ମାଲକାନଗିରିରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଲଘୁଚାପଜନିତ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ୧ ହଜାର ୯୭୧ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ପ୍ରଭାବିତ ହୋଇଛି ୯୩୩ ଗାଁ । ୩୨୧ ଘର ଭାଙ୍ଗିଛି । ପ୍ରାଥମିକ ଆକଳନରୁ ଏହି ସୂଚନା ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ସଚିବ ପ୍ରଦୀପ ଜେନାଙ୍କ ଆଗରେ ଏହି ତଥ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଆଜି ଆକାଶମାର୍ଗରୁ ଜିଲ୍ଲା ବନ୍ୟା ପରିସ୍ଥିତି ବୁଲି ଦେଖିବା ପରେ ଆୟୋଜିତ ସମୀକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଆସନ୍ତା ସାତଦିନ ମଧ୍ୟରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ରିପୋର୍ଟ ମିଳିବାର ୪୮ ଘଣ୍ଟା ଭିତରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନି । ଏବେ ବି ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ଏପରିସ୍ଥଳେ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ମନ୍ତ୍ରୀ ଓ ସଚିବ ଏଠାରେ ପହଞ୍ଚିଥିଲେ । ବନ୍ୟାଞ୍ଚଳର ଏରିୟଲ୍ ସର୍ଭେ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ବନ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀ, ଏସ୍ପି ଋଷିକେଶ ଡି ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଚଳିତ ଅଗଷ୍ଟରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୬୮୪.୧୬ ମିଲିମିଟର ବର୍ଷା ହୋଇଛି । ଯାହା ସାଧାରଣ ବୃଷ୍ଟିପାତଠାରୁ ୪୨୪.୮୯ ମିମି ଅଧିକ ରହିଛି । ଏଥିଯୋଗୁ ମାଲକାନଗିରି, କୋରୁକୋଣ୍ଡା, ମାଥିଲି, ପଡିଆ, କାଲିମେଳା ବ୍ଲକର ଖାଲୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଟେରୁ, କାଙ୍ଗୁରକୋଣ୍ଡା, ପୋଟେରୁ କନ୍ୟାଶ୍ରମ, ଏମଭି-୩୭, କୋରକୁଣ୍ଡା, ଏମଭି-୯୬, ଏମଭି-୯, ପାଙ୍ଗାମ, ଚାଲାଣଗୁଡା ଅଞ୍ଚଳରେ ଥିବା ନିଚ୍ଚା ପୋଲଗୁଡିକ ପାଣିରେ ବୁଡି ଯାଇ ଦୀର୍ଘ ଚାରିଦିନ ଧରି ଯୋଗାଯୋଗ ବଚ୍ଛିନ୍ନ ହୋଇଥିଲା । ବନ୍ୟାରେ କାଲିମେଳା, ମାଥିଲି, ପଡିଆ,ଖଇରପୁଟ ବ୍ଲକରେ ଅଧିକ କ୍ଷତି ହୋଇଥିଲା । ୯ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳରେ ୪୮୦ ଜଣଙ୍କୁ ରଖାଯାଇଥିଲା । ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons