ଯୁବକଙ୍କୁ ଅପହରଣ ପରେ ଲୁଟ୍ ମାମଲା

Get real time updates directly on you device, subscribe now.

ଜୟପୁର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନନ୍ତପାଲ୍ଲୀ ଏମ୍ଭି-୮୧ର ଭୋଳା ସରକାର(୨୬) ଅପହରଣ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୁଲିସ । ସେ ହେଲା ସଦର ଥାନା ଅନ୍ତର୍ଗତ ବାର୍ଲାହାଣ୍ଡିର ରବି ହରିଜନ(୨୫) । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି । ରବି ଏହି ମାମଲାର ସପ୍ତମ ତଥା ଶେଷ ଅଭିଯୁକ୍ତ ବୋଲି ପୁଲିସ କହିଛି ।
ସୂଚନାଥାଉକି, ଗତ ମାର୍ଚ୍ଚ ୧୮ ରାତିରେ ଭୋଳା ବିଶାଖାପାଟଣାରୁ ଜୟପୁର ଆସିଥିଲେ । ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ପରିସରରେ ଶୋଇଥିବା ବେଳେ ୧୯ ତାରିଖ ପାହାନ୍ତିଆରେ ତାଙ୍କ ପର୍ସ (୧୦ ହଜାର ଟଙ୍କା ଥିଲା) ଏବଂ ଯୋତା ଚୋରି ହୋଇଯାଇଥିଲା । ଯୋତା କିଣିବା ଲାଗି ତହସିଲ ଅଫିସ ପାଖରେ ଠିଆ ହୋଇଥିବା ବେଳେ ୨ ଜଣ ଯୁବକ ବାଇକରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ । ଭୂତନାଥ ମନ୍ଦିର ଛକରେ ପହଞ୍ଚିବା ପରେ ଆଉ ୨ଟି ବାଇକ୍ରେ ଅନ୍ୟ ୪ ଜଣ ଆସି ଭୋଳାଙ୍କୁ ଜୟନଗର ଉପକଣ୍ଠରେ ଥିବା ଓପିଟିସିଏଲ୍ ଗ୍ରୀଡ୍ ପାଖ ସାଗୁଆନ୍ ଜଙ୍ଗଲକୁ ନେଇ ଯାଇଥିଲେ । ମରଣାନ୍ତକ ଆକ୍ରମଣ ସହ ଫୋନ୍ପେ ପାସୱାର୍ଡ ହାସଲ କରି ୨୭ ହଜାର ୫୦୦ ଟଙ୍କା ଲୁଟି ନେଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ୨୨ ତାରିଖରେ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣ କିଛି ଦିନ ତଳେ ଧରାପଡିଥିଲେ । ମୋଟ ୭ ଜଣଙ୍କ ମଧ୍ୟରୁ ପୁଲିସ ଆଖିରେ ଧୂଳି ଦେଇ ରବି ଖସିଯାଉଥିଲା । ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ରିଗାନ୍ କିଣ୍ଡୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons