ମା’ ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନ୍ୟୁଜ୍): ବୁଧବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୋକନାଥ ସାହୁ ମାତୃହନ୍ତା ପୁଅ ଧରଣୀ ମୁଣ୍ଡା(୪୦) କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଧରଣୀର ଟାଙ୍ଗିଆ ଚୋଟରେ ମା’ ମିଝାରୀ ମୁଣ୍ଡା(୭୦)ର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ସାକ୍ଷୀ ଥିଲେ ୪ର୍ଥ ଶ୍ରେଣୀର ନାବାଳକ । ନାବାଳକ ଜଣଙ୍କ ଅଭିଯୁକ୍ତଙ୍କ ଭଣଜା । ଅଦାଲତରେ ନାବାଳକ ଜଘନ୍ୟ ହତ୍ୟାକାଣ୍ଡର ବର୍ଣ୍ଣନା କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ତୁଲାଇଥିବା ଚର୍ଚ୍ଚାର ବିଷୟ ହୋଇଛି ।
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସଲେଇକନା ଗ୍ରାମରେ ୨୦୧୫ ମେ’ ୩ ତାରିଖ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ଗ୍ରାମର ମିଝାରୀ ମୁଣ୍ଡାଙ୍କୁ ନିଜ ପୁଅ ଧରଣୀ ମୁଣ୍ଡା ହତ୍ୟା କରିଥିଲା । ଧରଣୀ ଖାଇବାକୁ ମାଗିବା ସମୟରେ ମିଝାରୀ ଶାଗ ଭାଜୁଥିଲେ । ଖାଇବାକୁ ଦେବା ବିଳମ୍ବ ଘଟିବାରୁ ଅଭିଯୁକ୍ତ ନୃଶଂସ ଭାବେ ଏକ ଟାଙ୍ଗିଆରେ ମା’ଙ୍କ ମୁଣ୍ଡକୁ କାଟି ଗୋଡାଇ ଦେଇଥିଲା । ଏହି ସମୟରେ ମିଝାରୀଙ୍କ ନାତି ନିମାଙ୍କ ଆଖି ସାମ୍ନାରେ ହତ୍ୟାକାଣ୍ଡ ଘଟିଥିଲା । ଭୟରେ ନାବାଳକ ଜଣଙ୍କ ନିକଟସ୍ଥ ଜଣେ ସମ୍ପର୍କୀୟ ଶଙ୍କର ମୁଣ୍ଡାଙ୍କୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲା । ଶଙ୍କର ଘଟଣାସ୍ଥଳକୁ ଆସି ଦେଖିବା ବେଳକୁ ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଝାରୀଙ୍କ ମୃତ ଶରୀର ପଡି ରହିଥିଲା । ଏଥିନେଇ ଶଙ୍କର ତେଲକୋଇ ଥାନାରେ ସେହିଦିନ ଅଭିଯୋଗ କରିବା ପରେ ପୁଲିସ ୪୧ା୧୫ରେ ମାମଲା ରୁଜୁ କରିଥିଲା । ଥାନାଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ନିକଟସ୍ଥ ମହୁଲଗଛ ନିକଟରେ ପଡି ରହିଥିବା ବେଳେ ପୁଲିସ ଜବତ କରିଥିଲା । ଅଭିଯୁକ୍ତ ଧରଣୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ଏକ ମର୍ମସ୍ପର୍ଶୀ ହତ୍ୟାକାଣ୍ଡ ଘଟିଥିବାରୁ ଅଭିଯୁକ୍ତ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଅଦାଲତ ନାମଞ୍ଜୁର କରିଥିଲେ । ୧୪ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜମାନବନ୍ଦୀ ଦେଇଥିଲେ । ତଦନ୍ତକାରୀ ଅଧିକାରୀଙ୍କ ବଳିଷ୍ଠ ପ୍ରମାଣପତ୍ର ଏବଂ ସାକ୍ଷୀଙ୍କ ବୟାନ ସହିତ ନାବାଳକଙ୍କ ଜମାନବନ୍ଦୀକୁ ଆଧାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୋକନାଥ ସାହୁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗିବା ସହିତ ୫ ହଜାର ଟଙ୍କା ଜରିମାନା ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଡିସନାଲ ପିପି ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons