କଟକ,(ବି.ବି.ନୁ୍ୟଜ): ‘ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଯିଏ ସ୍ୱର ଉଠାଇଲା ତାକୁ ମାରିଦେଲେ । କଣ୍ଠରୋଧ କରିବାକୁ ଯାଇ ଶାସକ ଦଳ ଏମିତି ଆଉ କେତେ ହତ୍ୟା କରିବ?’ – ଏଭଳି ପ୍ରଶ୍ନ ଉଠାଇ ଆଜି ପୁଲିସ୍ ଡିଜିଙ୍କ ଅଫିସ୍ ଘେରାଉ କରିଛି ବିଜେପି । ଗତ ୨ତାରିଖ ଦିନ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାର ନ୍ୟାୟୋଚିତ ତଦନ୍ତ ଏବଂ ଏତଲାରେ ନାଁ ଥିବା ସମସ୍ତଙ୍କ ଗିରଫଦାରି ଦାବି କରି ବିଜେପି ଆଜି ଆନେ୍ଦାଳନକୁ ଓହ୍ଲାଇଥିଲା । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଆରୋପୀଙ୍କୁ ଗିରଫ କରାଯିବାକୁ ଦୃଢ ଦାବି କରିଥିଲା ।
ଡିଜି ଅଫିସ୍ ଘେରାଉ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ପରେ ବିଜେପିର ପ୍ରତିନିଧି ମଣ୍ଡଳୀ ପୁଲିସ୍ ଡିଜି ଅଭୟଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୦ଦିନ ମଧ୍ୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହିଁ ବିଜେପି । ବିଜେପି ନେତୃମଣ୍ଡଳୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଡିଜି ନିଜ ଅସହାୟତା ପ୍ରକାଶ କରୁଛନ୍ତି । ନିଷ୍ପତ୍ତି ନେବାର କ୍ଷମତା ଡିଜିପିଙ୍କର ନାହିଁ । ତେଣୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଦଳ ଗ୍ରହଣ କରିବ ବୋଲି ବିଜେପି ତରଫରୁ କୁହାଯାଇଛି ।
ଆଜି ବିଜେପି ନେତା ଓ କର୍ମୀମାନେ ମାତା ମଠ ଛକରୁ ବାହାରି ଶୋଭାଯାତ୍ରାରେ ଡିଜିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାରିକେଡିଂ ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଭେଦିବାକୁ କର୍ମୀମାନେ ପ୍ରୟାସ କରିଥିବା ବେଳେ ପୁଲିସ୍ ସହ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଶୋଭାଯାତ୍ରା ସମୟରେ ନ୍ୟାୟ ଦାବି କରି ରଣହୁଙ୍କାର ଦେଇଥିଲା ବିଜେପି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ, ମାହାଙ୍ଗାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିଦେ୍ର୍ଧଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି । କୁଳମଣି ଓ ଦିବ୍ୟସିଂହଙ୍କୁ ଯେଭଳି ନିର୍ମମ ଭାବେ ହତ୍ୟା କରାଗଲା ତାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ଜଣଙ୍କ ନାଁରେ ଏତଲା ଦିଆଯାଇଛି । ତେଣୁ ପୁଲିସ୍ ମନ୍ତ୍ରୀଙ୍କ ସମେତ ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରୁ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଥିଲେ, ବିଗତ ଦିନରେ ବିଜେପିର ୧୭ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଛନ୍ତି । ଏ ସବୁର ବିଚାର ହେବା ଦରକାର । ରାଜ୍ୟ ସରକାର ଏନେଇ ଜବାବ୍ ରଖନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା । ସେହିପରି ବିଜୟ ପାଲ ସିଂ ତୋମର୍ କହିଥିଲେ, ଶାସକ ବିଜେଡ଼ି ଭୟଭୀତ ହୋଇପଡିଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ପୂର୍ବତନ ମନ୍ତ୍ରୀ କେ.ଭି. ସିଂହଦେଓ, ମନମୋହନ ସାମଲ, ସୁରମା ପାଢୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ପ୍ରକାଶ ସୋରେନ, ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ପିଙ୍କି ପ୍ରଧାନ, ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସୀସ ଆଚାର୍ଯ୍ୟ, ସଂଖାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପ;ନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୂ ପ୍ରସାଦ ତରାଇ, କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ନଗର ଜିଲ୍ଳା ସଭାପତି ଲଲାଟେନ୍ଦୁ ବଡ଼ୁ, ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.