ମରିଗଲେ ମାଛ, ବିଷପିଇ ସଙ୍କଟାପନ୍ନ କ୍ଷତିଗ୍ରସ୍ତ ମାଛଚାଷୀ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ୍): ଉଧାରିଥି ବନ୍ଧଟେ କୁଡେ଼ଇଥିଲି । ମାଛ ଜାଅାଁଳା ବି ଆନିଥିଲି । ହେଲେ କିଛି ଦୁର୍ବୃତ୍ତ ଜେସିବି ଲଗେଇକରି ଯୋର୍ଜବରନ୍ ବନ୍ଧକେ ତୁପି ଦେଲେ । ବିଷ ଦେଇଦେଲେ ଯେ ମାଛମାନେ ମରିଯାଉଛନ୍ । ଥାନାବାବୁନୁ ନେଇକରି ଏସ୍ପି ତକ୍ ଗୁହାରୀ କର୍ଲା ଉତାରୁ ବି କେହି ନାଇଁ ଶୁନ୍ଲେ । ମତେ ଆଉ ବୁଦ୍ଧିବାଟ୍ ନାଇଁ ଦିଶବାର୍ । ବିଷ ପିଇକରି ଜୀବନ ହାରୁଛେଁ…. ଭିଡ଼ିଓଟି ଭାଇରାଲ ହୋଇଛି । ଆଉ ସତକୁ ସତ ମାଛଚାଷୀ ଜଣକ ବିଷପିଇ ବୁର୍ଲା ହସ୍ପିଟାଲରେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି ।
ବରଗଡ଼ ସଦର ବ୍ଲକ ତଥା ଟାଉନ୍ ଥାନା ଅଧିନ ସରଲା ମୌଜାର ଯୁବଚାଷୀ ମହେଶ୍ୱର ମେଲି ୩ ଲକ୍ଷ ଟଙ୍କା ଧାର ଉଧାର କରି ନିଜର ଅଧା ଏକର ଜମିରେ ପୋଖରୀ ଖନନ କରିଥିଲେ । ପୁଣି ଥରେ ୭୦ ହଜାର ଋଣ କରି ମାଛ ଜାଅାଁଳା ଆଣି ଛାଡ଼ିିଥିଲେ । ବିକ୍ରିଯୋଗ୍ୟ ଅବସ୍ଥାକୁ ଆସିଯାଇଥିବାରୁ ପ୍ରଥମ ମାଛମରା ଓ ବିକ୍ରି ଲବ୍ଧ ଅର୍ଥରୁ ଋଣ ପରିଶୋଧ ପାଇଁ ଉତ୍ସାହିତ ହୋଇପଡ଼ିଥିଲେ । ମାଛ ବିକ୍ରି ପାଇଁ ବ୍ୟବସାୟୀଙ୍କ ସହ ଯୋଗାଯୋଗ ସ୍ଥାପନ କରି ନୂଆ ବ୍ୟବସାୟରେ ଅନ୍ତିମ ସ୍ପର୍ଶ ଦେବାକୁ ଯାଉଥିବା ବେଳେ ସବୁକିଛି ଓଲଟପାଲଟ ହୋଇଗଲା । ବନ୍ଧ ଖୋଳାରୁ ବାହାରିଥିବା ମାଟି ହିଁ ତାଙ୍କ ପାଇଁ ଓ ମାଛମାନଙ୍କ ପାଇଁ ବଇରୀ ସାଜିଲା । ପୋଖରୀ ହିଡ଼ ରାସ୍ତା କରିବାକୁ ଯାଇ ହିଡ଼ରେ ଠୁଳ କରାଯାଇଥିବା ମାଟିକୁ ଦୁର୍ବୃତ୍ତମାନେ ପୋଖରୀ ଭିତରକୁ ଠେଲି ଦେଇଥିଲେ । ଫଳରେ ପୋଖରୀର ଦୈର୍ଘ୍ୟ ଓ ଗଭୀରତା କମିଗଲା । ଏଥିରେ ମାଛମାନଙ୍କ କୌଣସି କ୍ଷତି ଘଟିବା ସମ୍ଭାବନା ନଥିଲେ ବି ମାଛମାନେ ପର୍ଯ୍ୟାୟକ୍ରମେ ମରି ଭାସିବା ପରେ ପୋଖରୀରେ ବିଷ ପ୍ରୟୋଗ କରାଯାଇଥିବା ସ୍ୱଷ୍ଟ ହେବାରୁ ମହେଶ୍ୱର ପୁଲିସ୍ର ସହାୟତା ଲୋଡ଼ିଥିଲେ । ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ତଥାପି କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ନିରାଶ ହୋଇ ମାନସିକ ଚାପଗ୍ରସ୍ତ ମାଛଚାଷୀ ମହେଶ୍ୱର ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାରବର୍ଗ ଉଦ୍ଧାର କରି ବୁର୍ଲା ନେଇଥିବା ସମୟରେ ମହେଶ୍ୱର ଦୁଇ ଦିନ ହେଲା ବୁର୍ଲା ଡାକ୍ତରଖାନାରେ ଜୀବନ ମୃତୁ୍ୟ ସହ ଜୁଝୁଛନ୍ତି । ତଥାପି ମଧ୍ୟ ପୁଲିସ୍ କୌଣସି ପଦକ୍ଷେପ ନେଇ ନଥିବାରୁ ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏନେଇ ମହେଶ୍ୱର ଦେଇଥିବା ସୂଚନା ଅନୁଯାୟୀ ତାଙ୍କ ପୋଖରୀ ବାହାରେ ପଞ୍ଚାୟତ ତରଫରୁ ଏକ ୨୦ ଫୁଟିଆ ରାସ୍ତା ଥିଲେ ବି ଅସୂୟା ଭାବ ରଖି ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଖରୀ ଖୋଳିବା ସମୟରେ ବାହାରିଥିବା ମାଟିକୁ ନିକଟରେଥିବା ସରକାରୀ ଜମିରେ ଠୁଳ କରିଥିଲେ ମହେଶ୍ୱର । ଏଥିପାଇଁ ଏକ ରାସ୍ତା ମଞ୍ଜୁର ହୋଇଥିବା ଦାବି ଜଣେ ଯୁବକର୍ମୀ ସ୍ଥାନୀୟ ଦୁଇ ଜଣ ପଡେ଼ାଶୀଙ୍କ ସହ ଆସି ମାଟି କାଢ଼ିବାକୁ ମହେଶ୍ୱରଙ୍କୁ କହିଥିଲେ । ଶେଷରେ ଥାନାରେ ଏହାର ସମାଧାନ ହୋଇଥିବା ବେଳେ ମାଟି ଉଠାଇ ନେବାକୁ ମହେଶ୍ୱର ପ୍ରତିଶ୍ରୁତି ଦେଇଥିଲେ । କରୋନା ଓ ବର୍ଷା ପାଇଁ ସୃଷ୍ଟି ହୋଇଥିବା ବାଧା ଯୋଗୁଁ ମାଟି ଉଠାଇ ପାରିନଥିଲେ । ତେବେ କୌଣସି ଏକ କାମରେ ରାଉରକେଲା ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତି ସୁଯୋଗରେ ଦୁର୍ବୃତ୍ତମାନେ ବନ୍ଧକୁ ପୋତି ଦେବା ସହ ମାଛମାନଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିବା ସତ୍ୱେ ପୁଲିସ୍ କିଛି ନକରିବାରୁ ଶେଷରେ ମହେଶ୍ୱର ବିଷ ପିଇ ଥିବା ସୂଚନା ଦେଇ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ହସ୍ପିଟାଲ ବେଡ୍ରୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons