ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଞ୍ଚଲ୍ୟ
ଅନୁଗୁଳ,(ବି.ବି.ନ୍ୟୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାର ମଧ୍ୟରେ ସଂରକ୍ଷିତ ଥିବା ୪ ବର୍ଷର ଏକ ମୃତ ଶିଶୁକନ୍ୟାର ଆଖି ଗାଏବ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ଘଟଣାକୁ କେନ୍ଦ୍ର କରି ଆଜି ଦିନତମାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଶିଶୁକନ୍ୟାର ପରିବାର ଓ ସମ୍ପର୍କୀୟ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କ୍ଷତିପୂରଣ ସାଙ୍ଗକୁ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଚିକିତ୍ସାଳୟର ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲେ ।
ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଏଥିରେ ଯାହାର ବି ସମ୍ପୃକ୍ତି ଥିବ କିମ୍ବା ଯେଉଁ ସ୍ତରରେ ଅବହେଳା ହୋଇଥିବ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋଲି ସିଡିଏମ୍ଓ ଡା. ପ୍ରତାପ ବେହେରା ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସେପଟେ ମୃତ ଶିଶୁ କନ୍ୟାର ମା’ଙ୍କ ଅଭିଯୋଗ ଆଧାରରେ ଅନୁଗୁଳ ପୁଲିସ୍ ଏକ ମାମଲା ରୁଜୁ କରିଛି । ସନ୍ଧ୍ୟାରେ ୨ ଜଣ ଡାକ୍ତର ଓ ଭିଡିଓଗ୍ରାଫି ଟିମ୍ ସହାୟତାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ସୂଚନା ମୁତାବକ, ମୃତ ଶିଶୁକନ୍ୟା ଅଞ୍ଜନ ଗୋଛାୟତ ଓ ସିଲା ଗୋଛାୟତଙ୍କ ଝିଅ ପ୍ରୀତି । ଘର ବଅଁରପାଳ ଥାନା ନୂଆହତା ଗ୍ରାମରେ । କିଛି ଦିନ ହେଲା ପ୍ରୀତି ଜ୍ୱରରେ ପଡ଼ିଥିଲା । ଗୁରୁବାର ସନ୍ଧ୍ୟାରେ ହଠାତ୍ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ପ୍ରୀତିକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ମୃତଦେହ ଘରକୁ ଫେରାଇ ନେଇଥିଲେ ମଧ୍ୟ ମନ ମାନି ନଥିଲା । ଘରେ ଝିଅ ଦେହରେ ତେଲ ମାଲିସ୍ କରିବା ପରେ ହଠାତ୍ ଝିଅ ହାତ ହଲାଇଥିଲା । ଆଖି ଖୋଲି ସମସ୍ତଙ୍କୁ ଦେଖିଥିଲା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି । ଝିଅ ବଞ୍ଚିଥିବା ଆଶାକରି ରାତି ୧୧ଟା ୪୦ ମିନିଟ୍ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରୀତିକୁ ଭର୍ତ୍ତି କରାଯାଇଥିଲା । ହେଲେ ଡ୍ୟୁଟିରେ ଥିବା ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ପ୍ରୀତିର ମୃତ୍ୟୁ ହୋଇ ସାରିଥିବା ସୂଚନା ଦେଇଥିଲେ । ପରିବାର ଲୋକ ଝିଅର ଶବକୁ ଘରକୁ ଫେରାଇ ନେବା ବେଳେ ଡାକ୍ତର ବାରଣ କରିଥିଲେ । ଏ ସମ୍ପର୍କରେ ଥାନାକୁ ସୂଚନା ଦିଆଯାଇଛି (ଏମ୍ଏଲ୍ସି) ଏବଂ ଶବ ବ୍ୟବଚ୍ଛେଦ ପରେ ଛଡ଼ାଯିବ ବୋଲି କହିଥିଲେ । ପରିବାର ଲୋକଙ୍କ ଅନୁରୋଧ ସତ୍ତେ୍ୱ ଡାକ୍ତର ଶିଶୁକନ୍ୟାର ଶବକୁ ଛାଡ଼ି ନଥିଲେ । ଡାକ୍ତରଖାନା କର୍ମଚାରୀ ଶବ ସଂରକ୍ଷଣଗାର ମଧ୍ୟରେ ମୃତଦେହ ରଖି ତାଲା ଠୁଙ୍କି ଦେଇଥିଲେ । ଶିଶୁ କନ୍ୟାର ମା, ବାପା ଓ ତାଙ୍କ ଆଈ ଡାକ୍ତରଖାନାରେ ରହି ବ୍ୟବଚ୍ଛେଦ ପାଇଁ ଅପେକ୍ଷା କରିଥିଲେ ।
ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟା ବେଳେ ବଅଁରପାଳ ପୁଲିସ୍ ଉପସ୍ଥିତିରେ ପଞ୍ଚନାମା ପାଇଁ ପ୍ରୀତିର ଶବ ପଦାକୁ ବାହାର କରିଥିଲେ । ମାତ୍ର ଶିଶୁ କନ୍ୟାକୁ ଦେଖି ପରିବାର ଲୋକ ହତ୍ବାକ୍ ହୋଇ ପଡ଼ିଥିଲେ । ଏପରିକି ପୁଲିସ କର୍ମଚାରୀ ଓ ଦେଖଣାହାରୀ ବି ଚକିତ ହୋଇ ଯାଇଥିଲେ । ମୃତ ଶିଶୁକନ୍ୟାର ଆଖି ଦୁଇଟି ଗାଏବ ହୋଇ ଯାଇଥିଲା ବେଳେ ନାକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଏନେଇ ଉଦ୍ବେଗ ଜଣାଇବା ପରେ ଡାକ୍ତରଖାନାର ଜଣେ କର୍ମଚାରୀ ମୂଷା କି ନେଉଳ ଖାଇ ଦେଇଛି ବୋଲି କହି ଏଡ଼ାଇ ଯାଇଥିଲେ । ଶବ ସଂରକ୍ଷଣଗାର ମଧ୍ୟରେ ଫ୍ରିଜର୍ ଭିତରେ ଶବ ରହିଥିବା ବେଳେ କବାଟ, ଝରକା ବନ୍ଦ ରହୁଛି । ତେଣୁ ମୂଷା କି ନେଉଳ ଆଖି ଖାଇଯିବା କଥାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ । ଏ ନେଇ ଡାକ୍ତରଖାନା ପଦାଧିକାରୀ ବି କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ । ତେଣୁ ଆଖି ଚୋରି ହୋଇଥିବା ନେଇ ମୃତ ଶିଶୁ କନ୍ୟାର ସମ୍ପର୍କୀୟ ଓ ପରିବାର ଲୋକ ଚିକିତ୍ସାଳୟରେ ହୋ ହାଲ୍ଲା କରିଥିଲେ ।
ଏହି ଘଟଣାକୁ କେନ୍ଦ୍ରକରି ଦିନ ତମାମ୍ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ପାଇଁ ପରିବାର ଲୋକ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅନ୍ୟ କିଛି ଲୋକ ମୁଖ୍ୟ ଫାଟକ ବନ୍ଦ ରଖିବା ସହ ଆଉଟ୍ଡୋର୍ ବନ୍ଦ କରି କାର୍ଯ୍ୟରତ ଡାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଫଳରେ କିଛି ସମୟ ପାଇଁ ରୋଗୀସେବା ବାଧାପ୍ରାପ୍ତ ହେବା ସହ ପରିସ୍ଥିତି ମୁକାବିଲା କରିବା ପାଇଁ ପୁଲିସ୍ ନାକେଦମ୍ ହୋଇଥିଲା । ଏସ୍ଡିପିଓ ଅଶ୍ୱିନୀ କୁମାର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମାତ୍ର କିଛି ସୁଫଳ ମିଳିନଥିଲା । ଅପରାହ୍ଣ ପ୍ରାୟ ୨ଟା ବେଳେ ସିଡିଓମ୍ଓ ଏକ ବୈଠକରୁ ଫେରିବା ପରେ ଲୋକଙ୍କୁ ବୁଝାସୁଝା କରିଥିଲେ । ଘଟଣା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ଶିଶୁ କନ୍ୟାର ଆଖି ଚୋରି ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପରିବାର ଲୋକଙ୍କୁ କହିଥିଲେ । ତଥାପି ଅପରାହ୍ଣ ସାଢେ ୫ଟା ପର୍ଯ୍ୟନ୍ତ କିଛି ସମାଧାନର ବାଟ ବାହାରି ପାରି ନଥିଲା । ସେପଟେ ଉତ୍ୟକ୍ତ ଲୋକ ଶିଶୁ କନ୍ୟାର ଶବକୁ ଆଉଟ୍ଡୋର୍ ସାମ୍ନାରେ ରଖି ଧାରଣାରେ ବସି ରହିଥିଲେ ।
ଅପରାହ୍ଣ ସାଢେ ୫ଟାରେ ସିଡିଏମ୍ଓ, ଏସ୍ଡିପିଓ, ମେଡିକାଲ୍ର କିଛି ବରିଷ୍ଠ ଅଧିକାରୀ ଓ ମୃତ ଶିଶୁକନ୍ୟାର ପରିବାର ଲୋକଙ୍କୁ ନେଇ ଆଲୋଚନା ହୋଇଥିଲା । ପରିବାର ଲୋକ ନିରପେକ୍ଷା ତଦନ୍ତ ଦାବି କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ । ଏହାସହିତ ୩ଟି କ୍ଷତିପୂରଣ ଦାବି କରିଥିଲେ । ଆଖି ଚୋରି ପଛରେ ଏକ ର୍ୟାକେଟ୍ ଥିବା ସନ୍ଦେହ କରି ପରିବାର ଲୋକ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ, ମୃତ ଶିଶୁକନ୍ୟାଙ୍କ ବାପାଙ୍କୁ ଡାକ୍ତରଖାନାରେ ଠିକା ନିଯୁକ୍ତି ଓ ରେଡକ୍ରସ ପକ୍ଷରୁ ଶିଶୁକନ୍ୟାର ଶୁଦ୍ଧିକର୍ମ ପାଇଁ ୫୦ ହଜାର ଟଙ୍କା ସହାୟତା ଦାବି କରିଥିଲେ ।
ଦୁଇ ଜଣ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ହେବ ଏବଂ ବ୍ୟବଚ୍ଛେଦର ସମସ୍ତ ପ୍ରକ୍ରିୟାକରଣର ଭିଡି଼ଓ ରେକର୍ଡ଼ିଂ କରାଯିବ । ବ୍ୟବଚ୍ଛେଦ ରିପୋର୍ଟ୍ ଓ ତଦନ୍ତ ରିପୋର୍ଟ୍ ଆସିବା ପରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରିବେ । ରେଡକ୍ରସ୍ ପାଣ୍ଠିରୁ ଯଥାସମ୍ଭବ ଅର୍ଥ ମଞ୍ଜୁରୀ ପାଇଁ ଅନୁରୋଧ କରିବା ସହିତ ମୃତ ଶିଶୁ କନ୍ୟାର ବାପାଙ୍କୁ ଠିକା ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପରେ ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାପଡିଛି । ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ମଗାଯାଇଥିଲା । ଅନୁମତି ମିଳିବା ପରେ ବ୍ୟବଚ୍ଛେଦ ହୋଇଥିଲା । ଘଟଣା ଅତି ସମ୍ବେଦନଶୀଳ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଖି ଗାଏବ ପଛର କାରଣ ଜଣାପଡ଼ିବ । ରିପୋର୍ଟକୁ ଭିତ୍ତି କରି ତଦନ୍ତ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.