ମୁଁ ପାଟକୁରା କଥା ବୁଝିବି :ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): “ମୁଁ ଆପଣମାନଙ୍କ ପାଖକୁ ଆସିଛି, ଆପଣମାନଙ୍କୁ ମୋର ନମସ୍କାର । ମୋତେ ଆଶୀର୍ବାଦ କରନ୍ତୁ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ । ପାଟକୁରାର ଦାୟିତ୍ୱ ଏବେଠୁ ତାଙ୍କର । ମୁଁ ନିଜେ ନିର୍ବାଚନମଣ୍ଡଳୀର କଥା ଏଣିକି ବୁଝିବି ।’ -ନିର୍ବାଚନୀ ପ୍ରଚାରରେ ଆସି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନମଣ୍ଡଳୀରେ ହାଇଭୋଲ୍ଟେଜ୍ ରୋଡ୍ ସୋ’ କରି ପଥପ୍ରାନ୍ତ ସଭାରେ ପାଟକୁରାବାସୀଙ୍କୁ ସମ୍ବୋଧିତ କରିବା ସହିତ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରାଇବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋଡ୍ ସୋ’ କରିବା ଅବସରରେ ଅତ୍ୟାଧୁନିକ ସୁବିଧା ଖଚିତ ହାଇଟେକ୍ ବସ୍ରେ ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକର ପ୍ରାୟ ୧୨୦ କିଲୋମିଟର ବୁଲିଛନ୍ତି ।
ପାଟକୁରା ନିର୍ବାଚନକୁ ଆଉ ୨ ଦିନ ଥିବା ବେଳେ ଆସନ୍ତାକାଲି ଅର୍ଥାତ ଜୁଲାଇ ୧୮ରେ ପ୍ରଚାର ସରୁଛି । ପ୍ରଚାରରେ ସବୁ ଦଳ ଜାନ୍ ଲଗାଇ ଦେଇଥିବାବେଳ ଆଗରେ ରହିଛି ବିଜେଡି । ଦେଢ଼ମାସ ଆଗରୁ ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ, ନେତା ପାଟକୁରାରେ ଡେରା ପକାଇ ଥିବାବେଳେ ଆଜି ଏଥିରେ ସାମିଲ ହୋଇଛନ୍ତି ଦଳର ସଭାପତି, ପୋଷ୍ଟର୍ ବୟ୍ ତଥା ଷ୍ଟାର୍ କ୍ୟାମ୍ପେନର୍ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ପଞ୍ଚାୟତ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସେଠାରୁ ୧୦ଟା ବେଳକୁ ପୂର୍ବ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁସାରେ ଅତ୍ୟାଧୁନିକ ସୁବିଧା ଖଚିତ ହାଇଟେକ୍ ବସ୍ରେ ରୋଡ୍ ସୋ’ରେ ଯାଇଥିଲେ । ପ୍ରଥମ ପର୍ଯ୍ୟାୟରେ ବାରିମୂଳରୁ ଭାୟା ନହଙ୍ଗ ଛକ ଦେଇ ସନ୍ଥପୁରା, ନହଙ୍ଗ, ନୋଳିଆସାହି ଦେଇ ଚାନ୍ଦୋଳ, ଚଣ୍ଡୀ ବଜାରକୁ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଯାଇ ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିଥିଲେ ।
ପରେ ୧୨ଟା ୪୫ରୁ ଘଣ୍ଟାଏ ଜଣ୍ଟିଲୋ ଡାକ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବା ପରେ ୧ ଟା ୪୫ ବେଳକୁ ହଳଦିଆଗଡ଼ା, ଗରଦପୁର ବ୍ଲକ, ନୂଆପଡ଼ା, ନଡ଼ିଆବରେଇ, ପୁଣି ସେଠାରୁ ମାର୍ଶାଘାଇ ବ୍ଲକ୍ର ବନ୍ଧକଟା, ପେଣ୍ଠ, କୁଳସାହି ଛକ, ରଙ୍କାଳଗଡ଼ା, କରିଲୋପାଟଣା ହାଟଯାଏ ଯାଇଥିଲେ । କରିଲୋପାଟଣାଠାରେ ସରିଥିଲା ୧୨୦ କିଲୋମିଟର ବ୍ୟାପୀ ରୋଡ୍ ସୋ’ । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରାକୁ ନେଇ ସବୁଠି ଥିଲା ଅସମ୍ଭବ ଗହଳି । ସବୁ ଛକରେ ସମବେତ ହୋଇଥିଲେ ହଜାର ହଜାର ଜନସାଧାରଣ । ନବୀନଙ୍କ ମାତ୍ର କେଇପଦ କଥା ସମସ୍ତଙ୍କୁ ଖୁସ୍ କରିଦେଇଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ରୋଡ୍ ସୋ’ ସରିବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ଥିଲେ ବି ପ୍ରାୟ ଘଣ୍ଟାଏ ବିଳମ୍ୱରେ ସରିଥିଲା । ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଆଯିବା ସହିତ ମହିଳାମାନଙ୍କ ହୁଳହୁଳି ଶବ୍ଦରେ ସାରା ଅଞ୍ଚଳ କମ୍ପି ଉଠିଥିଲା । ଏହି ରୋଡ୍ ସୋ’ରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା ସାମିଲ୍ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons