
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡ଼ଗୁଡ଼ାରେ ଚୂନମାଟି ଖଣିରେ ମାଟି ଅତଡ଼ା ଧସି ୩ଜଣ ମହିଳାଙ୍କ ମୃତୁ୍ୟ ଘଟିଛି ଓ ଆଉ ଜଣେ ମହିଳା ଆହତ ହୋଇଛନ୍ତି । ମୃତକମାନେ ହେଲେ ପଟ୍ଟାଙ୍ଗି ବ୍ଲକ ରାଲେଗଡ଼ା ପଞ୍ଚାୟତ ମିରିୟାଲପାଡ଼ୁ ଗ୍ରାମର ରାମୁଲଆମା ମୁସୁରୀ(୪୦), ମୁସୁରୀ ଲଚନାଙ୍କ ଝିଅ ମୁସୁରୀ ଦେବୀ, ସାମି କୋଟାଙ୍କ ପନôୀ ମିତୁଳା କୋଟା (୩୪ ବର୍ଷ) । ଆହତ ମହିଳା ହେଲେ ଆପଲା କୋଟାଙ୍କ ପନôୀ ମିତୁଳା କୋଟା (୨୨ ବର୍ଷ) ବୋଲି ପଟ୍ଟାଙ୍ଗି ତହସିଲଦାର କହିଛନ୍ତି ।
ସୂଚନାରୁ ଜଣାପଡ଼ିଛି ଯେ, ଆଜି ମଧ୍ୟାହ୍ନରେ ମିରିଲିୟାପାଡ଼ୁ ଗ୍ରାମର ୧୧ ଜଣ ମହିଳା ଘର ଲିପିବା ପାଇଁ ଚୂନମାଟି ଆଣିବାକୁ ସେମିଳିଗୁଡ଼ା ବ୍ଲକ ରେଙ୍ଗା ପଞ୍ଚାୟତର ପୋଡ଼ାଗୁଡ଼ା ଗ୍ରାମକୁ ଯାଇଥିଲେ । ବିଭିନ୍ନ ସ୍ଥାନରେ ସେମାନେ ମାଟି ଖୋଳୁଥିଲେ । ଗୋଟିଏ ସ୍ଥାନରେ ଏହି ୪ଜଣ ମହିଳା ଖୋଳୁଥିବା ବେଳେ ହଠାତ୍ ମାଟି ଅତଡ଼ା ଧସିଥିଲା । ଫଳରେ ଘଟଣାସ୍ଥଳରେ ୩ଜଣ ମହିଳାଙ୍କ ମୃତୁ୍ୟ ଘଟିଥିଲା ଓ ଆଉ ଜଣେ ମହିଳା ଆହତ ହୋଇଥିଲେ । ଆହତ ମହିଳାଙ୍କୁ ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମ୍ପୃକ୍ତ ମହିଳା ବିପଦମୁକ୍ତ ଥିବା ପଟ୍ଟାଙ୍ଗି ତହସିଲଦାର ଶ୍ରୀ ମଣ୍ଡଳ କହିଛନ୍ତି ।
ଖବର ପାଇ ପଟ୍ଟାଙ୍ଗି ଥାନା ଆଇଆଇସି କୈବଲ୍ୟ ସେଠ,ଏସଆଇ ମଧୁ ନାୟକ, ଏଏସଆଇ ସୁବାସ ନାୟକଙ୍କ ସହିତ ଥାନା ପୁଲିସ ଦଳ ଘଟଣାସ୍ଥଳକୁ ଯାଇ ଅବସ୍ଥା ଅନୁଧ୍ୟାନ କରିଥିଲେ । ୩ଜଣ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନେ ଗରିବ ପରିବାର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାଥମିକ ଭାବେ ୩୦ ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ପଟ୍ଟାଙ୍ଗି ତହସିଲଦାର ଜିଲ୍ଲା ପ୍ରଶାସନକୁ ସୁପାରିଶ କରିଥିବା ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀ କହିଛନ୍ତି । ପଟ୍ଟାଙ୍ଗୀ ଅଞ୍ଚଳରେ ମାଟି ଅତଡ଼ା ଧସି ୩ ମହିଳାଙ୍କ ମୃତୁ୍ୟ ଓ ଜଣେ ମହିଳା ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଆହତ ମାହିଳାଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.