ନୟାଗଡ଼,(ବି.ବି.ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କଲ୍ୟାଣପୁର ଗ୍ରାମର ରବି ପ୍ରଧାନ(୨୩) ଅପହରଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ରବିଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିରାକାରପୁର ଥାନା ବଡ଼ପୋଖରିଆ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ତେବେ ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଧରିିବା ସହ ଘଟଣା ସ୍ଥଳରୁ ମୃତକଙ୍କ ଅଧାପୋଡ଼ା ସାର୍ଟ, ହାଡ଼ ଓ ଖପୁରୀ ଜବତ କରିଛି । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଛି । ଏହି ହତ୍ୟା ଘଟଣାର ମୁଖ୍ୟ କାର୍ପଟଦାର କଲ୍ୟାଣପୁର ଗ୍ରାମର ସରପଞ୍ଚଙ୍କ ପୁଅ ଜ୍ୟୋତିର୍ମୟ ମହାନ୍ତି ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ସରପଞ୍ଚଙ୍କ ପୁଅ ଜ୍ୟୋତିର୍ମୟ ମହାନ୍ତି ଓରଫ କାଳୁ ଓ ଶ୍ରୀନିବାସ ପାତ୍ର ପହିଲି ରଜରେ ରବିଙ୍କୁ ଅପହରଣ କରି ନେଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ଚୁପ୍ ହୋଇ ଯାଇଥିଲା । ଘଟଣାର ୧୯ଦିନ ପରେ ପୁଲିସ୍ ରବିଙ୍କର ସନ୍ଧାନ ପାଇଛି । ଅପହରଣ ପରେ ରବିଙ୍କୁ ତଣ୍ଟିଚିପି ହତ୍ୟା କରାଯାଇ ଏକ ନିଛାଟିଆ ଜଙ୍ଗଲ ଭିତରେ ପେଟ୍ରୋଲ ଢାଳି ଓ ଶବ ଉପରେ ଟାୟାର ପକାଇ ପୋଡ଼ି ଦିଆଯାଇଛି । ଏ ସମ୍ପର୍କିତ ତଥ୍ୟ ମିଳିବା ପରେ ପୁଲିସ୍ ଗୁରୁବାର ଘଟଣାସ୍ଥଳକୁ ଯାଇଥିଲା । ତେବେ ରାତି ହୋଇଯିବାରୁ ତଦନ୍ତ କରି ନ ପାରି ଫେରିଆସିଥିଲା । ଆଜି ସକାଳ ୧୦ଟାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପୋଡ଼ା ହାଡ଼, ଖପୁରୀ ଏବଂ ଅଧାଜଳା ସାର୍ଟ ଜବତ କରି ଫେରିଛି । ହେଲେ ଅତି ଚତୁରତାର ସହିତ ଏହି ହତ୍ୟାକାଣ୍ଡ ଘଟାଇଥିବା କାଳୁ ଏବଂ ତା’ର ସହଯୋଗୀ କୁହାଯାଉଥିବା ପ୍ରାୟ ୭ରୁ ଅଧିକ ଯୁବକ ଫେରାର ହୋଇଯାଇଛନ୍ତି । ତେବେ ସ୍ଥାନୀୟ କିଛି ଯୁବକ ହତ୍ୟାକାଣ୍ଡରେ ସଂପୃକ୍ତ କାଳୁର ଜଣେ ସହଯୋଗୀକୁ ଧରି ପୁଲିସ୍ ଜିମା ଦେବା ପରେ ହତ୍ୟାକାଣ୍ଡର ଗୁମର ଖୋଲିଛି ।
ରବି ଓ କାଳୁ ଗୋଟିଏ ଗ୍ରାମର ହୋଇଥିଲା ବେଳେ ଉଭୟଙ୍କ ମଧ୍ୟରେ ବିରୋଧୀ ମନୋଭାବ ଲାଗି ରହିଥିଲା । ରବି ବିଜେଡି ପାଇଁ କାମ କରୁଥିବା ବେଳେ କାଳୁ ବିଜେପି ସମର୍ଥକ ଥିଲା । ଗତ ପଞ୍ଚାୟତ ନିର୍ବାଚନରେ କାଳୁ ନିଜ ମାଆଙ୍କୁ ସରପଞ୍ଚ ପ୍ରାର୍ଥୀ କରିଥିଲା ଓ ଏଥିରେ ସେ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ରବି କାଳୁ ବିରୋଧରେ କାର୍ଯ୍ୟ କରୁଥିଲେ । ସେହିଭଳି କାଳୁ ଗ୍ରାମରେ କେତେକ ଯୁବକଙ୍କୁ ଧରି କଙ୍ଗାରୁ କୋର୍ଟ ଜରିଆରେ ନିରୀହ ଲୋକମାନଙ୍କୁ ହଇରାଣ ହରକତ କରୁଥିଲା । ଏହାକୁ ରବି ବିରୋଧ କରୁଥିଲେ । ଏପରିକି ଗାଁ ବୈଠକଠାରୁ ଆରମ୍ଭ କରି ପଞ୍ଚାୟତରେ କରାଯାଉଥିବା କେତେକ ନିଷ୍ପତ୍ତି ଓ କାର୍ଯ୍ୟକୁ ମଧ୍ୟ ରବି ବିରୋଧ କରି ଆସୁଥିଲେ । ଏହାକୁ କେନ୍ଦ୍ର କରି କିଛି ମାସ ତଳେ ଅଭିଯୁକ୍ତ କାଳୁ ତା’ର ସହଯୋଗୀଙ୍କ ସହ ରବିଙ୍କ ଅନୁପସ୍ଥିତିରେ ତାଙ୍କ ବାପା ଓ ଭାଇଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା । ଯାହାକି ଏବେ ମଧ୍ୟ କୋର୍ଟରେ ବିଚାରାଧୀନ କରିଛି । ଏହି ଘଟଣା ପରେ ଅଭିଯୁକ୍ତ କାଳୁ ପ୍ରତିହିଂସାପରାୟଣ ହୋଇ ରବିଙ୍କୁ ସବୁଦିନ ରାସ୍ତାରୁ ହଟାଇଦେବାକୁ ନୟାଗଡ଼ରେ ଥିବା ତା’ର ଭଡ଼ା ଗରେ ଯୋଜନା ପ୍ରସ୍ତୁତ କରିଥିଲା । ଏପରିକି ବ୍ରହ୍ମପୁରର ଏକ ସୁପାରି କିଲରକୁ ୬ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା । ତେବେ ସେମାନେ ରବିଙ୍କୁ ମାରିବା ପାଇଁ ସୁଯୋଗ ନ ପାଇବାରୁ ଉକ୍ତ ଟଙ୍କା ଫେରସ୍ତ କରିଥିଲେ । ବିଧାନସଭା ନିର୍ବାଚନରେ କାଳୁ ସମର୍ଥନ କରୁଥିବା ଦଳ ହାରିଯିବାରୁ ରବି କାଳୁକୁ ଟାହିଟାପରା କରିଥିଲେ । ଏହାକୁ ସହ୍ୟ କରି ନପାରି ରବିଙ୍କୁ ଜୀବନରୁ ମାରିଦେବାକୁ କାଳୁ ଯୋଜନା କରିଥିଲା । ତେବେ ଏଥିପାଇଁ ସୁଯୋଗ ନ ମିଳିବାରୁ ଅଭିଯୁକ୍ତ କାଳୁ ପଡ଼ୋଶୀ ଜାମୁଝଲା ଗ୍ରାମର ବାଳକୃଷ୍ଣ ବରାଡ଼(୩୫) ଓରଫ ବୁଲୁକୁ ହାତ କରିଥିଲା । ବୁଲୁ ଖୋର୍ଦ୍ଧା ଜିଲ୍ଲାରେ ଏକ କ୍ରସରରେ କାମ କରୁଥିଲା । ଯୋଜନା ମୁତାବକ ଜୁନ୍ ୪ ତାରିଖଠାରୁ ବୁଲୁ ଛଳନା ପୂର୍ବକ ବନ୍ଧୁତା କରି ରବି ସହିତ ମିଶି ମଦ୍ୟପାନ କରିବା ଆରମ୍ଭ କରିଥିଲା । ପ୍ରଥମ ରଜ ଦିନ କାଳୁ ତା’ର ସହଯୋଗୀ ବୁଲୁକୁ ନୟାଗଡ଼ ଭଡ଼ା ଘରକୁ ଡକାଇ ଆଜି କାମ ଶେଷ କରିଦେବା ବୋଲି କହିଥିଲା ।
Comments are closed, but trackbacks and pingbacks are open.