ସ୍ତ୍ରୀକୁ ହତ୍ୟା କରିବା ପରେ ମା’କୁ ଜଣାଇ ପୁଅ ଫେରାର

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ନୟାକୋଟ ଥାନା ବାଂଶପାଳ ରୁଗୁଡିସାହିରେ ଶନିବାର ଦେଖିବାକୁ ମିଳିଛି ପାରିବାରିକ କଳହର ଏହି କରୁଣ ପରିଣତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳି ଝଗଡ଼ାରୁ ସ୍ତ୍ରୀ ବନିତା ମହାକୁଡ(୨୮)ଙ୍କୁ ସ୍ୱାମୀ ଯଦୁ ମହାକୁଡ ଟାଙ୍ଗିଆରେ ହାଣି ହତ୍ୟା କରିିଛି । ତେବେ ହତ୍ୟା କରିବା ପରେ ତୋ ବୋହୂକୁ ଟାଙ୍ଗିଆରେ ହାଣି ଦେଲି ବୋଲି ନିଜ ମା’ଙ୍କୁ ଜଣାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଯଦୁ ।
ଶୁକ୍ରବାର ରାତି ୯ ଟା ପାଖାପାଖି ଯଦୁ ମହାକୁଡଙ୍କ ପରିବାରର ସମସ୍ତେ ଖାଇ ପିଇ ଶୋଇଯାଇଥିବା ସମୟରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ବଚସା କ୍ରମେ କଳିର ରୂପ ନେଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଯଦୁ ଘରେ ଥିବା ଏକ ଟାଙ୍ଗିଆ ଆଣି ବନିତାଙ୍କ ବେକକୁ ହାଣି ଦେଇଥିଲା । ବେକରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିବାବେଳେ ଘଟଣାସ୍ଥଳରେ ବନିତାଙ୍କ ମୃତୁ୍ୟ ଘଟିଥିଲା । ହତ୍ୟା କରିବା ପରେ ତୋ ବୋହୂକୁ ହାଣି ଦେଇଛି ବୋଲି ମା’ ନୁଆଣୀ ମହାକୁଡଙ୍କୁ ଜଣାଇଦେବା ପରେ ଘର ଛାଡି ଚାଲିଯାଇଥିଲା ଯଦୁ ମହାକୁଡ । ଘଟଣା ସମ୍ବନ୍ଧରେ ଖବର ପାଇ ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ ତଥା ବାଂଶପାଳ ଫାଣ୍ଡି ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ତନାଘନା ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡ ଭିଆଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଯଦୁ । ଶନିବାର ସକାଳେ ପୁଲିସ ମୃତଦେହ ଜବତ କରି ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ୬୧/୨୦୨୦ ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ୱାମୀକୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଚାଲିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ପରକିୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନେ୍ଦହ କରାଯାଉଛି । ତେବେ ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି । ଯଦୁ ଧରା ପଡିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons