ଜଳେଶ୍ୱର,(ବି.ବି.ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଜଣେ କଲେଜ କିରାଣିଙ୍କ ଘରୁ ୧କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ଠାବ କରିଛି । ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ ଭୂୟାଁଙ୍କ ନୂଆବଜାର ସ୍ଥିତ ବାସଭବନ, ମହାବିଦ୍ୟାଳୟର କାର୍ଯ୍ୟାଳୟ, ଶ୍ୱଶୁରଘର ଗାଁ ଖାଲିନା, ପୈତୃକ ବାସଭବନ ଆରୁହା, ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ସବ୍ଡିଭିଜନ ଅନ୍ତର୍ଗତ ବିଜାତଳା ବ୍ଲକର ଲୁଲାସିଳା ଉଚ୍ଚ ବାଳିକା ବିଦ୍ୟାଳୟରେ ଏକ ସଙ୍ଗେ ଦିନ ତମାମ ଚଢ଼ଉ କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ ଏସପି ଏସ୍.ସି ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଭିଜିଲାନ୍ସ ଅଧିକାରୀ ଓ ୧୦ଜଣ ସରକାରୀ ରାଜ ସାକ୍ଷୀ ଉପସ୍ଥିତ ଥିଲେ । ଭିଜିଲାନ୍ସ ଡିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ନେତୃତ୍ୱରେ ଆଜି ଭୋର ୫ଟାରେ ଜଳେଶ୍ୱର ଅଞ୍ଚଳରେ ୪ଟି ଟିମ୍ ଏହି ଚଢ଼ଉ କାର୍ଯ୍ୟକ୍ରମ କରିଥିଲେ । ତରଣୀ ଭୂୟାଁଙ୍କ ଜଳେଶ୍ୱର ବାସଭବନରେ ଡିଏସପି ଶ୍ରୀ ଦାସମହାପାତ୍ର, ଡିଏସପି ସନ୍ତୋଷ କୁମାର ସାମନ୍ତ, ଇନ୍ସ୍ପେକ୍ଟର ଅନିରୁଦ୍ଧ ନାୟକ, ଇନ୍ସପେକ୍ଟର ମାନସୀ ଜେନା, ଭିଜିଲାନ୍ସ କର୍ମଚାରୀ ଓ ୨ଜଣ ସରକାରୀ ସାକ୍ଷୀଙ୍କୁ ନେଇ ଚଢ଼ଉ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତାଙ୍କ ଆରୁହା ବାସଭବନରେ ଇନ୍ସ୍ପେକ୍ଟର ସୁଲୋଚନା ନାୟକ, ଖାଲିନା ସ୍ଥିତ ଶ୍ୱଶୁର ଘରେ ଇନ୍ସ୍ପେକ୍ଟର ଭାଗ୍ୟଲକ୍ଷ୍ମୀ ପୁହାଣ, ଜଳେଶ୍ୱର ମହିଳା କଲେଜରେ ଇନ୍ସପେକ୍ଟର ସିକନ୍ଦର ହେମ୍ବ୍ରମ୍ଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଲୁଲାସିଳା ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ (ତରଣୀ ଭୂର୍ୟାଙ୍କ ସ୍ତ୍ରୀ ରେଣୁବାଳା କର)ଙ୍କ ବାସଭବନରେ ଇନ୍ସ୍ପେକ୍ଟର ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଚଢ଼ଉ କାର୍ଯ୍ୟକ୍ରମ ହୋଇଥିଲା । ଟିମ୍ ଲିଡର ଶ୍ରୀ ଦାସମହାପାତ୍ରଙ୍କ ସୂତ୍ରରୁ ପ୍ରକାଶ, କିରାଣି ଶ୍ରୀ ଭୂୟାଁଙ୍କ ସମ୍ପତ୍ତି ୧କୋଟି ୨୦ଲକ୍ଷ ୪୯ହଜାର ୮୮୦ଟଙ୍କା ବୋଲି ଜଣାଯାଇଛି । ତାଙ୍କ ଘରୁ ନଗଦ ୬ହଜାର ୭ଶହ ଟଙ୍କା, ୧ଲକ୍ଷ ୯୫ହଜାର ଟଙ୍କା ମୂଲ୍ୟର ୬୫ ଗ୍ରାମ ସୁନା ଅଳଙ୍କାର, ୮ଲକ୍ଷ ଟଙ୍କାର ଜମି କିଣାଯାଇଥିବା କାଗଜପତ୍ର ଜବତ୍ ହୋଇଛି । ଜଳେଶ୍ୱର ସ୍ଥିତ ଘରର ମୂଲ୍ୟ ୮୧ଲକ୍ଷ ଟଙ୍କା ହୋଇଥିବା ବେଳେ ୧୦ଲକ୍ଷ ଟଙ୍କା ମୂଲ୍ୟର ଜୀବନବୀମା ପଲିସି ଓ ଏକ ଇନୋଭା କାର୍ ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରକାଶ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଏହି ଚଢ଼ଉ ଜାରି ରଖିଛନ୍ତି ।
Comments are closed, but trackbacks and pingbacks are open.