ଜୟପୁର,(ବି.ବି.ନ୍ୟୁଜ୍): ଜୟପୁରରେ ଏଣ୍ଟ୍ରି କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ । ବିଜେଡିର ମିଶ୍ରଣପର୍ବ ନାଁରେ ସେ ଏଣ୍ଟ୍ରି କରିଥିବା ଜୋରଦାର ଚର୍ଚ୍ଚା ହେଉଛି । ଜିଲ୍ଲା ସଭାପତି ଭାବେ ପ୍ରଥମ ଥର ପାଇଁ ଜୟପୁରରେ ବିଜେଡିର ଏହି କାର୍ଯ୍ୟକ୍ରମରେ ସେ ଅଧ୍ୟକ୍ଷତା କରିଛନ୍ତି । ଆଗକୁ ପୌର ନିର୍ବାଚନ ଥିବା ବେଳେ ଈଶ୍ୱରଙ୍କ ଏଭଳି ଅପ୍ରତ୍ୟାଶିତ ଏଣ୍ଟ୍ରିକୁ ନେଇ ବିଭିନ୍ନ ମହଲରେ ଚାଲିଛି ଭିନ୍ନ ଭିନ୍ନ ଅଙ୍କକଷା । କିଏ କହୁଛି, ଆଗାମୀ ଦିନରେ ଈଶ୍ୱର ଜୟପୁରରେ ବିଜେଡିର ମଙ୍ଗ ଧରିବାକୁ ଯାଉଛନ୍ତି । ଆଉ ପୁଣି କିଏ କହୁଛି, ଆଗାମୀ ବିଧାନସଭା ନିର୍ବାଚନ ଉପରେ ରହିଛି ଈଶ୍ୱରଙ୍କ ଆଖି । ତେବେ ପୂର୍ବତନ ମନ୍ତ୍ରୀ ରବି ନାରାୟଣଙ୍କ ଅନୁପସ୍ଥିତିରେ ବିଜେଡିର ମିଶ୍ରଣ ପର୍ବ ହେବା କଥାକୁ ଅନେକ ସହଜରେ ହଜମ କରିପାରି ନାହାନ୍ତି ।
ନିର୍ବାଚନ ଫଳାପଳ ଘୋଷଣାକୁ ୨୦ ଦିନ ବିତିନି । ବିଜେଡି ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ । ୩ ଜଣ କଂଗ୍ରେସ କର୍ମୀ ଓ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ । ପୂର୍ବରୁ ଯେତେଥର ଏଠାରେ ଦଳର ମିଶ୍ରଣ ପର୍ବ ହୋଇଛି, ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ହିଁ ନେତୃତ୍ୱ ନେଇଛନ୍ତି । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ । ପୂର୍ବରୁ ଯେଉଁମାନେ ବିଜେଡିରେ ମିଶୁଥିଲେ ସେମାନେ ଦଳର ଭାବମୂର୍ତ୍ତି ସହ ରବିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦେଉଥିବା କହୁଥିଲେ । ଆଜିର ମିଶ୍ରଣ ପର୍ବରେ କିନ୍ତୁ କେହିହେଲେ ରବିଙ୍କ ନାଁ ଉଠାଇ ନଥିଲେ । ସାବାସୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପ;ନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ । ସେସବୁ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଥିଲେ ।
ଅସଲ କଥା ହେଲା, ଆଗକୁ ରହିଛି ପୌର ନିର୍ବାଚନ । ବିଧାୟକ ପଦରେ ଲଗାତାର ଦୁଇଥର ହାରିଛନ୍ତି ରବି । ଏଥର ଦଳର ମଙ୍ଗ ଧରିବା ନେଇ ଦ୍ୱନ୍ଦ୍ୱ ରହିଛି । ଏହି ବାହାନାରେ ଈଶ୍ୱର ଜୟପୁରର ମଙ୍ଗ ଧରିବା ଲାଗି ଏଣ୍ଟ୍ରି କରିଥିବା କୁହାଯାଉଛି । ଏଠାକୁ ଆସିବା ପୂର୍ବରେ ଈଶ୍ୱରଙ୍କୁ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡିବ । ଏଥିପାଇଁ ମାଲକାନଗିରି ଜିଲ୍ଲାର ଉପପର୍ଯ୍ୟବେକ୍ଷକ ସୁଧୀର ଷଢଙ୍ଗୀଙ୍କ ସହୟତା ନେଇଥାଇପାରନ୍ତି । କାରଣ ଉଭୟ ସୁଧୀର ଗୋଷ୍ଠୀ ଓ ଈଶ୍ୱରଙ୍କୁ ରାଜନୈତିକ ଫାଇଦା ମିଳିବାର ସମ୍ଭାବନା ରହିଛି । ଈଶ୍ୱରଙ୍କୁ ଧରି ସୁଧୀର ଗୋଷ୍ଠୀ ପୌରନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ଲବି କରିପାରନ୍ତି । ଉଭୟଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଆଜିର ମିଶ୍ରଣ ପର୍ବ ଗୁରୁତ୍ୱପୂର୍ଣ୍ଣ ଥିବା ଆଲୋଚନା ହେଉଛି । ତେବେ ଆଗାମୀ ଦିନରେ ସ୍ପଷ୍ଟ ହେବ, ଈଶ୍ୱରଙ୍କ ଏଣ୍ଟ୍ରି ଦଳ ପାଇଁ କେତେ ଶୁଭଙ୍କର ହେବ । ଏଥିସହ ଈଶ୍ୱରଙ୍କ ଏଣ୍ଟ୍ରି ପରେ ରବି ଓ ତାଙ୍କ ସମର୍ଥକମାନେ କେଉଁ ରଣନୀତି ଆପଣାଉଛନ୍ତି । ଚର୍ଚ୍ଚା ହେଉଛି, ଈଶ୍ୱରଙ୍କ ଏଣ୍ଟ୍ରି ପରେ ଜୟପୁର ବିଜେଡିରେ ସମାନ୍ତରାଳ ସମୀକରଣ ଦେଖିବାକୁ ମିଳିବ ।
Comments are closed, but trackbacks and pingbacks are open.