ମାଣିକେଶ୍ୱରୀଙ୍କ ଭକ୍ତ ବିହୀନ ଭ୍ରମଣ

Get real time updates directly on you device, subscribe now.

କଳାହାଣ୍ଡି,(ବି.ବି.ନୁ୍ୟଜ୍): କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାରେ ପ୍ରତିବର୍ଷ ଚଳଚଞ୍ଚଳ ହୋଇଉଠେ ଭବାନୀପାଟଣା ସହର । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ମେଳଣରେ ଉଛୁଳି ଉଠେ ଦାଣ୍ଡ । ଛତର ରୂପରେ ଦର୍ଶନ ଦେଇ ଭକ୍ତଙ୍କ ଉପରେ କରୁଣା ବର୍ଷା କରିଥାନ୍ତି ମା’ ମାଣିକେଶ୍ୱରୀ । ହେଲେ ଏଥର ସବୁ ବିଗାଡ଼ିଦେଲା କରୋନା ମହାମାରୀ । କରୋନା କଟକଣା ମଧ୍ୟରେ ବିଧିପୂର୍ବକ ପାଳିତ ହୋଇଛି ବିଶ୍ୱାସ, ଭକ୍ତି ଏବଂ ପରମ୍ପରାର ଏହି ମହାନ ପର୍ବ ଛତର ଯାତ୍ରା । କେବଳ ହାତଗଣତି କିଛି ପୂଜକ, ସେବକ, ପୁଲିସ ଓ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ଥିଲେ । ବିନା ଭକ୍ତରେ ନଗର ଭ୍ରମଣ କରି ବିଶ୍ୱବାସୀଙ୍କୁ ଆଶୀର୍ବାଦ କରିଛନ୍ତି ମା’ । ମା’ଙ୍କ ପ୍ରତ୍ୟକ୍ଷ କରୁଣା ପାଇପାରିନାହାନ୍ତି ଶ୍ରଦ୍ଧାଳୁ ସତ, ହେଲେ ଅନ୍ଲାଇନ୍ରେ ମା’ଙ୍କ ଛତର ଯାତ୍ରାର ସିଧାପ୍ରସାରଣ ଦେଖି ବିଭୋର ହୋଇଥିଲେ ଭକ୍ତ । ଶ୍ରଦ୍ଧାଳୁ ବିନା ସତେଯେମିତି ଖାଁ ଖାଁ ଲାଗୁଥିବା ଛତର ଯାତ୍ରା, ସମଗ୍ର ଭବାନୀପାଟଣା ସହର । କେବଳ ଗୋଟିଏ ଘୁମୁରା ଓ ବଜାଦଳର ତାଳେ ତାଳେ ମାଁ ଜେନାଖାଲରୁ ବାହାରି ମନ୍ଦିରକୁ ଆସିଛନ୍ତି । କଟକଣା ଏବଂ ସହର ଭିତରକୁ ପ୍ରବେଶ ମନା ଥିବାରୁ ମାନସିକଧାରୀମାନେ ଗଳିକନ୍ଦି ତଥା ସହର ବାହାରେ ମା’ଙ୍କ ଉଦେ୍ଧଶ୍ୟରେ ପଶୁବଳି ଦେଇଥିବା ଦେଖିବାକୁ ମିଳିଥିଲା ।
ପରମ୍ପରା ଅନୁଯାୟୀ ଅଷ୍ଟମୀ ତିଥିର ରାତି ପ୍ରାୟ ୩ଟାରେ ମା’ଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲକୁ ଯାଇଥିଲା । ସେଠାରେ ନୀତିକାନ୍ତି ସହ ଗୁପ୍ତ ପୂଜା ପରେ ଭୋର ପ୍ରାୟ ୫ଟାରେ ମା’ଙ୍କୁ ମନ୍ଦିର ଅଭିମୁଖେ ଅଣାଯାଇଥିଲା । ପ୍ରାୟ ୬ଟା ବେଳେ ମା’ମନ୍ଦିର ପ୍ରବେଶ କରିଥିଲେ । ପ୍ରତିବର୍ଷ ଏହି ଯାତ୍ରା ସରିବାକୁ ପ୍ରାୟ ୪ରୁ୫ ଘଣ୍ଟା ଲାଗିଥାଏ । ହେଲେ ଚଳିତ ବର୍ଷ ମାତ୍ର ଘଣ୍ଟାଏ ପନ୍ଦର ମିନିଟ ଭିତରେ ତିନିକିଲୋମିଟର(ଜେନାଖାଲରୁ ମା’ଙ୍କ ମନ୍ଦିର)ର ଯାତ୍ରା ସମ୍ପନ୍ନ ହୋଇଥିଲା । କରୋନାର ଭୟାବହତା ତଥା ତୀବ୍ରଗତିରେ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ବିନା ଭକ୍ତରେ ଚଳିତ ବର୍ଷ ଯାତ୍ରା କରିବାକୁ ନିଷ୍ପତି ହେଇଥିଲା । କେହି ଭକ୍ତ ଛତର ଯାତ୍ରାରେ ସାମିଲ ନ ହେବାକୁ ଅନୁରୋଧ କରାଯିବା ସହିତ ୨୨ ତାରିଖ ମଧ୍ୟରାତ୍ରିରୁ ୧୪୪ ଧାରା ଲାଗୁକରିଥିଲା ପ୍ରଶାସନ । ୨୩ ତାରିଖକୁ ଭବାନୀପାଟଣାକୁ ଲକ୍ଡାଉନ ଓ ୨୪ ତାରଖକୁ ସଟଡାଉନ୍ ଘୋଷଣା କରାଯାଇଥିଲା । ଏଥିସହିତ ଛତରଯାତ୍ରାର ସିଧା ପ୍ରସାରଣ କରାଯାଇ ଭକ୍ତମାନଙ୍କୁ ମା’ଙ୍କ ଏହି ବିଜୟଯାତ୍ରାର ଦର୍ଶନ କରାଯିବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଭବାନୀପାଟଣା ମୁଖ୍ୟ ସଡ଼କ ଦେଇ ବିଭିନ୍ନ ରାଜପଥ (ବୋରିଗୁମ୍ମା-ବରଗଡ଼,ଭବାନୀପାଟଣା-ରାୟଗଡ଼ା)କୁ ସଂଯୋଗ କାରଣରୁ ବ୍ୟାରିକେଡ୍ କରାଯାଇ ମାଲ୍ ବୋଝେଇ ଭାରିଯାନଗୁଡ଼ିକୁ ଅଟକ ରଖାଯାଇ ପରେ ପ୍ରାୟ ସକାଳ ୯ଟାରେ ସମସ୍ତ ଭାରିଯାନ ଚଳାଚଳକୁ ସ୍ୱାଭାବିକ କରାଯାଇଥିଲେ ହେଁ ଗତକାଲିଠାରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ସେହିପରି ବିଜୟା ଦଶମୀ ଅବସରରେ ମା’ଙ୍କ ଲାଖମରା ପର୍ବ ଅନୁÂିତ ହେବ । ଏହାମଧ୍ୟ କଟକଣା ମଧ୍ୟରେ ପାଳନ କରାଯିବ ।
ଆଜି ଏହି ବିଜୟ ଉତ୍ସବରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାପାଳ ଡା ପରାଗ ହର୍ଷଦ ଗାଭାଲି ଓ ଏସ୍ପି ବାତୁଲା ଗଙ୍ଗାଧର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ଛତରଯାତ୍ରାର ଶାନ୍ତିପୂର୍ଣ୍ଣ ସମାପନ ପରେ ସହଯୋଗ ଲାଗି ଜିଲ୍ଲାପାଳ ଏବଂ ଏସ୍ପି ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତାବର୍ଷ ବିନା କରୋନାରେ ଧୁମ୍ଧାମ୍ରେ ଯାତ୍ରା ପାଳନ କରାଯିବ ବୋଲି ଏସ୍ପି ଶ୍ରୀ ଗଙ୍ଗାଧର ଆଶାପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons