ତି ଯଥା ଶ୍ରୀଗଣେଶ, ଗରୁଡ଼ ସ୍ତମ୍ଭ, ଦୁଇଟି ହଂସ, କୁମ୍ଭୀର, ହରିଣ, କଇଁଛ, ଗୟଳ, ମୟୂର, ଭାଲୁ, ବାଘ, ଜିରାଫ, ନୃସିଂହ ଠାକୁର, ମହାଲକ୍ଷ୍ମୀ, ଧେନୁ ଉପବେଶିତ ଭଗବାନ ଶ୍ରୀକୃଷ୍ଣ ଆଦିର ମୂଲ୍ୟ ୨୭ ଲକ୍ଷ ୫୫୦ ହଜାର ୨୧୭ ଟଙ୍କା ସମ୍ପତ୍ତି ଆକଳନ ରିପୋର୍ଟରେ ଦର୍ଶାଯାଇଛି । ସାରଥିଙ୍କ ଆଶ୍ରମ ଶୟନ କକ୍ଷରେ ଥିବା ସପ୍ତଫେଣୀ ପଲଙ୍କର ଦାମ ପ୍ରାୟ ୧୨ ଲକ୍ଷ ଟଙ୍କା ।
ତେବେ ଇଡିର ସମ୍ପତ୍ତି କବ୍ଜାକୁ ବିରୋଧ କରି, ସମ୍ପତ୍ତି ଉପରେ ନିଜ ଅଧିକାର ଜାହିର କରି ଏବଂ ତାଙ୍କ ନାମରେ ଲାଗିଥିବା ବିଭିନ୍ନ ଦଫାକୁ କୋହଳ କରିବାକୁ ପ୍ରାର୍ଥନା କରି ସନ୍ତୋଷ ଓରଫ ସାରଥି ଖୁବ୍ ଶୀଘ୍ର ହାଇକୋର୍ଟରେ ମାମଲା ଦାଏର୍ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଅଦାଲତରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ବିଚାର ଶେଷ ହେବାଯାଏ ଜବତ ସମସ୍ତ ସମ୍ପତ୍ତିକୁ ତାଙ୍କ ହେପାଜତରେ ରଖାଯିବାକୁ ସେ ଆବେଦନ କରିବାକୁ ଚିନ୍ତା କରୁଛନ୍ତି । ଏ ସଂପର୍କରେ ଏବେ ଆଇନଗତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ତେବେ ଇତିମଧ୍ୟରେ ସନ୍ତୋଷ ରାଜ୍ୟ ବାହାରକୁ ଚାଲିଯାଇଥିବା, ହୁଗୁଳି ନଦୀ କୂଳ କୋଲକାତାରେ ଏକ ଛଅ ମହଲା ଫ୍ଲାଟ୍ରେ ରହୁଥିବା ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ସେ ଅସୁସ୍ଥ ଥିବାରୁ ସେଠାରେ ନିଜ ଚିକିତ୍ସା କରୁଥିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ନିଜ ଅନ୍ତରଂଗମାନଙ୍କ ସହ ବିଚାରବିମର୍ଶ ଚଳାଇଥିବା କୁହାଯାଉଛି । ତେବେ ସନ୍ତୋଷଙ୍କ ରାଜ୍ୟ ବାହାରେ ଅବସ୍ଥାନ ସଂପର୍କରେ ତାଙ୍କ ଆଇନଜୀବୀ ମାନସ ଚାନ୍ଦଙ୍କୁ ପ୍ରଶ୍ନ କରାଯିବାରେ ସେ କହିଛନ୍ତି କି’ କୋର୍ଟଙ୍କ ସର୍ତ୍ତ ମୁତାବକ କ୍ରାଇମବ୍ରାଞ୍ଚକୁ ଅବଗତ କରି ତାଙ୍କ ମହକିଲ ଏବେ ରାଜ୍ୟ ବାହାରେ ଅଛନ୍ତି । ଏଥିରେ ଅସୁବିଧା କିଛି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons