ଲାଞ୍ଜିଗଡ଼,(ବି.ବି.ନ୍ୟୁଜ୍): କଳାହାଣ୍ଡିରେ ପୁଣି ରକ୍ତର ହୋଲି ଖେଳିଲା ଲାଲବାହିନୀ । ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ପାହାଡ଼ପଦର ବଜାରରେ ଦିନ ଦ୍ୱିପ୍ରହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଠିକାରଦାର ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ୍ ବୋରପଦର ଗାଁର ଠିକାଦାର ରାଜେନ୍ଦ୍ର ସାହୁ । ୨ ମହିଳାଙ୍କ ସମେତ ୪ ମାଓବାଦୀ ସାଦା ପୋଷାକରେ ହାଟକୁ ସଉଦା କରିବା ଭଳି ଆସି ରାଜେନ୍ଦ୍ରଙ୍କୁ ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ହତ୍ୟା ପରେ ମାଓବାଦୀମାନେ ଏକ ପୋଷ୍ଟର ଛାଡ଼ି ଦେଇଛନ୍ତି । ଏହାପଛରେ ମାଓବାଦୀ କମ୍ୟୁନିଷ୍ଟ ପାର୍ଟି ରାୟଗଡ଼ା ଏରିଆ କମିଟି ହାତ ଥିବା ଉକ୍ତ ପୋଷ୍ଟରରୁ ସ୍ପଷ୍ଟ ହୋଇଛି । ବେଦାନ୍ତ କମ୍ପାନୀର ଦଲାଲ ଏବଂ ପୁଲିସ ଇନ୍ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଲାଲ୍ବାହିନୀ ପୋଷ୍ଟରରେ ପ୍ରକାଶ କରିଛି । ଜନଗହଳି ଭିତରେ ଲାଲବାହିନୀର ଏଭଳି କାଣ୍ଡକୁ ନେଇ ଅଞ୍ଚଳରେ କୋକୁଆଭୟ ଖେଳିଯାଇଥିବାବେଳେ ହତ୍ୟା ପରେ ଦିନ ତମାମ ବଜାରରେ ଶବପଡ଼ି ରହିଥିଲା ।
ସୂଚନାମତେ, ବିଜେପୁର ଥାନା ପାହାଡ଼ପଦରରେ ଆଜି ସାପ୍ତାହିକ ବଜାର ଚାଲିଥିଲା । ମଧ୍ୟାହ୍ନ ସାଢ଼େ ୧୨ରେ ଠିକାଦାର ରାଜେନ୍ଦ୍ର ତାଙ୍କ ବାଇକ୍ (ଓଡି୦୮ଏଚ୍-୦୧୩୨)ରେ ନିଜ ଗାଁ ବୋରପଦରରୁ ବାତେରପଡ଼ା ଯାଇ ସେଠାରୁ ଫେରି ପାହାଡ଼ପଦର ସାପ୍ତାହିକ ବଜାରରେ ସଉଦା କିଣୁଥିଲେ । ଏହି ସମୟରେ ୪ ଜଣ ମାଓବାଦୀ ସାଦା ପୋଷାକରେ ତାଙ୍କ ପାଖକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିଲେ ଏବଂ ସେମାନେ ଶାଢ଼ି ପିନ୍ଧିଥିଲେ । କାହାରି ସନ୍ଦେହ ଦୃଷ୍ଟିକୁ ନ ଆସିବା ଲାଗି ସେମାନେ ସଉଦା କରିବା ବାହାନାରେ ସାଦା ପୋଷାକରେ ଆସିଥିଲେ । ଠିକାଦାରଙ୍କ ପାଖକୁ ଆସି ଛତା ଭିତରେ ଲୁଚାଇ ରଖିଥିବା ନାଇନ୍ ଏମ୍ଏମ୍ ପିସ୍ତଲରୁ ଅତର୍କିତ ଭାବେ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ଠିକାଦାରଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ରାଜେନ୍ଦ୍ର ଟଳି ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ତାଙ୍କର ପିଠି, ପେଟ ଓ ମୁଣ୍ଡରେ ଗୁଳି ବାଜିଛି । ପ୍ରବଳ ଜନଗହଳି ଥିଲେ ମଧ୍ୟ ଗୁଳି ଶବ୍ଦ ଶୁଣି ବଜାରରେ ଥିବା ବ୍ୟବସାୟୀ ଓ ଲୋକେ ଛାନିଆ ହୋଇଯାଇଥିଲେ । ହତ୍ୟା ପରେ ଘଟଣାସ୍ଥଳରେ ସେମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ରାଜେନ୍ଦ୍ର ବେଦାନ୍ତ କମ୍ପାନୀର ଦଲାଲ ଭାବେ କାମ କରିବା ସହ କମ୍ପାନୀ ସପକ୍ଷରେ ଲୋକଙ୍କୁ ମତାଉଥିଲେ । ଲୋକଙ୍କୁ ଡରେଇ ଧମକେଇ ଠିକାକାମ କରୁଥିଲେ । ବେଦାନ୍ତର ଦଲାଲ ଭାବେ କମ୍ପାନୀକୁ ସମର୍ଥନ କରିବା ସହ କମ୍ପାନୀରୁ ଔଷଧ ଓ ଲୁଗାପଟା ଆଣି ଲୋକଙ୍କୁ ବାଣ୍ଟୁଥିଲେ । ସେହିପରି ପୁଲିସର ସୂଚନାଦାତା ମଧ୍ୟ ଭାବେ ସେ କାମ କରୁଥିଲେ । ଏହାକୁ ମାଓାବାଦୀମାନେ ବିରୋଧ କରିବା ସହ ତାଙ୍କୁ ଚେତାବନୀ ଦେଇଥିଲେ । ଏପରିକି ତାଙ୍କୁ ପ୍ରଜାକୋର୍ଟରେ ଉପସ୍ଥିତ ରହିବା ପାଇଁ ମାଓ ସଂଗଠନ ଡାକରା ଦେଇଥିଲେ ହେଁ ସେ ଯାଇ ନଥିଲେ । ଫଳରେ ତାଙ୍କୁ ଏଭଳି ମୃତ୍ୟୁ ଦଣ୍ଡ ଦିଆଯାଇଥିବା ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ରାଜେନ୍ଦ୍ର ଭଳି ଅନ୍ୟ ଯେଉଁମାନେ ବେଦାନ୍ତର ଦଲାଲି କରୁଛନ୍ତି କିମ୍ବା ଲୋକଙ୍କୁ ହଇରାଣ କରୁଛନ୍ତି ସେମାନଙ୍କୁ ରାଜେନ୍ଦ୍ରର ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ମାଓବାଦୀମାନେ ଧମକ ଦେଇଛନ୍ତି । ନେବେ ଗୁଳି ଶବ୍ଦ ଶୁଣି ଲୋକେ ଭୟଭୀତ ହେବା ପରେ ଲୋକଙ୍କୁ ଭୟଭୀତ ନହେବା ଲାଗି ମାଓମାଦୀମାନେ କହି ସେଠାରୁ ଚାଲି ଯାଇଥିଲେ । ଘଟଣାସ୍ଥଳରେ ପୋଷ୍ଟର ସାଙ୍ଗକୁ ଏକ ନାଇନ୍ ଏମ୍ଏମ୍ର ପିସ୍ତଳ ଖୋଳ ଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ ପରିବାର ଲୋକେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ପହଞ୍ଚିବାରେ ଅତ୍ୟଧିକ ବିଳମ୍ବ କରିଥିବା ଅଭିଯୋଗ ହୋଇଛି । ଏହାପରେ କେସିଙ୍ଗା ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ ଘଟଣାର ତଦନ୍ତ ପାଇଁ ବିଜେପୁର ସିଆର୍ପିଏଫ୍ କ୍ୟାମ୍ପ୍ରେ ପହଞ୍ଚିଥିଲେ ।
ପ୍ରକାଶ ଯେ ରାଜେନ୍ଦ୍ର ପ୍ରଜାକୋର୍ଟରେ ହାଜର ନ ହେବା ପରେ ଗତ ବର୍ଷ ଫେବୃୟାରୀ ମାସରେ ତାଙ୍କର ଏକ ଜେସିବି ମେସିନ୍ ଓ ବାଇକ୍କୁ ମାଓବାଦୀମାନେ ପୋଡ଼ି ଦେଇଥିଲେ । ଭୟରେ ରାଜେନ୍ଦ୍ର ଘର ଛାଡ଼ି ଭବାନୀପାଟଣାରେ ରହୁଥିଲେ । ତେବେ ମଝିରେ ତାଙ୍କ ମଝିଆ ଝିଅର ବିବାହ ଥିବାବେଳେ ସେଇ ସମୟରେ ତାଙ୍କୁ ମାଓବାଦୀମାନେ ହତ୍ୟା ଯୋଜନା କରିଥିଲେ ହେଁ ସଫଳ ହୋଇପାରି ନଥିଲେ । ଏହାପରେ ଲାଲବାହିନୀ ସୁଯୋଗ ଅପେକ୍ଷାରେ ଥିଲା । ଆଜି ପାହାଡ଼ପଦର ବଜାରକୁ ରାଜେନ୍ଦ୍ର ସଉଦା କରିବାକୁ ଯାଇଥିବା ସମୟରେ ସେଠାରେ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ସରକାର ରାଜ୍ୟରେ ମାଓ ଉପଦ୍ରବ କମିଛି ବୋଲି କହୁଥିବାବଳେ କଳାହାଣ୍ଡି ଜିଲ୍ଲାରେ ମାଓ ଉପଦ୍ରବ ଶୀର୍ଷରେ ପହଞ୍ଚିଥିବା ପୁଣି ଥରେ ପ୍ରମାଣିତ ହୋଇଛି । ପୂର୍ବରୁ କେବଳ ଲାଞ୍ଜିଗଡ଼ ବ୍ଲକରେ ୬ଟି ମାଓ ହତ୍ୟାକାଣ୍ଡ ଘଟିଥିବାବେଳେ ଏକାଧିକ ଥର ସାପ୍ତାହିକ ବଜାର ଓ ଜନଗହଳିରେ ଏହି ହତ୍ୟାକାଣ୍ଡ ଘଟିଛି । ସ୍ପେଶାଲ କଣ୍ଟ୍ରାକ୍ଟର ଶିବଶଙ୍କର ଦାସଙ୍କ ହତ୍ୟା ପରେ ଠିକାଦାର ରାଜେନ୍ଦ୍ର ସାହୁଙ୍କ ହତ୍ୟା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ଘଟଣା ପରେ ଲାଞ୍ଜିଗଡ଼ରୁ ବିଜେପୁର ତଥା ପାହାଡ଼ପଦର ରାସ୍ତା ଶୂନଶାନ ହୋଇଯାଇଛି ।
Comments are closed, but trackbacks and pingbacks are open.