ପୁରୀ, (ବି.ବି.ନ୍ୟୁଜ୍): ନବନିଯୁକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ଦର୍ଶନ କରିଛନ୍ତି । ସେଠାରୁ ବାହାରି ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ପୁରୀ ବିଜେପି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୁରୀ ଆଚାର୍ଯ୍ୟ ହରିହରଛକ ସ୍ଥିତ ସଦ୍ଭାବନାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଶ୍ରୀ ହରିଚନ୍ଦନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀମନ୍ଦିରରେ ଠାକୁର ଦର୍ଶନ କରିବା ପରେ ଶ୍ରୀ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁ ପୂର୍ବରୁ ରାଜ୍ୟର ଜଣେ ମନ୍ତ୍ରୀ ହୋଇ ଲୋକଙ୍କ ସେବା କରିବାର ଅବସର ପାଇଥିଲେ । ଏବେ ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ସହ ଜଗନ୍ନାଥ କରୁଣା କରିବାରୁ ପୁଣି ଲୋକଙ୍କ ସେବା କରିବା ନିମନ୍ତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଏଥିନିମନ୍ତେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପ୍ରମୁଖଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଲୋକେ କେବେ ସେ ରାଜ୍ୟପାଳ ହେବେ ବୋଲି ପଚାରୁଥିଲେ । ଏବେ ଏହାର ଯବନିକା ପଡ଼ିଛି । ଏହି ସମୟରେ ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ନଗର ସଭାପତି ଜୟନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.