ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷାଧିକାରୀ

Get real time updates directly on you device, subscribe now.

ପୁରୀ, (ବି.ବି.ନ୍ୟୁଜ୍): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ. ହୃଷିକେଶ କାଣ୍ଡି । ୧୨ ତାରିଖ ସନ୍ଧ୍ୟାରେ ସେ ଏକ ଏସ୍ୟୁଭିରେ ୧ ଲକ୍ଷ ୧୧ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରି ଟଙ୍କା ଜବତ କରିଛି । ଟଙ୍କା କେଉଁଠୁ ଆସିଲା ତାହାର ବିବରଣୀ ଠିକ୍ ଭାବେ ଦେଇପାରିନଥିଲେ ଡ.କାଣ୍ଡି । ପରେ ଚଢ଼ଉ ଜୋରଦାର ଚାଲିଥିଲା । ଶୁକ୍ରବାର ସନ୍ଧ୍ୟାରେ କୋଣାର୍କ-ମାଳତିପାଟପୁର ବାଇପାସ୍ ନିକଟରେ ପୁରୀରୁ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କ ଗାଡ଼ିକୁ ଅଟକାଇ ଏହି ଏହି ଟଙ୍କା ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ଉ ଥିଲା । ଶିକ୍ଷକଙ୍କ ବଦଳି ଅଟକାଇବା, ଚାକିରି ସ୍ଥାୟୀ କରିବା ନେଇ ସେ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।
ପୂର୍ବରୁ ଏହି ଅଧିକାରୀ ବାଲେଶ୍ୱରରେ ଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏ ନେଇ ଭିଜିଲାନ୍ସରେ ମାମଲା ମଧ୍ୟ ରହିଛି । ଘଟଣା ପରେ ପୁରୀକୁ ବଦଳି ହୋଇ ଆସିଥିଲେ । ହେଲେ ଅସାଧୁ କାରବାର ବନ୍ଦ ହୋଇନଥିଲା । ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶେଷରେ ଏକ ବଡ଼ ଅର୍ଥ ରାଶି ସହ ଏହି ଅଧିକାରୀଙ୍କୁ ଭିଜିଲାନ୍ସ ହେପାଜତକୁ ନେଇଛି । ଏନେଇ ଭିଜିଲାନ୍ସ ମାମଲା ରୁଜୁ କରିଛି ।
ଗୋଟିଏ ଟିମ୍ ଏହି ଅଧିକାରୀଙ୍କ କାର୍କୁ ପିଛା କରି ଧରିବା ପରେ ଅନ୍ୟ ଗୋଟିଏ ଟିମ୍ ଭୁବନେଶ୍ୱର ଡୁମୁଡୁମାରେ ଥିବା ତାଙ୍କ ଫ୍ଲାଟ୍ରେ ଚଢ଼ଉ କରିଥିଲା । ସେଠାରୁ ବହୁ ପରିମାଣର ସୁନା, ରୁପା ଅଳଙ୍କାର ଜବତ କରିଛି । ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଦସ୍ତାବିଜ୍କୁ ମଧ୍ୟ ଜବତ କରିଛି । ଦ୍ୱିତୀୟ ଶନିବାର, ରବିବାର ଥିବା ଯୋଗୁ ବ୍ୟାଙ୍କରେ ମହଜୁଦ ଟଙ୍କା ନେଇ ଖୋଳତାଡ଼ ହୋଇପାରି ନଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହାର ବିଶଦ ବିବରଣୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି । ସେହିପରି ଏହି ଅଧିକାରୀଙ୍କ ସରକାରୀ ଅଫିସ୍ ଓ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିଭିନ୍ନ ଜିନିଷ, ଟଙ୍କା ଜବତ କରିଛି । ଭୁବନେଶ୍ୱରରେ ଥିବା କୋଠା ଓ ପ୍ଲଟର ମୂଲ୍ୟ ଟେକ୍ନିକାଲ ଟିମ୍ ନିର୍ଦ୍ଧାରଣ କରିବ ବୋଲି କୁହାଯାଇଛି । ଜବତ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons