ଯୋଡା, (ବି.ବି.ନ୍ୟୁଜ୍): ଚମ୍ପୁଆ ଫରେଷ୍ଟ ରେଞ୍ଜ ତଥା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଚମକପୁର ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୨ ଟିକିଆ ହାତୀ ଉତ୍ପାତ ଚଳାଇଛନ୍ତି । ୪ ଜଣଙ୍କ ଘର ଭାଙ୍ଗିବା ସହ ଖାଦ୍ୟଶସ୍ୟ ଖାଇ ଦେଇଛନ୍ତି । ଏହି ହାତୀପଲରେ ୬ ଟି ଦନ୍ତା ଏବଂ ୫ଟି ଛୁଆ ହାତୀ ଓ ମାଈ ହାତୀ ୧୧ ରହିଥିବା ସୂଚନା ମିଳିଛି ।
ଶନିବାର ବିଳମ୍ବିତ ରାତିରେ ହାତୀପଲ ଚମକପୁର ଜଙ୍ଗଲରୁ ବାହାରି ମୁରୁସୁଆଁ ଗ୍ରାମରେ ପଶି ପ୍ରାୟ ୫ ଘଣ୍ଟା କାଳ ଉତ୍ପାତ କରିଥିଲେ । ଗ୍ରାମର କୁଶ ବଦ୍ରା ଏବଂ ଲୁଣଗୋଠାଣି ଗ୍ରାମର ୪ଟି ଘର ଭାଙ୍ଗି ଦେଇଥିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ତେବେ ଉଭୟ ପରିବାରର ସଭ୍ୟ ଘଟଣା ସମୟରେ ଚେଇଁ ଥିବାରୁ ହାତୀଦଳଙ୍କ ଶବ୍ଦ ଶୁଣି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । କିନ୍ତୁ ହାତୀପଲ ଘରର ଆସବାପତ୍ର ନଷ୍ଟ କରିବା ସହ ଗଚ୍ଛିତ ଚାଉଳ ଓ ଖାଦ୍ୟଶସ୍ୟ ଖାଇ ନଷ୍ଟ କରିଛନ୍ତି । ଚମ୍ପୁଆ ରେଞ୍ଜର ଓ ଫରେଷ୍ଟ କର୍ମଚାରୀ ଗ୍ରାମବାସୀଙ୍କ ସହଯୋଗରେ ନିଆଁହୁଳା ଦେଖାଇ ଓ ବାଣ ଫୁଟାଇ ପ୍ରାୟ ୫ ଘଣ୍ଟା ପରେ ହାତୀପଲକୁ ଜଙ୍ଗଲ ମଧ୍ୟକୁ ପଠାଇଛନ୍ତି ।
Comments are closed, but trackbacks and pingbacks are open.