ମେଡିକାଲ କଲେଜରେ ବଢ଼ିବ ୩ ଶହ ଶଯ୍ୟା

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୩ ଶହ ଶଯ୍ୟା ବଢ଼ିବ । ଏଥିଲାଗି ଖର୍ଚ୍ଚ ହେବ ୧୦୫ କୋଟି ଟଙ୍କା । ଏଥିରେ ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ । କୋରାପୁଟ ହସ୍ପିଟାଲ ସମ୍ମୁଖ ପଡିଆରେ ଏହି କୋଠା ତିଆରି ହେବ । ତା ପୂର୍ବରୁ ଆଜି ସ୍ଥାନୀୟ ବିଧାୟକ ରଘୁରାମ ପଡ଼ାଲଙ୍କ ସହିତ ମେଡିକାଲ କଲେଜ ଅଧୀକ୍ଷକ ହରେକୃଷ୍ଣ ଦଳେଇ, ବିଜେଡି ନେତା ଅଶ୍ୱିନୀ ସାହୁ, ମେଡିକାଲ କଲେଜ ମ୍ୟାନେଜର ପ୍ରମୁଖ ଜାଗା ବୁଲି ଦେଖିଛନ୍ତି ।
ଏହି ମେଡିକାଲ କଲେଜରେ ଏବେ ୩ ଶହ ଶଯ୍ୟା ରହିଛି । ଆଉ ୩ ଶହ ଶଯ୍ୟା ବଢ଼ିଲେ ରୋଗୀଙ୍କ ଚିକିତ୍ସା ପାଇଁ ସୁବିଧା ହୋଇପାରିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ପଡ଼ାଲ । କାରଣ ଏହି ମେଡ଼ିକାଲ କଲେଜ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ କେବିକେ ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି । ମାତ୍ର ୩ ଶହ ଶଯ୍ୟା ଥିବାରୁ ବହୁ ସମୟରେ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି । ଯଦ୍ୱାରା ରୋଗୀମାନେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଆଉ ୩ ଶହ ଶଯ୍ୟା ଲାଗି ଟେଣ୍ଡର ପ୍ରକ୍ରିଆ ସରିଥିବା ବିଧାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏଠାରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି । ତୃତୀୟ ବର୍ଷ ନାମଲେଖା ପାଇଁ ସରକାର ୧୦୦ ସିଟ୍ରୁ ଆଉ ଅଧିକ ୨୫ ସିଟ ବଢ଼ାଇଛନ୍ତି । ନିକଟରେ ଏମ୍ସିଆଇ ଟିମ୍ ଆସି ତୃତୀୟବର୍ଷ ନାମ ଲେଖା ପାଇଁ ଭିତ୍ତିଭୂମି ନିରୀକ୍ଷଣ କରିସାରିଛି । ଚଳିତବର୍ଷ ଏହି ମେଡ଼ିକାଲ କଲେଜରେ ୧୨୫ ପିଲା ନାମ ଲେଖାଇବେ ।
ସୂଚନା ଥାଉକି, ୨୦୧୫ ମସିହାରୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୭ ଏପ୍ରିଲ ୧୧ ତାରିଖରେ ଏମ୍ସିଆଇ ଟିମ୍ ଆସି ମେଡିକାଲ କଲେଜର ସମସ୍ତ ଭିତ୍ତିଭୂମି ଅନୁଧ୍ୟାନ କରି ପ୍ରଥମ ବର୍ଷ ପାଠପଢ଼ା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲା । ସେବେଠାରୁ କଲେଜର କଳେବର ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons