ପୁରୀ,(ବି.ବି.ନ୍ୟୁଜ୍): ମଙ୍ଗଳା ନଦୀକୁ ଆବର୍ଜନା କୁଣ୍ଡ କରି ଦିଆଯାଇଛି । ଲୋକଙ୍କ ବ୍ୟବହାରରେ ଏହା ଆଉ ଆସିପାରୁନି । ପ୍ରଦୂଷଣ କାରଣରୁ ଏହି ନଦୀରୁ ମାଛ, କଙ୍କଡ଼ା ଆଦି ଜଳଜୀବ ଶୂନ ହେବାକୁ ବସିଛି । ଶନିବାର ଏହାର ପୁଣି ଏକ ଉଦ୍ବେଗଜନକ ଛବି ନଜରକୁ ଆସିଛି । ବହୁ ପରିମାଣର ମାଛ, କଙ୍କଡ଼ା ମରି ଏହି ନଦୀରେ ଭାସୁଥିବା ଦେଖାଯାଇଛି ।
ପୁରୀ ସହରର ଗୋଟିଏ ପାଶ୍ୱର୍କୁ ଏହି ନଦୀ ଘେରି ରହିଛି । ଏହା ସହର ଭୂତଳ ମଧୁରଜଳ ସୁରକ୍ଷାର ମୁଖ୍ୟ ଅଙ୍ଗ ହୋଇଥିବା ବେଳେ ଅସଂଖ୍ୟ ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇ ପ୍ରାଣ ରକ୍ଷା କରିଥାଏ । ହେଲେ ଏବେ ଏହାର ଜଳ ଜହର ହୋଇଯାଇଛି । ଏହି ପ୍ରଦୂଷିତ ପାଣି ପିଇ ନଦୀର ମାଛ ସମେତ ବାଲୁଖଣ୍ଡ ଅଭୟାରଣ୍ୟର ପଶୁପକ୍ଷୀ ନିଶେଷ ହୋଇଯିବାକୁ ବସିଛନ୍ତି ।
ପ୍ରତିଦିନ ଏହି ନଦୀକୁ ପୁରୀ ସହରର ଲକ୍ଷ ଲକ୍ଷ ଲିଟର ମଇଳା ପାଣି ଛଡ଼ାଯାଉଛି । ମଙ୍ଗଳାନଦୀ ନିକଟରେ ହୋଇଥିବା ମଇଳା ବିଶୋଧନ ପ୍ଲାଣ୍ଟରୁ ମଇଳା ପାଣି ଏହି ନଦୀକୁ ଛଡ଼ା ଯାଇଥାଏ । ଏହାଛଡ଼ା ବିନା ବିଶୋଧନରେ ଅନେକ ନାଳ ଦେଇ ମଇଳା ପାଣି ନଦୀରେ ମିଶୁଛି । ଏବେ ନଦୀର ପାଣି କାଳିଆ କିଟିମିଟି । ଦୁର୍ଗନ୍ଧରେ ନାକ ଫାଟୁଛି । ନଦୀ ମାଟି କଳା ମଇଳା ପଙ୍କରେ ବଦଳି ଗଲାଣି । ଯେଉଁଠିକୁ ଗୋଡ଼ ଦେବା ମୁସ୍କିଲ । ଯେଉଁମାନେ ବାଧ୍ୟବାଧ୍ୟକତାରେ ଏହି ପାଣି ବ୍ୟବହାର କରୁଛନ୍ତି ସେମାନେ ମହାମାରୀର ଶିକାର ହେଉଛନ୍ତି । ମଇଳା ପାଣିକୁ ସ୍ୱତନ୍ତ୍ର ଭାବେ ଟାଙ୍କିରେ ରଖି ନଷ୍ଟ କରିବାକୁ ଏ ପର୍ଯ୍ୟନ୍ତ ପଦକ୍ଷେପ ନିଆଗଲା ନାହିଁ ।
Comments are closed, but trackbacks and pingbacks are open.