ଭାଇର କଟା ମୁଣ୍ଡ ଧରି ଥାନାରେ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନ୍ୟୁଜ୍): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ଭାଇ ସାନ ଭାଇକୁ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିଦେଇଛି । ତାପରେ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି । ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ଆଜି ସମ୍ବଲପୁର ସହର ଉପକଣ୍ଠ ତିଲେଇମାଳ ଗାଁରେ । ନିଜର କକା ପୁଅ ସାନ ଭାଇ ସତ୍ୟନାରାୟଣ ମୁଣ୍ଡା (୪୦)କୁ ଟାଙ୍ଗିଆରେ ହାଣିଛି ଉଜ୍ଜ୍ୱଳ ମୁଣ୍ଡା(୫୫) । କଟା ମୁଣ୍ଡକୁ ଧରି ସେ ୫ ଘଣ୍ଟା କାଳ ରାଜରାସ୍ତାରେ ବୁଲିବା ପରେ ଏକ ଝୁଲାରେ କଟା ମୁଣ୍ଡକୁ ଆଣି ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଛି । ଏହି ଘଟଣା ଆଜି ସାରା ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଉଜ୍ଜ୍ୱଳ ମୁଣ୍ଡା(୫୫)କୁ ପୁଲିସ ଗିରଫ କରିଛି, ଆସନ୍ତାକାଲି କୋର୍ଟଚାଲଣ କରିବ ବୋଲି ସୂଚନା ମିଳିଛି ।
ସଂକର୍ମା ତିଲେଇମାଲ ଅଞ୍ଚଳର ସତ୍ୟନାରାୟଣ ମୁଣ୍ଡା(୪୦) ସ୍ଥାନୀୟ ଅଞ୍ଚଳରେ ଜଣେ ଶ୍ରମିକ ଭାବେ କାମ କରନ୍ତି । ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଘରେ ବିଶ୍ରାମ ନେଉଥିଲେ । ପ୍ରତ୍ୟେକ ଦିନ ପରି ପରିବାର ସହ ଗତକାଲି ରାତ୍ରି ଭୋଜନ ପରେ ପତ୍ନୀ ଲକ୍ଷ୍ମୀଙ୍କ ବାରଣ ସତ୍ତେ୍ୱ ପ୍ରବଳ ଗରମ ହେତୁ ଘର ବାହାରେ ଶୋଇବାକୁ ବାହାରିଥିଲେ । ଆଜି ସକାଳ ପ୍ରାୟ ୫ଟା ବେଳେ ଲକ୍ଷ୍ମୀ ଘର ଝାଡୁ ମାରିବା ବେଳେ ଘର ଅଗଣାରେ ମଶାରି ଭିତରେ ଶୋଇଥିବା ସ୍ୱାମୀଙ୍କ ମୁଣ୍ଡ ବିହୀନ ମୃତ ଦେହ ଦେଖି ବେହୋସ ହୋଇଯାଇଥିଲେ ।
ସଙ୍ଗେ ସଙ୍ଗେ ସେ ତାଙ୍କ ଭାଇକୁ ଡାକିଥିଲେ । ଏପଟେ ଖବର ବିଜୁଳି ବେଗରେ ଖେଳିଯିବା ପରେ ଲୋକାରଣ୍ୟ ହୋଇଯାଇଥିଲା ପୂରା ଗାଁ । ଖବର ପାଇ ଅଇଁଠାପାଲି ଥାନା ଆଇଆଇସି ଏବଂ ସଦର ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ଘଟଣାସ୍ଥଳରେ ପହଞ୍ଚିଥିଲେ । ବୀଭତ୍ସ ଭାବେ ମୁଣ୍ଡକୁ କାଟି ଦିଆ ଯାଇଥିବା ବେଳେ କଟା ମୁଣ୍ଡ ଗାଏବ ଥିବା ଜଣାପଡିଥିଲା । ଖବର ପାଇ ସମ୍ବଲପୁର ଏସ୍ପି ସଞ୍ଜୀବ ଆରୋରାଙ୍କ ସହ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ସେପଟେ କଟା ମୁଣ୍ଡ ଉଦ୍ଧାର ପାଇଁ ପୁଲିସ ଏବଂ ଶତାଧିକ ଗ୍ରାମବାସୀ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ତଥାପି କୌଣସି ସନ୍ଧାନ ପାଇନଥିଲେ । ଏପରିକି ସନ୍ଧାନୀ କୁକୁର ବି ଟେର୍ ପାଇ ନଥିଲା ।
ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳକୁ ଅଇଁଠାପାଲି ଥାନା ସମ୍ମୁଖ ଗେଟ୍ ବାହାରେ ଜଣେ ଅଜଣା ବୃଦ୍ଧ ବ୍ୟକ୍ତି ଏକ ବ୍ୟାଗ୍ ଏବଂ କୁରାଢି ଧରି ଦୀର୍ଘ ସମୟ ବସି ରହିଥିବା ପୁଲିସର ନଜର ପଡ଼ିଥିଲା । ଉକ୍ତ ବ୍ୟାଗ୍କୁ ଯାଞ୍ଚ କରିବା ପରେ ସେଥିରେ ମୃତ ସତ୍ୟନାରାୟଣଙ୍କ କଟା ମୁଣ୍ଡ ଥିବା ଜଣାପଡିଥିଲା । ଆଉ ଏହି କଟାମୁଣ୍ଡ ଧରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ଉଜ୍ଜ୍ୱଳ ମୁଣ୍ଡା ବୋଲି ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଡାକିବା ପରେ ଉଜ୍ଜ୍ୱଳ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଏହାପରେ ହତ୍ୟାକାଣ୍ଡର ଗୁମର ଖୋଳିଛି ।
ଅଭିଯୁକ୍ତ ଉଜ୍ଜ୍ୱଳର କହିବା କଥା ଯେ ସତ୍ୟନାରାୟଣ ହେଉଛନ୍ତି କକା ପୁଅ ଭାଇ । ଗତ କିଛି ଦିନ ତଳେ ଜମିବାଡି ବିବାଦକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅବଶ୍ୟ କିଛି ଦିନ ପରେ ଏହାର ସମାଧାନ ହୋଇଯାଇଥିବା ବେଳେ ଉଭୟ ମିଶିକି ରହିଥିଲେ । କିନ୍ତୁ ଏହି ଗଣ୍ଡଗୋଳକୁ ନେଇ ଉଜ୍ଜ୍ୱଳଙ୍କ ମନରେ ପ୍ରତିଶୋଧର ନିଆଁ କୁହୁଳୁଥିଲା । ଗତକାଲି ରାତିରେ ସତ୍ୟନାରାୟଣ ଏକୁଟିଆ ଘର ଅଗଣାରେ ଶୋଇଥିବା ବେଳେ ତାକୁ ସବୁଦିନ ରାସ୍ତାରୁ ହଟାଇ ଦେବା ପାଇଁ ଉଚିତ ମନେ କରି ରାତି ପ୍ରାୟ ୩.୪୫ରେ ଏକ ଟାଙ୍ଗିଆ ସାହାଯ୍ୟରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା । ହତ୍ୟା କରିବା ପରେ ବ୍ୟାଗରେ କଟା ମୁଣ୍ଡକୁ ଧରି ସେ ଫେରାର ହୋଇଯାଇଥିଲା । ତେବେ, ଅନ୍ୟ କିଛି ରାସ୍ତା ନପାଇ ଶେଷରେ ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଉଜ୍ଜ୍ୱଳ ।
ପୁଲିସ କଟାମୁଣ୍ଡକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସ୍ଥଳରେ ପହଞ୍ଚିବା ପରେ ବୁର୍ଲା ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୁଲିସ ଆଇପିସିର ଧାରା ୩୦୨, ୨୦୧ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଉଜ୍ଜ୍ୱଳକୁ ଆସନ୍ତାକାଲି କୋର୍ଟଚାଲାଣ କରିବ ବୋଲି ସୂଚନା ଦେଇଛି । ୧୩ ବର୍ଷ ତଳେ ସହରର କାନିଜୁରୀରେ ଏଭଳି ଏକ ଘଟଣା ଘଟିଥିଲା । ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ହତ୍ୟାକାରୀ ସହରର ରାଜରାସ୍ତାରେ କଟାମୁଣ୍ଡର ଚୁଟି ଏବଂ ଟାଙ୍ଗିଆ ଧରି ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କରିବା ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons