ବୁର୍ଲା,(ବି.ବି.ନୁ୍ୟଜ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ୩ ଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ଘଟଣା ନେଇ ପ୍ରଥମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ଶନିବାର କୁଳପତି ପ୍ରଫେସର ବି.ବି.ପତି ଗଣମାଧ୍ୟମକୁ ସୂଚନା ଦେଇ ମୋଟ ୨୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା କହିଛନ୍ତି । ମାତ୍ର ଭିମ୍ସାରରେ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିବା ସମୟରେ ସେଠାରେ ୪୦ ଜଣ ଛାତ୍ରଙ୍କର ପଜିଟିଭ୍ ବାହାରିଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଭିସୁଟ୍ରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ, ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଭିସୁଟ୍ର ପୁଲହ ଛାତ୍ରାବାସର ‘ଡି’ ବ୍ଲକରେ ରଖାଯାଇଥିବା ବେଳେ ସଂଖ୍ୟା ବୃଦ୍ଧି ହେବାରୁ ସଂକ୍ରମିତଙ୍କୁ ଅନ୍ୟ ଏକ ଛାତ୍ରବାସକୁ ସ୍ଥାନାନ୍ତର କରାଯାଇଥିବା ନେଇ କୁଳପତି ପ୍ରଫେସର ପତି ‘ପ୍ରମେୟ’କୁ କହିଛନ୍ତି ।
ଯେଉଁସବୁ ଛାତ୍ରାବାସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଉକ୍ତ ଛାତ୍ରାବାସଗୁଡ଼ିକୁ ବିଶୋଧନ କରାଯାଉଥିବା ଜଣାପଡ଼ିଛି । ସେପଟେ, ଏହିସବୁ ଛାତ୍ରାବାସରେ ରହୁଥିବା ଆହୁରି ୧୦ରୁ ୧୨ ଜଣ ଛାତ୍ରଙ୍କର ଲକ୍ଷଣ ମଧ୍ୟ ପରିଲକ୍ଷିତ ହେଉଥିବା ଛାତ୍ରମାନେ ସୂଚନା ଦେଇଛନ୍ତି । ମାତ୍ର ସଂକ୍ରମଣ ନେଇ ବିଶ୍ୱବିଦ୍ୟାଳୟ ବାହାରେ କାହାକୁ କିଛି ଯେଭଳି ସୂଚନା ପ୍ରଦାନ କରାନଯାଏ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷ ତାଗିଦ୍ କରିଥିବା ଜଣାପଡ଼ିଛି ।
ବିଶ୍ୱବିଦ୍ୟାଳୟରେ ସଂକ୍ରମଣ ବୃଦ୍ଧି ପରେ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶନିବାର ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣା ପରେ ରବିବାରଠାରୁ ପ୍ରଥମ ସେମିଷ୍ଟାର୍ କ୍ଲାସ୍ ଅନ୍ଲାଇନ୍ ଯୋଗେ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ, ଅଫ୍ଲାଇନ୍ରେ ଚାଲିଥିବା ଦ୍ୱିତୀୟ, ଚତୁର୍ଥ, ଷÂ, ଅଷ୍ଟମ ଓ ଦଶମ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କର କ୍ଲାସ୍ ଆସନ୍ତା ୧୫ ତାରିଖ ଯାଏ ଅନ୍ଲାଇନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ସପ୍ତମ ସେମିଷ୍ଟାର୍ର ଅଫ୍ଲାଇନ୍ ପରୀକ୍ଷା ଜାରି ରହିଥିବା ବେଳେ ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଗୋଟିଏ ପଟେ ବିଶ୍ୱବିଦ୍ୟାଳୟରେ ସଂକ୍ରମଣ ହାର ବଢ଼ି ଚାଲିଥିବା ସମୟରେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ଅଫ୍ଲାଇନ୍ ପରୀକ୍ଷା ପୁଣିଥରେ ବିପଦକୁ ଡାକିପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଗତବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ଯୋଗୁ କ୍ୟାମ୍ପସରେ ସଂକ୍ରମଣ ବୃଦ୍ଧି ପାଇବା ସହ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ସଟ୍ଡାଉନ୍ ଘୋଷଣା କରାଯାଇଥିଲା । ମାତ୍ର ବର୍ତ୍ତମାନ ବିଭିନ୍ନ ଛାତ୍ରାବାସରେ ବଢ଼ି ଚାଲିଥିବା ସଂକ୍ରମଣ ପୂର୍ବସ୍ଥିତିକୁ ମଧ୍ୟ ଟପି ଯିବା ନେଇ ଏବେ ଆଶଙ୍କା ଦେଖାଦେଇଛି ।


Comments are closed, but trackbacks and pingbacks are open.