ମାଟି ଅତଡ଼ା ଖସି ୨ ମୃତ, ତିନି ଗୁରୁତର

Get real time updates directly on you device, subscribe now.

ଦିଗପହଣ୍ଡି: ଚେକ୍ଡ୍ୟାମ୍ ନିର୍ମାଣ କାମ ଚାଲିଥିଲା । ହଠାତ୍ ୨୫ ଫୁଟ୍ ଉପରୁ ଧସିଲା ମାଟି ଅତଡ଼ା । ଘାଇହୁଡା ଚେକ୍ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୫ ଜଣ ମହିଳା ମାଟି ତଳେ ଚାପି ହୋଇଗଲେ । ଘଣ୍ଟା ଘଣ୍ଟା ଧରି ଲାଗି ରହିଥିଲା ଉଦ୍ଧାର କାର୍ଯ୍ୟ । ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦିଗପହଣ୍ଡି ବ୍ଲକ ଫାଶିଗୁଡ଼ା ଗ୍ରାମ ନିକଟରେ ଘଟିଛି । ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୃତ ଦୁଇ ଜଣ ଯମୁନା ନାୟକ(୨୦), ବର୍ଷା ନାୟକ(୧୬) । ଗୁରୁତରମାନେ ହେଲେ ସୂର୍ଯ୍ୟ ବିଷୋୟୀ(୩୫), ସତ୍ୟ ନାୟକ(୩୦) ଓ ଆନ୍ଦିଲି ନାୟକ(୧୭) । ସମସ୍ତେ ଫାଶିଗୁଡ଼ା ଗ୍ରାମର ବୋଲି ତହସିଲଦାର ଅଦୈତ କୁମାର ସ୍ୱାଇଁ କହିଛନ୍ତି ।
ଆଜି ଫାଶିଗୁଡ଼ା କୁମୁଟି ବନ୍ଧ ନିକଟରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଏକ ଚେକ୍ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସମ୍ପୃକ୍ତ ଶ୍ରମିକମାନେ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ଚେକ୍ଡ୍ୟାମ୍ ନିର୍ମାଣର ପ୍ରାୟ ୨୫ ଫୁଟ୍ ତଳେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ । ବର୍ଷା ଯୋଗୁଁ ମାଟି ସନ୍ତସନ୍ତିଆ ରହିଥିଲା । ଅପରାହ୍ନ ପ୍ରାୟ ସାଢେ଼ ୪ଟାରେ ମାଟି ଅତଡ଼ା ଧସିଯାଇଥିଲା । ୫ ଜଣ ଯାକ ଶ୍ରମିକ ମାଟି ତଳେ ପୋତି ହୋଇଗଲେ । ଏହି ଘଟଣା ବିଜୁଳି ବେଗରେ ପ୍ରଚାରିତ ହୋଇଗଲା । ଚାହୁଁ ଚାହୁଁ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଉଦ୍ଧାର କାର୍ଯ୍ୟରେ ସମସ୍ତେ ଲାଗି ପଡ଼ିଥିଲେ । କୋଡ଼ି, କୋଦାଳ ଧରି ଖୋଳିବାକୁ ଲାଗିଲେ । ପରେ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚିଥିଲା । ଜେସିବି ସାହାଯ୍ୟରେ ମାଟି ଖୋଳି ଉଦ୍ଧାର କାର୍ଯ୍ୟ କରାଯାଇଥିବା ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ଭୋଈ କହିଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଠିକାଦାରଙ୍କ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଥିବା ତହସିଲଦାର କହିଛନ୍ତି । ଆଇଆଇସି ବସନ୍ତ ସେଠୀ ମୃତଦେହ ଜବତ କରି ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି । ସେହିପରି ବ୍ରହ୍ମପୁର ତହସିଲଦାର ଭି.କୀର୍ତ୍ତିଭାସନ ଦିଗପହଣ୍ଡି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଘଟଣା ବିଷୟରେ ପଚାରି ବୁଝିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons