ପୁରୀ,(ବି.ବି.ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି ଅବରୋଧ ହଟାଯିବା ପାଇଁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ତିନିଥାକିଆ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମାଜିଷ୍ଟ୍ରେଟମାନେ ପ୍ରତ୍ୟେକ ଉଚ୍ଛେଦ ସ୍ଥାନରେ ଉପସ୍ଥିତ ଥିଲେ । ଜିଲ୍ଳାପାଳ ବଲୱନ୍ତ ସିଂ ଏବଂ ଏସ୍ପି ଉମାଶଙ୍କର ଦାଶଙ୍କ ତତ୍ତ୍ୱାବଧାନରେ ସଶସ୍ତ୍ର ପୁଲିସ ବାହିନୀର ପ୍ରହରା ମଧ୍ୟରେ ଅବରୋଧ ଉଚ୍ଛେଦ ହୋଇଥିଲା । ବଡ଼ଦାଣ୍ଡରେ ମରିଚକୋଟ ଛକ, ଶ୍ରୀକୃଷ୍ଣ ସିନେମା ଗଳି, ରଜା ନଅରଠାରେ ଅଧିକ ପୁଲିସ ଜଗିରହିଥିଲେ । ଶ୍ରୀମନ୍ଦିର ଚାରିକଡ଼େ ପୁଲିସ ଛାଉଣି ଥିଲା । ଭଙ୍ଗା ହେଉଥିବା ସ୍ଥାନକୁ ସମ୍ପୂର୍ଣ୍ଣ କର୍ଡନ ଭିତରେ ରଖାଯାଇଥିଲା । ସକାଳ ଛଅଟାରୁ ଆରମ୍ଭ ହୋଇଥିବା ଅବରୋଧ ଉଚ୍ଛେଦ ରାତି ୮ଟାରେ ବନ୍ଦ ହୋଇଥିଲା ।
ଶ୍ରୀମନ୍ଦିର ପୂର୍ବପାଖରୁ ଜୋତା ଷ୍ଟାଣ୍ଡ,ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର, ସିଂହଦ୍ୱାର ଫାଣ୍ଡି, ଲଙ୍ଗୁଳି ମଠ କାନ୍ଥ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା କେନ୍ଦ୍ର, ଗୋଟିଏ ବେସରକାରୀ ଅବରୋଧକୁ ଭାଙ୍ଗି ଦିଆଯାଇଛି । ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ ପାଖରୁ ଶୌଚାଳୟ, ସାମାନ ଘର, ଖଜା ଦୋକାନ ଭଙ୍ଗା ଯାଇଛି । ଦକ୍ଷିଣ ଦ୍ୱାର ପାଶ୍ୱର୍ ହନୁମାନ ମନ୍ଦିର ଏବଂ ଗୋଟିଏ ଛୋଟ ମନ୍ଦିରକୁ ଛାଡି ମେଘନାଦ ପାଚେରିର ସମସ୍ତ ଅବରୋଧକୁ ପ୍ରଥମ ଦିନରେ ହଟାଇ ଦିଆଯାଇଛି । ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ରୁ ସେସୁ ଅଫିସକୁ ଭଙ୍ଗାଯାଇଛି । ଭଙ୍ଗାଭଙ୍ଗି ଅଭିଯାନ ଆସନ୍ତାକାଲି ବି ଜାରିରହିବ ।
ଆସନ୍ତାକାଲି ମେଘନାଦ ପାଚେରି ଉତ୍ତର ଦିଗରୁ ଅବରୋଧ ଉଚ୍ଛେଦ କରାଯିବ । ଲୋକଙ୍କ ସହଯୋଗରୁ ପ୍ରଥମ ଦିନର ମେଘନାଦ ପାଚେରି ଅବରୋଧ ଶୃଙ୍ଖଳାର ସହ ଶେଷ ହୋଇଛି ବୋଲି ପ୍ରଶାସନ କହିଛି ।
ଆଉ ଦୁଇ ଦିନ ମଧ୍ୟରେ ମେଘନାଦ ପାଚେରିର ସମସ୍ତ ଅବରୋଧ ଉଚ୍ଛେଦ ଶେଷ କରାଯିବାକୁ ଆକ୍ସନ ପ୍ଳାନ ହୋଇଛି । ମେଘନାବ ପାଚେରିକୁ ଅବରୋଧ ଉଚ୍ଛେଦ ଅଭିଯାନ ଆସନ୍ତାକାଲି ଭୋର ୬ଟାରୁ ପୁଣି ଆରମ୍ଭ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଜିର ଅବରୋଧ ଉଚ୍ଛେଦ ଅଭିଯାନର ସଫଳତା ଏବଂ ଦୁର୍ବଳତାକୁ ପ୍ରଶାସନ ସମୀକ୍ଷା କରିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ନୋଟିସ ଏବଂ ହାଇକୋର୍ଟଙ୍କ ୨୦୧୨ ଆଦେଶ ଆଧାରରେ ଏହି ଅବରୋଧ ଉଚ୍ଛେଦ ଚାଲିଛି । ଜାତୀୟ ଐତିହ୍ୟ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଆଇନ ଆଧାରରେ ୨୦୧୦ରୁ ଏଏସଆଇ ଅବରୋଧ ଉଚ୍ଛେଦ କରିବାକୁ ଜବରଦଖଲକାରୀଙ୍କୁ ନୋଟିସ ଦେଇଥିଲା । ଏହି ନୋଟିସ ଆଧାରରେ ଉଚ୍ଛେଦ କରିବାକୁ ବାରମ୍ବାର ଏଏସ୍ଆଇ ପ୍ରଶାସନର ସହଯୋଗ ଲୋଡିଥିଲା ।
ଅବଢ଼ା ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଥମ କିସ୍ତିରେ ୧୦୦ କୋଟି ଟଙ୍କା ଅନୁଦାନ ଆସିଥିଲା । ଏହି ଟଙ୍କା ବିନିଯୋଗରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଏବଂ ସହରର ୬ଟି ପ୍ରମୁଖ ରାସ୍ତାର ବିକାଶ ପରିକଳ୍ପନା ରହିଥିଲା । ଶ୍ରୀମନ୍ଦିର ଚାରିପାଖ ଅବରୋଧ ହଟୁ ନଥିବାରୁ ସୌନ୍ଦର୍ଯ୍ୟ କରଣ ଅଟକି ରହିଛି । ଏହି ପୃଷ୍ଠଭୂମିରେ ଅବରୋଧ ଉଚ୍ଛେଦ ଅଭିଯାନର ଗୁରୁତ୍ୱ ରହିଛି । ସେହିଭଳି ସୁପ୍ରିମକୋର୍ଟଙ୍କ ସୁପାରିସ ଆଧାରରେ ଶ୍ରୀମନ୍ଦିର ପରିକ୍ରମା ପଥ ନିର୍ମାଣ ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବକୁ ଗତ ବର୍ଷ ଅଗଷ୍ଟ ମାସରେ ମନ୍ଦିର ପରିଚାଳନା କମିଟି ଅନୁମୋଦନ ଦେଇଥିଲା । ତଦନୁସାରେ ଚଳିତ ଅବରୋଧ ଉଚ୍ଛେଦକୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି ।
Comments are closed, but trackbacks and pingbacks are open.