ମନ୍ଦିରା ଡ୍ୟାମ୍ ଖୋଲିଲା ୧୧ଟି ଗେଟ୍

Get real time updates directly on you device, subscribe now.

ରାଉରକେଲା଼,(ବି.ବି.ନ୍ୟୁଜ୍): ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା କାଂସବାହାଲ ଲାଇଙ୍ଗ ଠାରେ ଥିବା ମନ୍ଦିରା ଡ୍ୟାମ୍ର ସମସ୍ତ ୧୧ଟି ଗେଟ୍କୁ ଡ୍ୟାମ୍ କର୍ତ୍ତୃପକ୍ଷ ଖୋଲି ଦେଇଛନ୍ତି । ଫଳରେ ଶଙ୍ଖ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ପାଣି ପଶିଛି । ସେହିପରି ଉପରମୁଣ୍ଡରେ ବର୍ଷା ଯୋଗୁଁ ଇଛା ନଦୀର ବନ୍ୟାପାଣି ଆସିବା ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି ।
ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ମନ୍ଦିରା ଡ୍ୟାମ୍ କର୍ତ୍ତୃପକ୍ଷ ୫ଟି ଗେଟ୍ ରବିବାର ଅପରାହ୍ନରେ ଖୋଲିଥିଲେ । ମାତ୍ର ଡ୍ୟାମ୍ର ଉପର ମୁଣ୍ଡରୁ ପାଣି ମାଡ଼ି ଆସିବା ଯୋଗୁଁ ବାକି ୬ଟି ଗେଟ୍କୁ ରବିବାର ରାତି ୧୦ଟା ସମୟରେ ଡ୍ୟାମ୍ କର୍ତ୍ତୃପକ୍ଷ ଖୋଲି ଦେଇଥିଲେ । ଡ୍ୟାମ୍ର ସମସ୍ତ ୧୧ଟି ଗେଟ ଖୋଲା ଯିବା ଯୋଗୁଁ ଶଙ୍ଖ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ କୁଆରମୁଣ୍ଡା ଓ ପାନପୋଷର ବାଲୁଘାଟରେ ଘରେ ଘରେ ପାଣି ପଶି ଯାଇଛି । ମନ୍ଦିରା ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୯୦ ଫୁଟ୍ ରହିଥିବା ବେଳେ ଉପର ମୁଣ୍ଡରୁ ପାଣି ମାଡ଼ି ଆସିବା ଯୋଗୁଁ ଜଳସ୍ତର ୬୮୪ ଫୁଟରେ ପହଞ୍ଚିଥିଲା । ଫଳରେ ଡ୍ୟାମ୍ର ସମସ୍ତ ଗେଟ୍ ଖୋଲିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ । ଶଙ୍ଖ ନଦୀରେ ବନ୍ୟା ପାଣି ଆସିବା ଯୋଗୁଁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକ ପାଣିରେ ଫସି ଯାଇଥିଲେ । ଖବର ପାଇ କୁତ୍ରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରୁ ଯୁବକଙ୍କୁ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଉଦ୍ଧାର କରିଥିଲେ । ସେପଟେ କୋଏଲ ନଦୀର ଉପର ମୁଣ୍ଡ ଅର୍ଥାତ୍ ଝାଡଖଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀରେ ପାଣି ମାଡ଼ି ଆସିଥିଲା । ଫଳରେ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏହାର ଶାଖା ଦେଓ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିଲା । ଏହା ଯୋଗୁଁ ବିଶ୍ରା ବ୍ଲକର ତଳି ଅଞ୍ଚଳ ଜଳମଗ୍ନ ହେବା ସହ ନୂଆଗାଁରେ ଏକ ଆପ୍ରୋଚ ରୋଡ଼ ଧୋଇ ହୋଇଯାଇଛି । ଲୋକେ ଘର ଭିତରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବାଲୁଘାଟ ଅଞ୍ଚଳରେ ପାଣି ପଶିବା ଯୋଗୁଁ ପ୍ରାୟ ୫୦ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେମାନଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଥିଲା । କୁଆରମୁଣ୍ଡା ବ୍ଲକର ତଳିଆ ଅଞ୍ଚଳରେ ମଧ୍ୟ ପାଣି ପଶିଛି ।
ଇଛା ନଦୀରେ ବନ୍ୟାପାଣି ଆସି ସର୍ଗିପାଲି ଗ୍ରାମ ଭିତରେ ପଶିବା ସହ ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି । ଲେଫ୍ରିପଡ଼ା ବ୍ଲକରେ ଗତ ୧୭ ଓ ୧୮ ତାରିଖ ଦିନ ମୁସଳଧାରରେ ବର୍ଷା ହେବାରୁ ଏହି ନଦୀରେ ପ୍ରଥମ ବନ୍ୟା ପାଣି ଆସି ପ୍ରଥମେ ସୁରଗୁଡ଼ାରେ ତାଣ୍ଡବ ରଚିଥିଲା । ଏହାପରେ ଇଛା ନଦୀ କୂଳରେ ଅବସ୍ଥିତ ସର୍ଗିପାଲି ଗ୍ରାମ ଭିତରକୁ ବନ୍ୟାପାଣି ମାଡ଼ି ଆସିଥିଲା । ସର୍ଗିପାଲି ଗ୍ରାମର ଉପର ମୁଣ୍ଡରେ ରହିଛି ଏକ ହଜାରୁ ଊଦ୍ଧ୍ୱର୍ ଚାଷ ଜମି । ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ହେମଗିର ବ୍ଲକରେ ୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଲେଫ୍ରିପଡ଼ାରେ ୧୪୭, ଟାଙ୍ଗରପାଲିରେ ୨୫.୪, ସୁନ୍ଦରଗଡ଼ରେ ୨୧.୧, ସବଡେଗାରେ ୩୫, ବାଲିଶଙ୍କରାରେ ୮୨.୨, ବଡ଼ଗାଁରେ ୨୯.୬, କୁତ୍ରାରେ ୪୮.୬, ରାଜଗାଙ୍ଗପୁରରେ ୪୬.୪, କୁଆରମୁଣ୍ଡାରେ ୬୦.୨, ନୂଆଗାଁରେ ୧୫୩.୩, ବିଶ୍ରାରେ ୧୬୯.୪, ଲାଠିକଟାରେ ୪୧.୪, ବଣାଇଁରେ ୨୪, ଲହୁଣିପଡ଼ାରେ ୩୧, ଗୁରୁଣ୍ଡିଆରେ ୮ ଓ କୋଇଡା ବ୍ଲକରେ ୭୪ ମିଲିମିଟର ବର୍ଷା ହୋଇଛି । ତେବେ ଆଜି ସକାଳୁ ବର୍ଷା ଛାଡ଼ି ଯାଇଥିବା ବେଳେ ଖରାଟିଆ ପାଗ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons