ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚ ଶହ ଆଡ଼କୁ ମୁହାଁଇଛି । ରବିବାର ୪୦ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଜିଲ୍ଲାରେ ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୬କୁ ଟପିଛି । କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇଥିବା ଯାଜପୁର ତହସିଲଦାର କରୋନା ସଂକ୍ରମିତ ବୋଲି ଆଜି ଜଣା ପଡ଼ିବା ପରେ ଜିଲ୍ଲା ସଦର ମହକୁମାରେ କୋକୁଆଭୟ ସୃଷ୍ଟି ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଯାଜପୁର ତହସିଲ କାର୍ଯ୍ୟାଳୟ ଓ ତହସିଲଦାରଙ୍କ ବାସଭବନ ସଂଲଗ୍ନ ସଦର ମହକୁମା ଅଞ୍ଚଳକୁ ସ୍ୱତଃ କଣ୍ଟେନମେଣ୍ଟ ଜୋନ ପରିସରଭୁକ୍ତ ହୋଇଛି । ଏଥି ସହିତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରସ୍ତୁଚି ଚଳାଇଛି । ଆଜି ରାତିରେ କରୋନା ସଂକ୍ରମିତ ତହସିଲଦାରଙ୍କୁ କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତହସିଲଦାରଙ୍କ ଡ୍ରାଇଭର ଓ ପିଅନଙ୍କୁ ସ୍ୱତନ୍ତ୍ର ପରୀକ୍ଷା ପାଇଁ ସଂଗରୋଧ ବ୍ୟବସ୍ଥା କରାଯାଇଛି ।
ଯାଜପୁର ତହସିଲଦାରଙ୍କ ଠାରେ କରୋନା ଭୂତାଣୁ ଠାବ ହେବା ପରେ ଜିଲ୍ଲା ପ୍ରଶାସନ ଠାରୁ ରାଜସ୍ୱ ସର୍କଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ସାଧାରଣ ନାଗରିକ କେତେଦୂର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶ ଶୃଙ୍ଖଳରେ ଆସିଛନ୍ତି ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥ୍ୟ ସଂଗ୍ରହ କରୁଛି । ନିର୍ଭର ଯୋଗ୍ୟ ସୂତ୍ରରୁ ପ୍ରକାଶ, ଯାଜପୁର ତହସିଲଦାର ଗତ ୨୪ ତାରିଖ ବେଳକୁ ଥଣ୍ଡା, କାଶ ଓ ତଣ୍ଟିବଥା ରୋଗରେ ପୀଡ଼ିତ ହୋଇ ପଡ଼ିଥିଲେ । କରୋନା ସଂକ୍ରମଣ ସନେ୍ଦହରେ ତହସିଲଦାର ମହାଶୟ, ଜୁନ୍ ୨୪ ତାରିଖରେ ନିଜର ସ୍ୱାବ୍ଟେଷ୍ଟ କରାଇଥିଲେ । ଜୁନ୍ ୨୮ ପୂର୍ବାହ୍ନରେ ତହସିଲଦାରଙ୍କ ସ୍ୱାବଟେଷ୍ଟ ରିପୋର୍ଟ ପଜିଟିଭ୍ ଥିବାର ଜଣା ପଡ଼ିଲା । ଜିଲ୍ଲାପାଳ ରଂଜନ କୁମାର ଦାସ ତହସିଲଦାରଙ୍କ ସହ ଯୋଗାଯୋଗ କରିବା ସହ ଜିଲ୍ଲା ପ୍ରଶାସନ ତହସିଲଦାରଙ୍କ କୋଭିଡ୍ ସ୍ୱାସ୍ଥ୍ୟସେବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ତହସିଲଦାରଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହ ତହସିଲଦାରଙ୍କ କାର୍ଯ୍ୟାଳୟ ଓ ବାସଭବନ ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ କରିଛନ୍ତି ।
ଏକାଧିକ ପ୍ରଶାସନିକ ବୈଠକ ତଥା କରୋନା ମୁକାବିଲା ଅଭିଯାନର ବିବିଧ ବୈଠକରେ ଯାଜପୁର ତହସିଲଦାର ଉପସ୍ଥିତ ରହି ଆସୁଥିଲେ । ତହସିଲଦାରଙ୍କ ସଂସ୍ପର୍ଶରେ ଜିଲ୍ଲା ପ୍ରଶାସନ, ତହସିଲ କାର୍ଯ୍ୟାଳୟ ଓ ଆରଆଇ ଅଫିସ୍ ଗୁଡ଼ିକ ଆପାତତଃ ଯୋଡ଼ି ହୋଇ ରହିଛି । ଏଭଳି ସ୍ଥିତିରେ ଯାଜପୁର ତହସିଲଦାରଙ୍କ ପ୍ରାଥମିକ ସଂସ୍ପର୍ଶ ତାଲିକା ବହୁଦୂର ଲମ୍ବିଯିବାର ଆଶଙ୍କା ରହିଛି । ଜିଲ୍ଲା ସଦର ମହକୁମାକୁ ଯେଭଳି ଅଧିକ ସାଧାରଣ ଜନତା ନ ଆସିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯାଜପୁର ସହରରେ ସଟ୍ ଡାଉନ୍ କିମ୍ବା କର୍ଫୁ୍ୟ ଭଳି କଟକଣା ଲାଗୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଛି ।


Comments are closed, but trackbacks and pingbacks are open.