ଭିସା ଷ୍ଟିଲ ବନ୍ଦ:ଛଟେଇ ହେଲେ ୩୫୦ ଶ୍ରମିକ

Get real time updates directly on you device, subscribe now.

କଳିଙ୍ଗନଗର,(ବି.ବି.ନ୍ୟୁଜ୍): ରୁଗ୍ଣ ଅବସ୍ଥାରେ ଥିବା କଳିଙ୍ଗନଗରସ୍ଥିତ ଭିସା ଷ୍ଟିଲ କାରଖାନା ଆଜି ତା’ର ସମସ୍ତ ୟୁନିଟ୍କୁ ବନ୍ଦ କରିଦେଇଛି । କାରଖାନାର ମୋଟ୍ ୬ଟି ୟୁନିଟ୍ ମଧ୍ୟରୁ ପ୍ରାୟ ୨ବର୍ଷ ହେବ ବ୍ଲାଷ୍ଟ ଫର୍ଣ୍ଣେସ, ଏସ୍ଏମ୍ଏସ୍ ଫର୍ଣ୍ଣେସ୍ ଓ ରୋଲିଂ ମିଲ୍ ବନ୍ଦ ରହିଥିଲା । ଆର୍ଥିକ ସଂକଟ ଯୋଗୁ କିଛି ଦିନ ହେବ ସ୍ପଞ୍ଜ ଆଇରନ୍ ବନ୍ଦ ହୋଇଯାଇଥିଲା । ଫେରୋକ୍ରୋମ୍ ସାଇଟ୍ର ୫ଟି ଫର୍ଣ୍ଣେସ ମଧ୍ୟରୁ ୨ଟି ଚାଲୁଥିବା ବେଳେ ଆଜି ଏହି ଦୁଇଟିକୁ କମ୍ପାନୀ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି । ଫଳରେ ପାୱାର ପ୍ଲାଣ୍ଟଟି ଆପେଆପେ ବନ୍ଦ ହୋଇଯାଇଛି । କାରଖାନା ସଂପୂର୍ଣ୍ଣ ମଧ୍ୟ ହୋଇଯିବାରୁ ପ୍ରଥମ ଦଫାରେ ୩୫୦ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି । ଏଥି ନିମନ୍ତେ ଆଜି କମ୍ପାନୀ ପକ୍ଷରୁ ନୋଟିସ୍ ଲଗାଇ ଦିଆଯାଇଛି । କମ୍ପାନୀରେ କାର୍ଯ୍ୟରତ ଥିବା ଅନ୍ୟ ୩ହଜାରରୁ ଅଧିକ ଶ୍ରମିକଙ୍କ ଭାଗ୍ୟ ଏବେ ଅନିଶ୍ଚିନ୍ତତା ମଧ୍ୟକୁ ଚାଲି ଆସିଛି । \nକାରଖାନା ବନ୍ଦ ହେବାର ଏକ ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ଫେରୋକ୍ରୋମ୍ ମୂଲ୍ୟ ଉତ୍ପାଦନ ଠାରୁ ୧୫ହଜାର କମ୍ ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ସମସ୍ତ ଫେରୋକ୍ରୋମ୍ ଉତ୍ପାଦନକାରୀ ସଂସ୍ଥାର ନିଜସ୍ୱ ଖଣି ନଥିବାରୁ ଓଡ଼ିଶା ଖଣି ନିଗମ ଠାରୁ କଞ୍ଚାମାଲ କିଣିବାକୁ ପଡ଼ୁଛି । ଅନ୍ତର୍ଜାତୀୟ ବଜାରରେ ଫେରୋକ୍ରୋମ୍ର ମୂଲ୍ୟ କମିଥିଲେ ବି ଓଏମ୍ସି କଞ୍ଚାମାଲ ମୂଲ୍ୟ କମାଉ ନାହିଁ । ଯାହାର ପ୍ରଭାବ ସିଧାସଳଖ କମ୍ପାନୀ ଉପରେ ପଡ଼ୁଛି । ସେହିପରି ଗତ ୩ଦିନ ହେଲାଣି ଆଉ ଏକ ସମସ୍ୟା ସମସ୍ତ ଫେରୋକ୍ରୋମ୍ କମ୍ପାନୀଙ୍କୁ ଘାଇଲା କରିଛି । ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ଏବେ ଉଦ୍ୟମ ଆରମ୍ଭ କରିଛି । ଏହାକୁ ବିରୋଧ କରି ଲୋଡିଂ ଶ୍ରମିକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେଉଁଥି ପାଇଁ ଖଣିରୁ କଞ୍ଚାମାଲ ଆସିପାରୁନାହିଁ । ଫଳରେ ସମସ୍ତ ଫେରୋକ୍ରୋମ୍ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ ଭିସା ଷ୍ଟିଲ ଆଜି ବନ୍ଦ ହୋଇଯାଇଛି । \nକାରଖାନା ବନ୍ଦ ହୋଇଯିବାରୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଥମ ଦଫାରେ ୩୫୦ ଶ୍ରମିକଙ୍କୁ ଛଟେଇ କରିଛି । ମୈଥାନ ବନ୍ଦ ଯୋଗୁ ୧୨୦୦ ଶ୍ରମିକଙ୍କ ପରିବାର ସଂକଟରେ ଗତି କରୁଥିବା ବେଳେ ୟାଜଦାନୀର ୬୨ଶ୍ରମିକ ଓ ଏବେ ଭିସାର ୩୫୦ଶ୍ରମିକ ପରିବାର ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯାଇଛି । ଏହାକୁ ନେଇ ଅନ୍ୟ ଶ୍ରମିକମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons