ମହିଳାଙ୍କଠୁ ଝାମ୍ପିନେଲେ ଲୁଟେରା ଭ୍ୟାନିଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥରେ ଆତଙ୍କ ଚଳାଇଛନ୍ତି ଲୁଟେରା । କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସବୁଦିନ ଚଳାଇଛନ୍ତି ବେଧଡ଼କ ଲୁଟ୍ପାଟ । ଆଜି ରାତିରେ ଲୁଟେରାଙ୍କ ଭୟରେ ଭ୍ୟାନିଟିରେ ୨ଟି ସୁନାହାର ଲୁଚାଇ ଆସୁଥିବା ବେଳେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି । ଜାତୀୟ ରାଜପଥର ଗୋହିରା ଛକରୁ ବାଇକ୍ ପଛରେ ବସି ଆସୁଥିବା ମହିଳାଙ୍କ ହାତରୁ ଦୁଇ ଲୁଟେରା ସୁନାହାର ଭର୍ତ୍ତି ଭ୍ୟାନିଟିକୁ ଝାମ୍ପି ନେଇଛନ୍ତି । ଅଭିଯୋଗପାଇ ଯାଁଳା ଫାଣ୍ଡି ପୁଲିସ ଜାତୀୟ ରାଜପଥରେ ଖୋଜାଲୋଡ଼ା ଚଳାଇଛି । ହେଲେ ଲୁଟେରାଙ୍କ ପତ୍ତା ମିଳିନି ।
ମିଳିଥିବା ଅଭିଯୋଗ ଅନୁଯାୟୀ, ସଙ୍ଗୀତା ପାଣିଗ୍ରାହୀ ନାମ୍ନୀ ମହିଳା ପୁରୁଣା ଭୁବନେଶ୍ୱରରୁ ଆଜି ରାତି ୮ଟା ବେଳେ ତାଙ୍କ ଭିଣୋଇଙ୍କ ସହ ବାଇକ୍ ପଛରେ ବସି ଜଟଣୀ ଥାନା ଅନ୍ତର୍ଗତ କାଇମାଟିଆକୁ ଆସୁଥିଲେ । ବାରମ୍ବାର ଲୁଟ୍ପାଟ ହେଉଥିବା ଜାଣି ଭୟରେ ପିନ୍ଧିଥିବା ଦୁଇଟି ସୁନାହାର (୬ଭରି ଓଜନ)କୁ ସେ ଭ୍ୟାନିଟି ଭିତରେ ରଖିଥିଲେ । ଗୋହିରା ଛକରେ ସେମାନେ କାଇମାଟିଆକୁ ଯିବାକୁ ରାସ୍ତା ଅତିକ୍ରମ କରୁଥିବା ବେଳେ ଦୁଇ ଲୁଟେରା ଏକ ବାଇକ୍ରେ ଆସି ସଙ୍ଗୀତାଙ୍କ ହାତରୁ ଭ୍ୟାନିଟି ଝାମ୍ପିନେଇ ଖୋର୍ଦ୍ଧା ଆଡ଼େ ପଳାଇଥିଲେ । ସଙ୍ଗୀତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ପାଇ ନଥିଲେ । ଖବରପାଇ ଯାଁଳା ଫାଣ୍ଡି ପୁଲିସ ପହଞ୍ଚି ଜାତୀୟ ରାଜପଥରେ ଖୋଜାଖୋଜି କରି ଲୁଟେରାଙ୍କ ଟେର୍ ପାଇନାହିଁ । ଏନେଇ ସଙ୍ଗୀତା ଯାଁଳା ଫାଣ୍ଡିରେ ଏତଲା ଦେଇଛନ୍ତି ।
ସୂଚନା ଥାଉ କି, ଗୁରୁବାର ରାତିରେ ଜାତୀୟ ରାଜପଥର ତମାଣ୍ଡୋ ହ୍ୟୁଣ୍ଡାଇ ସୋ’ ରୁମ୍ ସମ୍ମୁଖରୁ ଦୁଇ ବନ୍ଧୁକଧାରୀ ଲୁଟେରା କାହ୍ନୁ ଗୋଚ୍ଛି ନାମକ ଜଣେ ଯୁବକଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ବାଇକ୍ ଲୁଟ୍ ଉଦ୍ୟମ କରିଥିଲେ । ଲୋକମାନେ ପହଞ୍ଚିଯିବାରୁ ଦୁଇ ଲୁଟେରା ସେମାନଙ୍କୁ ବନ୍ଧୁକ ଦେଖାଇ ଖସି ପଳାଇଥିଲେ । ସେହିପରି ବୁଧବାର ସନ୍ଧ୍ୟାରେ ଗୋହିରା ଛକରୁ ବାଇକ୍ ପଛରେ ବସି ଯାଉଥିବା ଜଣେ ମହିଳାଙ୍କ ଭ୍ୟାନିଟି ଲୁଟ୍ ହୋଇଥିଲା । ଖୋର୍ଦ୍ଧା ନିରାକାରପୁରର ପ୍ରଶାନ୍ତ ଦାସ ଓ ତାଙ୍କ ପତ୍ନୀ ସ୍ୱାଗତିକା ବାଇକ୍ରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଗୋହିରା ଛକରେ ଦୁଇ ଲୁଟେରା ସ୍ୱାଗତିକାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ଫଳରେ ଦମ୍ପତି ବାଇକ୍ ସହ ତଳେ ପଡ଼ି ଯାଇଥିଲେ । ଲୋକେ ଗୋଡ଼ାଇବାରୁ ଦୁଇ ଲୁଟେରା ସ୍ପିଡ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ । ବାଇକ୍ ଓ ଭ୍ୟାନିଟି ଛାଡ଼ି ଦୁଇ ଲୁଟେରା ବିଲ ଭିତରେ ପଶି ପଳାଇଥିଲେ । ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଠାରୁ ତଳଖେତା ଛକ ମଧ୍ୟରେ ମାସେ ଭିତରେ ୧୦ରୁ ଅଧିକ ଲୁଟ୍ପାଟ ଘଟଣା ଘଟିଲାଣି । ହେଲେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ଗୋଟିଏ ଲୁଟ୍ପାଟ ମାମଲାରେ କାହାକୁ ଧରି ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons