ରାଜଗାଙ୍ଗପୁର,(ବି.ବି.ନୁ୍ୟଜ): ମା’କୁ ଟଙ୍କା ମାଗିଥିଲା ସାନ ପୁଅ । ମାତ୍ର ମା’ ଟଙ୍କା ଦେବାକୁ ମନା କରି ଦେଲା । ଶେଷରେ ପୁଅ ନିଜ ଜନ୍ମିତ ମା’କୁ ହତ୍ୟାକରି ଗଣ୍ଡି ମୁଣ୍ଡ ଅଲଗା କରିବା ପରେ ଘର ଭିତରେ ମୃତ ଦେହକୁ ଲୁଚାଇ ଦେଇ ଫେରାର ହୋଇଯାଇଛି । ମା’ର କୌଣସି ଖୋଜ ଖବର ନପାଇବାରୁ ବଡ଼ପୁଅ ଘରକୁ ଆସିଥିଲା ଓ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପାଖ ପଡୋଶୀ ଠାରୁ ଜାଣିବା ପରେ ପୁଲିସ୍କୁ ଖବର ଦିଆଯାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଗଳିତ ମୃତ ଦେହ ଉଦ୍ଧାର କରିଥିଲା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାହିୟାମ ଗ୍ରାମରେ ।
ବାହିୟାମର କୁଜୁରପଡ଼ାରେ ଲକ୍ଷ୍ମୀ ଗୌଡ଼ (୫୦) ନିଜ ସାନ ପୁଅ ରାଜୁ ସହ ରହୁଥିବା ବେଳେ ବଡ଼ ପୁଅ ରବି କଲୁଙ୍ଗାର ଏକ କମ୍ପାନୀରେ କାମ କରିବା ସହ ସେଠାରେ ରହୁଥିଲେ । ରବିଙ୍କ କହିବା ଅନୁଯାୟୀ ରାଜୁ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ କରିବା ସହ ବାରମ୍ବାର ମା’ଙ୍କୁ ଟଙ୍କା ଦେବାକୁ ଧମକଚମକ ଦେଇ ଆସୁଥିଲା । ମା’ର ଚଳିବା ପାଇଁ ବଡ଼ପୁଅ ଟଙ୍କା ପଠାଇଥାନ୍ତି । ଏପରିକି ରାଜୁ ଜମି ବନ୍ଧା ରଖି ଟଙ୍କା ଆଣିବା ଲାଗି ମା’ ଉପରେ ଚାପ ସୃଷ୍ଟି କରୁଥିଲା । ଗତ କିଛି ଦିନ ତଳେ ରବିଙ୍କୁ ଫୋନ କରି ରାଜୁ ୧୦ ହଜାର ଟଙ୍କା ମାଗିଥିଲା । ଦରମା ମିଳିଲେ ଟଙ୍କା ଦେବେ ବୋଲି ରବି କହିଥିଲେ । କିନ୍ତୁ ଟଙ୍କା ଦେବାରେ ବିଳମ୍ବ ହେବାରୁ ଗତ ୮ ତାରିଖ ଦିନ ଟଙ୍କା ପାଇଁ ରାଜୁ ଲକ୍ଷ୍ମୀଙ୍କ ସହ ଝଗଡ଼ା କରିଥିଲା । ଗତ ୮ ତାରିଖରେ ଲକ୍ଷ୍ମୀ ଚାଉଳ ନେଇ ଘରକୁ ଫେରୁଥିବା ଗାଁ ଲୋକ ଦେଖିଥିଲେ । ତାହା ପରେ ସେମାନେ ଆଉ ତାଙ୍କୁ ଦେଖି ନାହାନ୍ତି । ଟଙ୍କା ପାଖରେ ନାହିଁ କେଉଁଠୁ ଆଣିବି ବୋଲି ଲକ୍ଷ୍ମୀ ରାଜୁକୁ କହିଥିଲେ । ଏଥିରେ ରାଗି ଯାଇ ରାଜୁ ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା । ଏହି କାଣ୍ଡ ଭିଆଇ ଘର ଭିତରେ ମୃତ ଦେହକୁ ଲୁଚାଇ ରାଜୁ ଫେରାର ହୋଇ ଯାଇଛି । ଗାଁ ଲୋକେ ଲକ୍ଷ୍ମୀଙ୍କୁ ଦେଖିବାକୁ ନପାଇବା ଏବଂ ରବି ମା’ର ଖୋଜ ଖବର ପାଉନଥିବାରୁ ଶୁକ୍ରବାର ରାତିରେ ଘରକୁ ଫେରିଥିଲେ । ସେ ସମୟରେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା । କବାଟ ଖୋଲି ଦେଖିବା ବେଳକୁ ମା’ର ମୃତଦେହ ପଡ଼ିଥିଲା । ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ମୀଙ୍କ ମୃତ ଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ତେବେ ହତ୍ୟାକାରୀ ରାଜୁ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ତାକୁ ଧରିବା ଲାଗି ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଛି । ରାଜୁ ତାର ମା’କୁ କେବେ ହତ୍ୟା କଲା ସେ ଧରାପଡ଼ିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି ।
Comments are closed, but trackbacks and pingbacks are open.