ଭିଜିଲାନ୍ସ ଚଢ଼ଉ: ସରପଞ୍ଚଙ୍କ ସମ୍ପତ୍ତି ଦେଢ଼ କୋଟି

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): କୋଟିପତି ସରପଞ୍ଚ । ତିନୋଟି କୋଠା, ଦୁଇଟି ଦାମୀ କାର୍ ଓ ୬୧୫ ଗ୍ରାମ୍ ସୁନା ଅଳଙ୍କାର ଭଳି ଅନେକ ସମ୍ପତ୍ତିର ମାଲିକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କୋରାଡ଼ା ସରପଞ୍ଚ ଉଷାନ୍ତ ସାହୁ । ତାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ ପରେ ଠାବ ହୋଇଛି ଦେଢ଼ କୋଟି ଟଙ୍କାର ସମ୍ପତ୍ତି । ଏହାସହ ଯାଞ୍ଚ ସମୟରେ ଗୋଟିଏ ବନ୍ଧୁକ ଓ ୬ଟି ଗୁଳି ମିଳିଛି । ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ଏହି ସୂଚନା ଦେଇଛି । ଏଥିରୁ କେତେ ଆୟ ବହିର୍ଭୂତ ତାର ହିସାବ ନିକାଶ ଚାଲିଛି ।
ଆଙ୍କୋରଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସରେ କେସ୍ ନମ୍ବର ୧/୨୦୧୯ରେ ମାମଲା ରୁଜୁ ହୋଇଥିଲା । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରଣ୍ଟ ଜାରି ହେବା ପରେ ସରପଞ୍ଚଙ୍କ ଦିଗପହଣ୍ଡି ନୀଳାଦ୍ରି ବିହାର ଅଞ୍ଚଳା କଲୋନୀ ୨ୟ ଲାଇନ୍ରେ ଥିବା ଦୁଇ ମହଲା ବାସଭବନ, ଦିଗପହଣ୍ଡି ପୁଞ୍ଜିକଇଁଆ ଛକରେ ଥିବା ତିନି ମହଲା କୋଠା, ପୋଡ଼ାମାରି ରୋଡ଼ରେ ଥିବା ଗ୍ୟାରେଜ୍ ଘର, ରାଜପୁରରେ ଥିବା ଘର ଏବଂ ଆଙ୍କୋରଡ଼ା ପଞ୍ଚାୟତରେ ଥିବା ସରପଞ୍ଚଙ୍କ ଅଫିସରେ ଚଢ଼ଉ କରାଯାଇଥିଲା । ୨୦୦୮ରୁ ୨୦୧୮ ମଧ୍ୟରେ ବିଭିନ୍ନ ଜାଗାରେ କିଣା ଯାଇଥିବା ୧୧ଟି ପ୍ଲଟ୍ ଯାହାର ମୂଲ୍ୟ ୧୦, ୩୪, ୭୪୫, ରାଜପୁର ମୌଜାରେ ଥିବା ୯, ୫୧, ୧୯୨ ଟଙ୍କାର କୋଠା, ଦିଗପହଣ୍ଡି ଏନ୍ଏସିରେ ଥିବା ଦୁଇ ମହଲା କୋଠା ଯାହାର ମୂଲ୍ୟ ୧୪, ୫୨, ୦୩୬ ଟଙ୍କା, ଦିଗପହଣ୍ଡିରେ ୨୫, ୦୭, ୭୬୦ ଟଙ୍କାର ତିନିମହଲା କୋଠା ପ୍ରମୁଖ ସ୍ଥାବର ସମ୍ପତ୍ତି ଠାବ ହୋଇଛି । ସେହିପରି ଅର୍ଚ୍ଚନା କଲୋନୀ ଘରୁ ୮, ୧୦, ୨୮୧ଟଙ୍କାର ଘରକରଣା ସାମଗ୍ରୀ, ୧୩, ୮୯, ୬୨୯ ଟଙ୍କାର ଗୋଟିଏ ବୋଲେରୋ, ୧୮, ୪୫, ୪୦୫ ଟଙ୍କାର ଗୋଟିଏ ଏସ୍ୟୁଭି କାର୍, ୧.୫୦ ଲକ୍ଷ ଟଙ୍କାର ଗୋଟିଏ ବୁଲେଟ୍, ୭୧ ହଜାର ଟଙ୍କାର ଗୋଟିଏ ବାଇକ୍, ୧୦.୩୦ଲକ୍ଷ ଟଙ୍କାର ସୁନା ଗହଣା, ୩୦ ହଜାର ଟଙ୍କାର ରୁପା, ୨୮, ୭୯, ୫୫୮ ଟଙ୍କାର ବିଭିନ୍ନ ବ୍ୟାଙ୍କ୍ରେ ଜମାରାଶି, ନଗର ୪୪, ୬୦୦ ଟଙ୍କା ଏବଂ ବିଭିନ୍ନ ସଂସ୍ଥାରେ ୫ ଲକ୍ଷ ଟଙ୍କାର ବୀମା ଜାମା ହୋଇଥିବା ଯାଞ୍ଚ ସମୟରେ ଜଣାପଡ଼ିଛି । ଦିଗପହଣ୍ଡି ଅଞ୍ଚଳା କଲୋନୀ ବାସ ଭବନରେ ଠାକୁର ଘର ଯାଞ୍ଚ ସମୟରେ ଭିଜିଲାନ୍ସ ଗୋଟିଏ ମାଉଜର ଓ ୬ଟି ଗୁଳି ପାଇଛି । ଏହି ମାଉଜର ରଖିବା ପାଇଁ ସରପଞ୍ଚଙ୍କ ପାଖରେ ଲାଇସେନ୍ସ ନାହିଁ ବୋଲି ଏସ୍ପି ସ୍ୱାଇଁ କହିଛନ୍ତି । ଏହା ସେ କେତେ ଟଙ୍କା ଦେଇ କିଣିଛନ୍ତି ତାହା ତଦନ୍ତ କରାଯାଉଛି । ଦିଗପହଣ୍ଡି ଥାନାରେ ବନ୍ଧୁକ ଦିଆଯିବ ଓ ଏ ନେଇ ଆଉ ଏକ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି । ୬୧, ୫୩, ୨୭୦ ଟଙ୍କାର ସ୍ଥାବର ଓ ୮୭, ୫୧, ୨୭୩ ଟଙ୍କାର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି ।
ଉଷାନ୍ତ ସାହୁ ୨୦୦୭ରୁ ୨୦୧୨ ଆଙ୍କୋରଡ଼ା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ରେ ପୁଣି ଉଷାନ୍ତ ସାହୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ନବରଙ୍ଗପୁରରେ ଥିବା ସରପଞ୍ଚ ସାହୁଙ୍କ ପୈତୃକ ଘର ଯାହାର ମୂଲ୍ୟ ୩.୮୫ଲକ୍ଷ ଟଙ୍କା ଆକଳନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons