ଜୟପୁର,(ବି.ବି.ନୁ୍ୟଜ): କୋରାପୁଟରୁ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ଅଭିଯୋଗରେ ମୁମ୍ବାଇ ଏଟିଏସ୍(ଆଣ୍ଟି ଟେରରିଜିମ୍ ସ୍କ୍ୱାଡ୍) ନାଗପୁର ଶାଖା ଜଣେ ମାଫିଆକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ସଦର ଥାନା କଳାଗୁଡ଼ାର ଖଗପତି ପାଙ୍ଗି(୪୫) । ଗିରଫ ପରେ ଏଟିଏସ୍ ଟିମ୍ ଖଗପତିକୁ ନାଗପୁର ନେଇଯାଇଛି । ସେଠାରେ ତାକୁ କୋର୍ଟରେ ହାଜର କରାଯିବ । ଏହି ଲିଙ୍କ୍ରେ ଥିବା ଅନ୍ୟ କିଛିଜଣଙ୍କ ଘରେ ଚଢ଼ଉ କରିଥିଲା ସଦର ପୁଲିସ । ସେମାନେ ଫେରାର ଥିବା ସୂଚନା ଦେଇଛନ୍ତି ଓଆଇସି ଆଦିତ୍ୟ ମହାକୁଡ଼ ।
ପୁଲିସ ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୭ରେ ନାଗପୁର ଏମ୍ଆଇଡିସି ଥାନା ପକ୍ଷରୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଅଭିଯୁକ୍ତକୁ ଧରାଯାଇଥିଲା । ସେ ହେଲା ଭେଙ୍କେଟ ବାବୁରାଓ ମୋହିତେ । ଏ ସମ୍ପର୍କରେ ଥାନାରେ ୩୬୯/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ପଚରାଉଚରା ବେଳେ ସେଠାର ୨୦ରୁ ୨୫ ଜଣ ବ୍ୟବସାୟୀ କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ନେଇ କାରବାର କରୁଥିବା ଜଣାପଡ଼ିଥିଲା । ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ଦାୟିତ୍ୱ ଗ୍ରହଣ ପରେ ଗଞ୍ଜେଇ ବିକ୍ରେତା ଏବଂ କ୍ରେତା ଉଭୟଙ୍କୁ ସାବାଡ୍ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି । ଗଞ୍ଜେଇ ଚେନ୍ ଭାଙ୍ଗିବା ଲାଗି ବିଭିନ୍ନ ରାଜ୍ୟର ପୁଲିସ ସହ ଯୋଗାଯୋଗ କରାଯାଇଛି । ଭେଙ୍କେଟକୁ ପଚରାଉଚରା ବେଳେ ସେ କଳାଗୁଡ଼ାର ଖଗପତି ସହ ଅନ୍ୟ କେତେକଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ଏହି ତଥ୍ୟକୁ ଆଧାର କରି ଗତ ୯ ତାରିଖ ରାତିରେ ଏଟିଏସ୍ ଏସ୍ଆଇ ଆଶିଷ ଠାକୁର୍ଙ୍କ ନେତୃତ୍ୱରେ ଏକ ଟିମ୍ ଭେଙ୍କେଟକୁ ସାଙ୍ଗରେ ଧରି ଏଠାରେ ପହଞ୍ଚିଥିଲେ । ଓଆଇସି ଶ୍ରୀ ମହାକୁଡ଼, ଏଏସ୍ଆଇ ଗଣେଶପ୍ରସାଦ ବେହେରା ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ କଳାଗୁଡାରେ ଚଢଉ କରାଯାଇଥିଲା । ଖଗପତିକୁ ଗିରଫ କରାଯାଇଥିଲା । ଅନ୍ୟ କେତେଜଣ ଘରେ ନଥିବାରୁ ସଫଳତା ମିଳି ନଥିଲା । ଡାକ୍ତରୀମାଇନା ପରେ ଅଧିକ ତଦନ୍ତ ଲାଗି ଏଟିଏସ୍ ଟିମ୍ ଅଭିଯୁକ୍ତକୁ ସାଙ୍ଗରେ ନେଇ ନାଗପୁର ଚାଲିଯାଇଥିଲା । ୨୪ ଘଣ୍ଟା ଭିତରେ ତାକୁ ସେଠାକାର କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.