ଯୁବକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନ୍ୟୁଜ୍): ଯୁବକଙ୍କୁ ବୟସ୍କ ଲୋକଙ୍କ ମରଣାନ୍ତକ ଆକ୍ରମଣ । ଆଜି ରାତି ପ୍ରାୟ ୧୦ଟା ବେଳେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରେ ଏହି ଘଟଣା ଘଟିଥିଲା । ଏକ ଦୋକାନ ପାଖରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଛୁରିରେ ମରଣାନ୍ତକ ଆକ୍ରମଣ କରି ଚାଲିଥିଲେ ବ୍ୟକ୍ତିଜଣକ । ଯୁବକଜଣକ ରକ୍ତ ଜୁଡୁବୁଡୁ ହୋଇ ପଡ଼ିବା ପରେ ଆକ୍ରମଣକାରୀ ଜଣକ ସେଠାରୁ ଖସି ପଳାଇଥିଲେ । ଆକ୍ରମଣ ଏଭଳି ଅଚାନକ ଓ ନୃଶଂସ ଥିଲା ଯେ ଲୋକେ ତଟସ୍ଥ ହୋଇଯାଇଥିଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯୁବକଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ଥିବା ଜଣାଯାଇଛି । ତାଙ୍କ ନାମ ସଞ୍ଜୟ ଗୌଡ଼ (୨୬) ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ତାଙ୍କ ଘର । ତେବେ ଆକ୍ରମଣକାରୀ ମୁହଁରେ କପଡା ପିନ୍ଧିଥିଲେ । ସଞ୍ଜୟ ସେହି ଗାଁର ଜଣେ ଯୁକ୍ତ ତିନି ଶିକ୍ଷିତ ଯୁବତୀଙ୍କୁ କୋର୍ଟ ମ୍ୟାରେଜ୍ କରି କିଛି ଦିନ ପୂର୍ବରୁ ମୁମ୍ବାଇ ଚାଲି ଯାଇଥିଲେ । ନିକଟରେ ସେମାନେ ମୁମ୍ବାଇରୁ ଫେରି ଦିଗପହଣ୍ଡି ଅଞ୍ଚଳ କଲୋନିରେ ଏକ ଭଡ଼ା ଘରେ ରହୁଥିଲେ । ସଞ୍ଜୟ ଏକ ଲୁଗା ଦୋକନରେ କାମ କରୁଥିଲେ । ତେବେ ଦିଗପହଣ୍ଡି ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କହିଛନ୍ତି । ଗତକାଲି ରାତିରେ ଘଟଣା ଘଟିଛି କିନ୍ତୁ ଆଜି ସକାଳୁ ଆମେ ଜାଣିବାକୁ ପାଇଲୁ । ମୁଁ କୋର୍ଟ କାମରେ ଆସିଥିଲି, ରିପୋର୍ଟ ହେଲେ କେସ୍ ହେବ । ବିନା ରିପୋର୍ଟରେ କେମିତି ତଦନ୍ତ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons